ଭୁବନେଶ୍ୱର: ଆଉ ଦେବାକୁ ପଡ଼ିବ ନାହିଁ ପାର୍କିଂ ଫି। ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍ ଓ ଆପାର୍ଟମେଣ୍ଟ ଆଦିରେ ଆଦାୟ ହେଉଥିବା ପାର୍କିଂ ଫି’କୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ) । ଏନେଇ ବୁଧବାର ଦିନ ବିଡିଏ ପକ୍ଷରୁ ଏକ ଟ୍ୱିଟ ମଧ୍ୟ କରାଯାଇଛି ।
ବିଡିଏ ପକ୍ଷରୁ ଜାରି ସୂଚନା ଅନୁସାରେ ବିଭିନ୍ନ ସପିଂ ମଲ୍ , ମଲଟିପ୍ଲେକ୍ସ, ଆପାର୍ଟମେଣ୍ଟ୍ ଓ ହସ୍ପିଟାଲରେ ଗାଡି ପାର୍କ କରିବା ବାବଦରେ ସାଧାରଣ ଲୋକଙ୍କଠୁ ପାର୍କିଂ ଫି’ ଆଦାୟ କରାଯାଉଥିବା ‘ବିଡିଏ’ର ଦୃଷ୍ଟି ଗୋଚର ହୋଇଛି । ‘ବିଡିଏ’ ନିୟମର ଦୃଷ୍ଟି କୋଣରୁ ଏହାକୁ ବେଆଇନ ଦର୍ଶାଇ ଆଦାୟ କରାଯାଉଥିବା ପାର୍କିଂ ଫି’କୁ ତୁରନ୍ତ ବନ୍ଦ କରିବାକୁ ବିଡିଏ ନିର୍ଦ୍ଦେଶ ଦେଇଛି।
ବିଲଡିଂ ପ୍ଲାନ୍ ଆପ୍ରୁଭାଲ୍ ସମୟରେ ଗାଡ଼ି ରଖିବା ପାଇଁ ପାର୍କିଂ ଅଞ୍ଚଳ ଯେତିକି ଅନୁମୋଦନ କରାଯାଇଛି, ତାହା ଅନ୍ୟ ଉଦ୍ଦେଶ୍ୟରେ ଉପଯୋଗ ହେଉଥିବାରୁ ରାସ୍ତାରେ ଗାଡ଼ି ପାର୍କିଂ ଘଟଣା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଯାହାକି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। ଏଥିପ୍ରତି କଡ଼ା ନଜର ରଖାଯାଇଥିବା ବିଡିଏ ପକ୍ଷରୁ ପ୍ରକାଶ ।
Comments are closed.