Latest Odisha News

BREAKING NEWS

୩୧ ଜାନୁଆରୀରୁ ଆରମ୍ଭ ହେବ ବଜେଟ ଅଧିବେଶନ

ନୂଆଦିଲ୍ଲୀ: ୩୧ ଜାନୁଆରୀରେ ବସିବ ସଂସଦର ବଜେଟ ଅଧିବେଶନ। ଏହା ଏପ୍ରିଲ ୪ ରେ ଶେଷ ହେବାର ସମ୍ଭାବନା ରହିଛି। ଏହି ଅଧିବେଶନରେ ୮ମ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପରମ୍ପରା ଅନୁସାରେ ୩୧ ଜାନୁଆରୀରେ ସଂସଦର ଦୁଇ ଗୃହରେ ସଂଯୁକ୍ତ ବୈଠକରେ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ବୈଠକ ପରେ ଉଭୟ ଗୃହରେ ଆର୍ଥିକ ସର୍ଭେ ଉପସ୍ଥାପିତ ହେବ।

ଏହା ଅଷ୍ଟାଦଶ ଲୋକସଭାର ଚତୁର୍ଥ ଅଧିବେଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ଏହା ହେବ ପ୍ରଥମ ବଜେଟ ଅଧିବେଶନ। ଜାନୁଆରୀ ୩୧ ତାରିଖ ସକାଳ ୧୧. ୦୦ ଟା ସମୟରେ ସଂସଦର ଉଭୟ ଗୃହରେ ଆୟୋଜିତ ହେବାକୁ ଥିବା ସଂଯୁକ୍ତ ବୈଠକକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ବର୍ଷ ହୋଇଥିବା ଶୀତକାଳୀନ ଅଧିବେଶନରେ ଜୋରଦାର ହଙ୍ଗମା ଦେଖିବାକୁ ମିଳିଥିଲା। ହଙ୍ଗମା ଏତେ ବଢିଥିଲା କି, ଅଧିବେଶନର ପ୍ରଥମ ୪ ଦିନ ସ୍ଥଗିତ ରହିଥିଲା। ଏହି ଶୀତକାଳୀନ ଅଧିବେଶନ ୨୦୨୪ ନଭେମ୍ବର ୨୫ ତାରିଖରୁ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ୨୬ ଦିନ ଚାଲିଥିବା ଏହି ଅଧିବେଶନରେ ଲୋକସଭାର ୨୦ ଓ ରାଜ୍ୟସଭାର ୧୯ ବୈଠକ ହୋଇଥିଲା। ଏହାରି ମଧ୍ୟରେ ୫ ଟି ବିଲ୍ ( ବିଧେୟକ ) ଜାରି କରାଯାଇଥିଲା। ଏଥିମଧ୍ୟରୁ ୪ ଟି ଲୋକସଭାରେ ପାରିତ ହୋଇଥିବା ବେଳେ ୩ ଟି ରାଜ୍ୟସଭାରେ ପାରିତ ହୋଇଥିଲା। ମୋଟମୋଟି ଭାବରେ ଶୀତକାଳୀନ ଅଧିବେଶନ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଏକ ପ୍ରକାର ହଙ୍ଗମା ଭିତରେ ଶେଷ ହୋଇଥିଲା। ତେବେ ଆଗକୁ ବସିବାକୁ ଥିବା ବଜେଟ ଅଧିବେଶନରେ ଗୃହ କିପରି ଚାଲିବ, ଦେଖିବାକୁ ବାକି ରହିଲା।

Comments are closed.