Latest Odisha News

ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ, ଫେବ୍ରୁଆରୀ ୧ରେ କାମଚଳା ବଜେଟ୍

ନୂଆଦିଲ୍ଲୀ: ଜାନୁଆରୀ ୩୧ ତାରିଖରୁ ସଂସଦର ବଜେଟ ଅଧିବେଶନ । ଏହା ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୦୨୫ ବର୍ଷ ପାଇଁ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ । ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ, ଏବେ କାମଚଳା ବଜେଟ ଉପସ୍ଥାପନ କରାଯିବ ।

ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦକୁ ସମ୍ବୋଧିତ କରିବେ । ଏହି କାମଚଳା ବଜେଟରେ ଅର୍ଥମନ୍ତ୍ରୀ ସୀତାରମଣ, ପିଏମ୍ କିଶାନ ସମ୍ମାନ ନିଧିକୁ ଦୁଇଗୁଣା କରିପାରନ୍ତି । ଏହା ମହିଳା କୃଷକମାନଙ୍କ ପାଇଁ କରାଯିବାର ସମ୍ଭାବନା ରହିଛି । ଯଦି ଏହା କରାଯାଏ, ତେବେ ଏଥିପାଇଁ ୧୨୦୦୦ କୋଟିର ଅଧିକ ବୋଝ ପଡ଼ିପାରେ । କୃଷି କ୍ଷେତ୍ରରେ ମହିଳା ସଶକ୍ତୀକରଣ ପାଇଁ ଏହି ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସେହିପରି କାମଚଳା ବଜେଟରେ ଭିତ୍ତିଭୂମି ବିକାଶ ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରାଧାନ୍ୟ ଦିଆ ଯାଇପାରେ । ଭାରତ ସରକାର ୨୦୪୭ ସୁଦ୍ଧା ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ, ଦେଶରେ ଭିତ୍ତିଭୂମି ଏବଂ ନିଯୁକ୍ତି ସୁଯୋଗକୁ ପ୍ରାଥମିକତା ଦେବାର ସମ୍ଭାବନା ରହିଛି । ତେବେ କାମଚଳା ବଜେଟରେ ଆୟକର ନିୟମରେ କୌଣସି ବଡ଼ ଧରଣର ପରିବର୍ତ୍ତନ କରି ନପାରନ୍ତି।

୨୦୨୪ ଏପ୍ରିଲରୁ ଜୁନ ମଧ୍ୟରେ ହେବ ଲୋକସଭା ନିର୍ବାଚନ । ତେଣୁ ନିର୍ବାଚନ ପରେ ସଂସଦରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ । ଫେବ୍ରୁଆରୀ ୧ରେ ଉପସ୍ଥାପନ ହେବାକୁ ଥିବା ଅନ୍ତରୀଣ ବଜେଟରେ କୌଣସି ନୀତିଗତ ପରିବର୍ତ୍ତନ ହେବାର ସମ୍ଭାବନା କ୍ଷୀଣ । ଦେଶରେ ସାଧାରଣ ନିର୍ବାଚନ ପରେ ନୂଆ ସରକାର ଗଠନ ହେବ ଏବଂ ତା ପରେ ହିଁ ୨୦୨୪ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯିବ ।

 

Leave A Reply

Your email address will not be published.