Latest Odisha News

BREAKING NEWS

ଆଜିଠୁ ସଂସଦର ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବାକୁ ବିରୋଧିଙ୍କ ତତ୍ପରତା

ନୂଆଦିଲ୍ଲୀ : ବୁଧବାର ଆରମ୍ଭ ହେଉଛି ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ । ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ଏହି ଅଧିବେଶନ ।
ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟର ଏହି ଅଧିବେଶନର ସ୍ୱାଭାବିକ ଚାଲିବା ନେଇ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିଛନ୍ତି ।

ଏପଟେ କେନ୍ଦ୍ର ସରକାରଙ୍କୁ ବିରୋଧି ଦଳମାନେ ଦଳିତଙ୍କ ଉପରେ ଆକ୍ରମଣ, ପିଏନବି ସ୍କାମ ଓ ଚାଷୀ ସମସ୍ୟାକୁ ନେଇ ସଂସଦରେ ଆକ୍ରମଣ କରିବାକୁ ଜାଗତୟାର ହୋଇ ପ୍ରସ୍ତୁତ ହୋଇଛନ୍ତି ।

କେନ୍ଦ୍ର ସରକାର ତ୍ରିପଲ୍ ତଲାକ ବିଲ୍କୁ ନିଜ ଏଜେଣ୍ଡାରେ ରଖିଛନ୍ତି । କେନ୍ଦ୍ର ସରକାର ମଧ୍ୟ ଏସଟି/ଏସସି ସଂରକ୍ଷଣ ବିଲ୍ ପାସ୍ କରାଇବା ନେଇ ଗୁରୁତ୍ୱ ରଖିବେ । ମହିଳା ସଂରକ୍ଷଣ ବିଲ୍ ଉପରେ କଂଗ୍ରେସର ଆଭିମୁଖ୍ୟ ସ୍ପଷ୍ଟ ରହିଛି, କାରଣ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ନିଜର ସକାରାତ୍ମକ ଆଭିମୁଖ୍ୟ ବ୍ୟକ୍ତ କରିଛନ୍ତି ।

ତେବେ ଓଡ଼ିଶାର ବିଜୁ ଜନତା ଦଳ ଏଥର ସଂସଦରେ ଅନୁଷ୍ଠିତ ହେଉଥିବା ମୌସୁମୀ ଅଧିବେଶନରେ ମହାନଦୀ, ପୋଲାଭରମ ସାଙ୍ଗକୁ ଏମଏସପି ପ୍ରସଙ୍ଗ ଉଠାଇବ ବୋଲି ସୂଚନା ମିଳିଛି ।

କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି, “ସମଗ୍ର ରାଷ୍ଟ୍ର ଚାହୁଛି ସଂସଦର ପ୍ରତ୍ୟେକ କାର୍ଯ୍ୟ ଦିବସ ବେକାର ନଯାଉ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିତର୍କ ଜାରି ରହୁ । ତେଣୁ ସରକାର ଆଇନ ପରିସର ମଧ୍ୟକୁ ଆସୁଥିବା ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ତୟାର ରହିଛନ୍ତି ।” ଦେଶର ସ୍ୱାର୍ଥ ଲାଗି ଏହି ଅଧିବେଶନ ସୂଚାରୁରୂପେ ଚଳାଇବାକୁ ସବୁ ଦଳର ସହଯୋଗ କାମନା କରିଛନ୍ତି କେନ୍ଦ୍ର ସଂସଦୀୟ ମନ୍ତ୍ରୀ ଅନନ୍ତ କୁମାର ।

Leave A Reply

Your email address will not be published.