Latest Odisha News

BREAKING NEWS

ବଜେଟ ଅଧିବେଶନ୨୦୨୪: କାଶ୍ମୀର ଠାରୁ ଜ୍ଞାନବ୍ୟାପୀ ପର୍ଯ୍ୟନ୍ତ…ଜାଣନ୍ତୁ କେଉଁ ପ୍ରସଙ୍ଗରେ ଗୃହରେ ହେବ ଆଲୋଚନା

ନୂଆଦିଲ୍ଲୀ: ଆଜିଠୁ ସଂସଦର ବଜେଟ ଅଧିବେଶନ । ଆଜି ଠାରୁ ଆରମ୍ଭ ହୋଇ ଏହା ଆସନ୍ତା ଫେବୃୟାରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ବର୍ତ୍ତମାନ ଲୋକସଭାର ଏହା ହେଉଛି ଶେଷ ଅଧିବେଶନ | ଏପ୍ରିଲ-ମେ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ଅର୍ଥାତ୍ ଆସନ୍ତା କାଲି ୨୦୨୪-୨୫ ବର୍ଷ ପାଇଁ ଅନ୍ତରୀଣ ବା କାମଚଳା ବଜେଟ ଉପସ୍ଥାପନ କରିବେ । ନିର୍ବାଚନ ପରେ ଦାୟିତ୍ଵ ଗ୍ରହଣ କରିବା ପରେ ନୂତନ ସରକାର ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବେ । ମଙ୍ଗଳବାର ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ରାଷ୍ଟ୍ରପତି ଶାସନ ଚାଲିଥିବା ଜାମ୍ମୁ କାଶ୍ମୀର ପାଇଁ ମଧ୍ୟ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ସୀତାରମଣ ।

କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ଫେବୃଆରୀ ୯ରେ ଶେଷ ହେବାକୁ ଥିବା ୧୭ ତମ ଲୋକସଭାର ଏହି ସଂକ୍ଷିପ୍ତ ଅଧିବେଶନର ମୁଖ୍ୟ ଏଜେଣ୍ଡା ହେଉଛି ରାଷ୍ଟ୍ରପତିଙ୍କ ଅଭିଭାଷଣ, ଅନ୍ତରୀଣ ବଜେଟର ଉପସ୍ଥାପନା ଏବଂ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ଏବଂ ତାହା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତର । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ହୋଇଥିବା ସର୍ବଦଳୀୟ ବୈଠକରେ ବିରୋଧୀ ଦଳର ନେତାମାନେ ଅନେକ ପ୍ରସଙ୍ଗ ଉଠାଇଥିଲେ। କଂଗ୍ରେସର ବରିଷ୍ଠ ନେତା କେ. ସୁରେଶ କହିଛନ୍ତି ଯେ ଦଳ ଅଧିବେଶନ ସମୟରେ ବେରୋଜଗାରୀ, ମହଙ୍ଗା ମାଡ, କୃଷି ସଙ୍କଟ ଏବଂ ମଣିପୁର ହିଂସା ପ୍ରସଙ୍ଗ ଉଠାଇବ ।

ଗତକାଲିର ସର୍ବଦଳୀୟ ବୈଠକରେ ଉପସ୍ଥିତ ନେତାଙ୍କ ମଧ୍ୟରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି ସଭାପତି ଶରଦ ପାୱାର, ଜନତା ଦଳ (ୟୁନାଇଟେଡ) ର ରାମନାଥ ଠାକୁର ଏବଂ ତେଲୁଗୁ ଦେଶମ ଦଳର ଜୟଦେବ ଗଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ।  ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ବୈଠକରେ ପ୍ରତିନିଧିତ୍ୱ କରିଥିବା କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି ଯେ, ଆସାମରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ହୋଇଥିବା ହିଂସାତ୍ମକ ଆକ୍ରମଣ ଏବଂ ଏଥିରେ ଲାଗିଥିବା ପ୍ରତିବନ୍ଧକ ପ୍ରସଙ୍ଗ ସେ ଅଧିବେଶନରେ ଉଠେଇବେ ।

 

Leave A Reply

Your email address will not be published.