Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବ୍ରହ୍ମ ହିଁ ଜଗତ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା 

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅଂଶ ବିଶେଷ ବ୍ରହ୍ମ ହିଁ ଜଗତର କାରଣ ଅଟେ। ବେଦାନ୍ତରେ ବର୍ଣ୍ଣିତ ହୋଇଛି “ଶାସ୍ତ୍ର ଯୋନିତ୍ୱାତ “ଅର୍ଥାତ ବ୍ରହ୍ମ ହିଁ ଜଗତ ଉତ୍ପତିର ମୂଳ କାରଣ ଅଟେ। ବସ୍ତୁତଃ ବିଭିନ୍ନ ଭାବରେ ବ୍ରହ୍ମ ପ୍ରତିଭାସିତ ହେଲେ ମଧ୍ୟ ସେ ଅଦ୍ବୟ ଓ ଅଖଣ୍ଡ ଅଟନ୍ତି। ସେ ହିଁ ଜଗତର ନିମିତ୍ତ କାରଣ ଓ ସେହିଁ ଉପାଦାନ କାରଣ ଅଟନ୍ତି। ଏହି ଜଗତର ପ୍ରତିଟି ଅଣୁରେ ବ୍ରହ୍ମ ନିବାସ କରିଥିବାରୁ ତାଙ୍କୁ ଶାସ୍ତ୍ରରେ “ଅନୋରଣୀୟାନ ମହୋତ ମହୀୟାନ “ କୁହାଯାଏ। ଏହାକୁ ସର୍ବୋତ୍ତ ଭାବେ ଜାଣିଲେ ହୃଦୟର ଗ୍ରନ୍ଥି ଭେଦହୁଏ ଓ ମନର ସମସ୍ତ ସଂଶୟ ଦୂର ହୁଏ।

ଶ୍ରୀମତ ଭାଗବତ ବାଣୀ କହେ – “ଭିଦ୍ୟତେ ହୃଦୟ-ଗ୍ରନ୍ଥିଶ୍ଚ୍ଛି ଦ୍ୟନ୍ତେ ସର୍ବ ସଂଶୟା, କ୍ଷୀୟନ୍ତେ ଚାସ୍ୟ କର୍ମlଣୀ ଦୃଷ୍ଟ ଏବାତ୍ମନିଶ୍ୱରେ (୧ /୨ /୨୧ ଭାଗବତ )। ଏସବୁ ଆଲୋଚନାର ମୂଳ ଭିତ୍ତି ହେଲା ଶାରଦୀୟ ପୂଜା ଆରମ୍ଭ ହେଲା ବେଳେ ଆମ୍ଭେମାନେ ଏବେ ଦୈବୀଶକ୍ତିର ଆରାଧନା ପାଇଁ ଶକ୍ତି ସ୍ୱରୂପିଣୀ ମା ଦୁର୍ଗେ, ଦୁର୍ଗତିନାଶିନୀଙ୍କ ଉପାସନାରେ ନିଜକୁ ନିୟୋଜିତ କରିବା। ବେଦ, ବେଦାନ୍ତରେ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଶକ୍ତି ସ୍ୱରୂପା ମଧ୍ୟ ବର୍ଣ୍ଣନା କରାଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତିର ମୂଳ ଆଧାର ମଧ୍ୟ ଶକ୍ତି ବୋଲି ବିବେଚିତ ହୁଅନ୍ତି। ସେଥିପାଇଁ ରତ୍ନସିଂହାସନରେ ମା ସୁଭଦ୍ରା, ପୀଠର ଅଧିଶ୍ବରୀ ରୂପେ ମା ବିମଳା ଓ କ୍ଷେତ୍ରର ଅଧିଶ୍ବରୀ ରୂପେ ମା ମହାଲକ୍ଷ୍ମୀ (ଶ୍ରୀ )ବିରାଜମାନ କରି ଶ୍ରୀକ୍ଷେତ୍ରର ସ୍ୱତନ୍ତ୍ରତା ପ୍ରତିପାଦନ କରିଛନ୍ତି। କେବଳ ଏତିକି ନୁହେଁ ଏହି କ୍ଷେତ୍ରରେ ବିରାଜିତ ଅସଂଖ୍ୟ ଶକ୍ତି ସ୍ୱରୂପା ଦେବୀ, ଏହାକୁ ଏକ ତନ୍ତ୍ର ପୀଠର ମାନ୍ୟତା ମଧ୍ୟ ଦେଇଛନ୍ତି। ଶାସ୍ତ୍ର ମତରେ ତ୍ରିମୁର୍ତ୍ତୀଙ୍କର ଶକ୍ତି ରୂପ “ଉଗ୍ରତାରା ଶୂଳପାଣି ସୁଭଦ୍ରା ଭୁବନେଶ୍ୱରୀ, ନୀଳାଦ୍ରୋତୁ ଜଗନ୍ନାଥ ସାକ୍ଷାତ ଦକ୍ଷିଣକାଳିକା । ”

ଆଗକୁ ତନ୍ତ୍ର ଓ ଶକ୍ତି ଉପାସନାର ଗୂଢ଼ ତତ୍ତ୍ୱ ଆଲୋଚନା କରିବା। କିନ୍ତୁ ପ୍ରଥମେ ଶ୍ରୀଜଗନ୍ନାଥ ଓ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଠିକ ଭାବରେ ବୁଝିବା। ଅନେକ ତତ୍ତ୍ୱ ଓ ଅନେକ ମତ ଭିତରେ ଛନ୍ଦି ନହୋଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପରଂବ୍ରହ୍ମ ଓ ଏ ଜଗତ ବ୍ରହ୍ମମୟ ଏତିକି ସଠିକ ରୂପେ ହୃଦୟଙ୍ଗମ କଲେ, ଆମର ସମସ୍ତ ସଂଶୟ ଦୂର ହେବ। ଏହି ବିଷୟରେ ଶ୍ରୀନିମ୍ବାକାଚାର୍ଯ୍ୟଙ୍କ ଦ୍ୱାରା ନିଜ ଶିଷ୍ୟମାନଙ୍କୁ ପ୍ରଦତ୍ତ ଉପଦେଶ ଅନୁସାରେ ଲିଖିତ ଶ୍ଳୋକଟି ଅତ୍ୟନ୍ତ ଉପାଦେୟ।

“ଜ୍ଞାନ ସ୍ୱରୂପଂ ଚ ହରେରଧୀନଂ, ଶରୀର ସଂଯୋଗ ବିଯୋଗ ଯୋଗ୍ୟମ, ଅଣୁ ହି ଜୀବଂ ପ୍ରତି ଦେହେ ଭିନ୍ନଂ, ଜ୍ଞାତ୍ରୁତ୍ବବନ୍ତଂ ଯମନନ୍ତ ମାହୁଃ । “ ଅର୍ଥାତ ଜୀବ ଜ୍ଞାନ ସ୍ୱରୂପ ଏବଂ ଶ୍ରୀଜଗନ୍ନାଥଙ୍କ ଅଧିନ। ଏହା ଶରୀରମାନଙ୍କ ସହ ଯୋଗ ଓ ବିଯୋଗ ହୋଇପାରେ। କିନ୍ତୁ ଜୀବ ରୂପୀ ଅଣୁ (ବ୍ରହ୍ମ )ଜ୍ଞାନ ଯୁକ୍ତ ଓ ଅନନ୍ତ। ଏହା ପ୍ରତ୍ୟେକ ଶରୀରରେ ଭିନ୍ନ ବ ଅନାଦି ମାୟାରେ ଆବୃତ ଓ ଈଶ୍ୱର (ପରଂବ୍ରହ୍ମ )ଙ୍କ କୃପାରୁ ବନ୍ଧନ ମୁକ୍ତ ହୁଏ। ଆଜି ଏତିକି । କାଲି ଠାରୁ ମହାମାୟା ତତ୍ତ୍ୱ ଆଲୋଚନା ଜାରି ରହିବ। ସବୁ କିନ୍ତୁ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ହେବ। (ଦ.ତ୍ରୀ. ଉବାଚ )

ଜୟ ଜଗନ୍ନାଥ

Leave A Reply

Your email address will not be published.