ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଭାଷାର ‘ ତୁ, ତୁମେ, ଆପଣ ‘
ସ୍ତର କରିଲେ ନିର୍ଧାରଣ
ହୁଏ ଲୋକଂକୁ ଅପମାନ
ଏହା ତ ଅନ୍ୟାୟ ବିଧାନ
ଲୋକଂକୁ କରି ତିନି ଭାଗ
କରିଲେ ଭାଷାର ପ୍ରୟୋଗ
ଅଯଥା ପାତର ଅଂତର
ସମାଜେ ଚଳେ ନିରଂତର
କିଏ ବଡ଼ କି କିଏ ସାନ
ବକ୍ତା କରିଲେ ନିର୍ଧାରଣ
ତାହା ତ ହୁଏ ତଥ୍ୟହୀନ
ନିଷ୍ପକ୍ଷ ହୁଏନି ବଚନ
ବୟସ, ଖ୍ୟାତି ଓ ସଂପତ୍ତି
ଦେଖି ସମ୍ମାନ ଦେଲେ ବ୍ୟକ୍ତି
ତହିଁରୁ ତାହାର ପ୍ରକୃତି
ଜଣାପଡ଼ଇ ଏଠି ନିତି
ଯାହାକୁ ‘ ତୁ ‘ ବୋଲି କହୁଁ
ତାଂକର ସେବା, ଯତ୍ନ ପାଉଁ
ଅଥଚ ଦେଉଁ ଅପମାନ
ଅସ୍ପଷ୍ଟ ଏହାର କାରଣ
ଭାଷାରେ ନାହିଁ ଗଣତଂତ୍ର
ତେଣୁ ପାସୋରି ମୂଳମଂତ୍ର
ଚଳାଇଥାଉଁ ପରଂପରା
ଭାଷାଟି ହୁଏ ଦରମରା
ସଭିଂକୁ କହୁଁ ଯଦି ‘ ତୁମେ ‘
ଚଳିବା ସଭିଏଁ ସଂଭ୍ରମେ
ଭାଷାରେ ଭରି ଶିଷ୍ଟାଚାର
କରିବା ନିତି ବ୍ୟବହାର
ବ୍ୟକ୍ତି ଭାବରେ ଏବେ ଆମେ
ସମତା ସାଧନର କାମେ
ନିଜକୁ କରିଲେ ନିଯୁକ୍ତ
ସଭିଏଁ ହେବେ ଉପକୃତ
ଅଧମ, ମଧ୍ୟମ, ଉତ୍ତମ
ପାଇଁ ଭାଷା ହେଲେ ଅସମ
ଅଭିବ୍ୟକ୍ତିରେ ତାରତମ୍ୟ
ହୁଏନି କେବେ ବୋଧଗମ୍ୟ
ପ୍ରଥାରେ ଲୋଡ଼ା ସଂଶୋଧନ
ବୁଝିଲେ ସହୃଦୟ ଜନ
ହେବ ପ୍ରଥାର ଅବସାନ
ସ୍ବଭାଷା ହେବ ପ୍ରୀତିପୂର୍ଣ