Latest Odisha News

ଲଗାଣ ବର୍ଷାରେ ଧସିଲା କରଡ଼ା ଘାଟି, ଯାତାୟାତ ବାଧାପ୍ରାପ୍ତ

ବାଲିଗୁଡ଼ା: ଲଗାଣ ବର୍ଷାରେ ଧସିଲା କରଡ଼ା ଘାଟି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କରଡ଼ା ଘାଟି ଧସିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଘାଟିର ୩ଟି ସ୍ଥାନରେ ପାର୍ଶ୍ଵ କାନ୍ଥ ଧସିଯିବା ଫଳରେ ଟ୍ରକ, ବସ୍ ଯାତାୟତ ବନ୍ଦ ରହିଛି । କିଛି ଲୋକେ ବିପଦ ସଂକୁଳ ଅବସ୍ଥାରେ ବାଇକ୍ ଓ ଅଟୋରେ ଯାତାୟତ କରୁଛନ୍ତି ।  ଗତ ୧୩ ଓ ୧୪ ତାରିଖ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଘାଟିର ବିଭିନ୍ନ ସ୍ଥାନ ଧୋଇ ହୋଇ ଯାଇଥିଲା ।

ଚାରି ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସ୍ଥାନରେ ମରାମତି କାର୍ଯ୍ୟ ହୋଇ ନାହିଁ । ବ୍ଲକର ଚାରୋଟି ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ରଣବା, ବଡ଼ବାରବା ପଞ୍ଚାୟତର ପ୍ରାୟ ୧୦ ହଜାର ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ପଡ଼ୋଶୀ ଗଞ୍ଜାମ ଜିଲ୍ଲାର ସୋରଡ଼ା ଅଞ୍ଚଳକୁ ମଧ୍ୟ ଏହି ରାସ୍ତା ସଂଯୋଗ କରୁଛି । ତୁରନ୍ତ ଯୁଦ୍ଧ କାଳୀନ ଭିତ୍ତିରେ ଘାଟି ରାସ୍ତା ମରାମତି କାର୍ଯ୍ୟ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ରାଇକିଆ ଠାରୁ କରଡ଼ା ପର୍ଯ୍ୟନ୍ତ ୨୦ କିଲୋମିଟର ରାସ୍ତା ଉନ୍ନତିକରଣ ପାଇଁ ୨୦୧୯ ମସିହାରୁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲେ ମଧ୍ୟ ଏଯାବତ୍ ରାସ୍ତା ଓ ଘାଟିର ଉନ୍ନତୀକରଣ କାମ ହୋଇ ପାରିନଥିବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ । ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଏଦିଗରେ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ।

Leave A Reply

Your email address will not be published.