Latest Odisha News

ବିଜେପୁର ଉପ-ନିର୍ବାଚନ ଲାଗି ସରଗରମ ହେଲା ରାଜନୀତି

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଉପ-ନିର୍ବାଚନ ଲାଗି ସୋମବାର ଦିନ ରିଟର୍ଣ୍ଣିଂ ଅଫିସରଙ୍କ ବିଜ୍ଞପ୍ତି ଜାରି ହେବାପରେ ଏବେ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି । ବିଜେପୁର ନିର୍ବାଚନ ନେଇ ଏବେ ସବୁ ରାଜନୈତିକ ଦଳରେ ଦେଖାଦେଇଛି ଉତ୍ସୁକତା ।

ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜେପୁର ଉପ-ନିର୍ବାଚନ ତାରିଖ ଘୋଷଣା ହେବାର ପ୍ରାୟ ୨ ଦିନ ପରେ ଏନେଇ ଆଜି ବିଜ୍ଞପ୍ତି ଜାରି ହୋଇଛି । ଆସନ୍ତା ମାସ ୨୧ ତାରିଖ ଦିନ ଅନୁଷ୍ଠିତ ହେବ ନିର୍ବାଚନ ।

ଏହି ବିଜ୍ଞପ୍ତି ଅନୁଯାୟୀ, ବିଜେପୁର ନିର୍ବାଚନ ଲାଗି ନାମାଙ୍କନ ପତ୍ର ସେପ୍ଟେମ୍ବର ୨୩ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦାଖଲ ହୋଇପାରିବ । ପଦମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିପାରିବେ । ଅକ୍ଟୋବର ୧ ତାରିଖରେ ନାମାଙ୍କନ ପତ୍ର ଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ସୂଚନା ହସ୍ତଗତ ହୋଇଛି । ସେହିପରି ପ୍ରାର୍ଥୀମାନେ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଫେରସ୍ତ ନେଇପାରିବେ ସେମାନଙ୍କର ନାମାଙ୍କନ ପତ୍ର ।

ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅକ୍ଟୋବର ୨୧ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଅନୁଷ୍ଠିତ ହେବ ।

ଇତିମଧ୍ୟରେ, ବିଜେପି ରାଜ୍ୟ ଶାଖା ସଭାପତି ବସନ୍ତ କୁମାର ପଣ୍ଡା କହିଛନ୍ତି ଯେ, ଦଳ ପକ୍ଷରୁ ୩ଜଣ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା କେନ୍ଦ୍ରୀୟ ନିର୍ବାଚନ କମିଟି ନିକଟକୁ ପଠାଇବେ । କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଚୂଡ଼ାନ୍ତ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ସେ କହିଛନ୍ତି ।

ଆସନ୍ତା ସେପ୍ଟେମ୍ବର ୨୪ ତାରିଖରେ କଂଗ୍ରେସ ପକ୍ଷରୁ ବିଜେପୁର ଉପନିର୍ବାଚନ ନେଇ ଏକ ବୈଠକ ଅନୁଷ୍ଠିତ ହେଉଛି । ଦଳ ପକ୍ଷରୁ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇ ଚୂଡ଼ାନ୍ତ ପ୍ରାର୍ଥୀ ଘୋଷଣା କରାଯିବାର ସମ୍ଭାବନା ରହିଛି ।

ଶାସକ ବିଜେଡ଼ି ପକ୍ଷରୁ ସୋମବାର ଦିନ ବିଜେପୁର ନିର୍ବାଚନ ନେଇ ଏକ ବୈଠକ ଅନୁଷ୍ଠିତ ହେଉଛି । ବୁଥ ଓ ପଞ୍ଚାୟତ ସ୍ତରରେ ନେତାମାନଙ୍କୁ ପଚରାଉଚରା କରାଯାଇ ଦଳୀୟ ପ୍ରାର୍ଥୀ ଠିକ୍ କରାଯିବ । ଏହି ବୈଠକରେ ଦଳର ଷ୍ଟାର କ୍ୟାମ୍ପେନର୍ ମାନଙ୍କ ନାମ ଘୋଷଣା କରାଯିବାର ସମ୍ଭାବନା ରହିଛି ।

ବିଜେଡ଼ି ସୂତ୍ରରୁ ଜଣାପଡ଼ିଛି ଯେ, ବିଜେପୁରର ପୂର୍ବତନ ବିଧାୟକ ସ୍ୱର୍ଗତଃ ସୁବଳ ସାହୁଙ୍କ ପତ୍ନୀ ବରିଷ୍ଠ ନେତ୍ରୀ ରୀତା ସାହୁ ବିଜେପୁର ଲାଗି ପ୍ରାର୍ଥୀ ଘୋଷିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

Leave A Reply

Your email address will not be published.