ଜଳନ୍ତା କ୍ୟାଲେଣ୍ଡର
ସଂଘମିତ୍ରା ଭୁତିଆ
ମୁଣ୍ଡ ଉପରର ଆକାଶକୁ
ସେ ମୁଣ୍ଡେଇନି !
କିନ୍ତୁ ସେ ଖୁବ୍ ଭାରି ଅନୁଭବ କରେ
ଠିକ୍ ଆଟଲାସ୍ ପରିକା
ସେଇଟା ପୁଣି ହେତୁ ପାଇବା ଦିନରୁ !
କାଚ ମାଡିଲେ
ତା’ ପାଦରୁ ଝରେ ନାଲି ରଙ୍ଗର ଲୁହ!
କିନ୍ତୁ ଖାଲିପାଦରେ ମାଟିରେ ଚାଲିକି ବି
ଗୋଟେ ରଙ୍ଗହୀନ ଲୁହରେ ଭିଜିପାରେ
ତା’ ସାରା ଦେହ!
ସେଇଠି ଅହରହ ଚାଲନ୍ତି ଦିନ ଆଉ ରାତି,
ମିନିଟକୁ ମିନିଟ ଦଉଡନ୍ତି,
ତା’ ନିଃଶ୍ୱାସ ଆଉ ପ୍ରଶ୍ଵାସ !
କିନ୍ତୁ ଲାତ ପରେ ଲାତ ଖାଏ,
ତା’ ପାକସ୍ଥଳୀର ଗୋଲାପୀ କାନ୍ଥ
ଲାଳ ପରେ ଲାଳ ଝରାଏ
ତା ଜିଭତଳ ଲାଳଗ୍ରନ୍ଥି !!
ଏକୁଟିଆ ସେ ବସିଛି
ପାଖରେ କେହି ନଥାଉ
ଦୁଇଗୋଡ଼ିଆ ଜାନୱରଙ୍କ ନାଲି ରଙ୍ଗର ଇଜ୍ଜତ୍
ପାଖ କାନ୍ଥରେ ଖଇରିଆ ହେଇ ଝଟକୁଛି !
ତା ଆଖିଆଗ ରାସ୍ତା ଉପରୁ
ଗାଡିଚକରେ କେତେଦୂରକୁ
ଘୁଞ୍ଚି ଗଲାଣି ଚାରିଦିନ ତଳର କଞ୍ଚା ଗୋବର…
କିଏଜଣେ ବି ରାସ୍ତାଉପରେ
ବେଲଚା ମାରି ଲେସି ପକେଇଛି
ସଜସଜ କୁକୁର ବାନ୍ତି ।
ସାଢେ ଆଠହାତ ଦୂରରୁ
ତୁହାକୁତୁହା ବାସିଉଠୁଛି
ଦହିବରାଵାଲାର ଆଳୁଦମ୍ ଖଲିର ପଚା ଗନ୍ଧ
ତଥାପି ସେ ବସିଛି
କେତେବେଳେ ଉଠୁଛି, ପୁଣି ସେଠି ବସୁଛି
କାରଣ ତା ହାତରେ ଝୁଲୁଛି
ଏଇ ଜମା କେତେ ଫୁଟର ଦାୟିତ୍ୱ !
ଆଉ ସେ ଦାୟିତ୍ୱ ପଛରେ ଝୁଲୁଛି
ଗୋଟେ ଭୋକିଲା ପେଟର
ଜଳନ୍ତା କ୍ୟାଲେଣ୍ଡର !