କଟକ: ରାଜ୍ୟସଭା କ୍ରସଭୋଟିଂ ପଲିଟିକ୍ସ ପୁଣି ମୁଣ୍ଡ ଟେକିଛି । ପୁଣି ଏକ ବିସ୍ଫୋରକ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ରାଜନେତା ପ୍ରଭାତ ବିଶ୍ବାଳ । ସେ କହିଛନ୍ତି ରାଜ୍ୟସଭା ନିର୍ବହାଚନ ପୂର୍ବରୁ ନବୀନ ନିବାସରେ ସବୁ ବିଧାୟକଙ୍କ ସାମ୍ନାରେ ମୋତେ ଅପମାନିତ କରାଯାଇଥିଲା । ସେହ ଅପମାନର ପ୍ରତିଶୋଧ ନେଇଛି ପୁଅ । ବାପାକୁ ଦିଆଯାଇଥିବା ଅପମାନର ପ୍ରତିଶୋଧ ପୁଅ ସୌଭିକ ନେଇଛି ବୋଲି କହିଛନ୍ତି ପ୍ରଭାତ ।
ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାର ପ୍ରସଙ୍ଗକୁ ନେଇ ସେ କହିଛନ୍ତି କି, ପୁଅ ମତଦାନ ପାଇଁ ଟଙ୍କାଟିଏ ମଧ୍ୟ ନେଇନାହିଁ । ମୋର ଏବଂ ପୁଅର ରାଜନୈତିକ ଭବିଷତ ଚୌଦ୍ବାର କଟକ ଭୋଟର ନିର୍ଦ୍ଧାରଣ କରିବେ । ସଂତୃପ୍ତ ମିଶ୍ର ଟ୍ରଷ୍ଟ ସମ୍ପର୍କରେ ମିଛି କହିଥିଲେ । ଆଉ ଏବେ ନବୀନ ଏଭଳି ଏକ ଟ୍ରଷ୍ଟ ସମ୍ପର୍କରେ ସ୍ବୀକାର କରିଛନ୍ତି । ଦଳ ପାଇଁ ଅନେକ ରାତି ଅନିଦ୍ରା ହୋଇଛି ବୋଲି କହିଛନ୍ତି ପ୍ରଭାତ ବିଶ୍ୱାଳ ।
ସୂଚନାଯୋଗ୍ୟ, ରାଜ୍ୟସଭା ନିର୍ବାଚନରେ ବିଜେଡିର କିଛି ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି । ସେମାନଙ୍କ ମଧ୍ୟରେ ବିଜେଡିରୁ ନିଲମ୍ବିତ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ମଧ୍ୟ ଅଛନ୍ତି। ସେମାନେ ଦଳର ସ୍ୱୀକୃତିପ୍ରାପ୍ତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ନାହାନ୍ତି। ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ସେମାନେ ଭୋଟ୍ ଦେଇଥିଲେ ବିଜେଡିର ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ବସ୍ତା ବିଧାୟିକା ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଓ ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ ଦଳୀୟ ସ୍ୱୀକୃତିପ୍ରାପ୍ତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ନାହାନ୍ତି ।