ପାଟଣା: ବିହାରର ରୋହତାସ ଜିଲ୍ଲାର ସାସାରାମ ରେଳ ଷ୍ଟେସନରେ ଏକ ଟ୍ରେନରେ ହଠାତ୍ ନିଆଁ ଲାଗିଯାଇଥିଲା।ଟ୍ରେନ୍ର ଏକ ଅଂଶ ହୁତୁହୁତୁ ହୋଇ ଜଳିବା ଆରମ୍ଭ କରିବା ଭୟଙ୍କର ଧୂଆଁ ବାହାରିବାକୁ ଲାଗିଥିଲା। ଯାହାକୁ ଦେଖି ଷ୍ଟେସନ୍ରେ ଉପସ୍ଥିତ ଯାତ୍ରୀ ଆତଙ୍କିତ ହୋଇପଡ଼ିଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ରେଳ ପ୍ରଶାସନ, ଆରପିଏଫ୍ ଏବଂ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ। ସମୟୋଚିତ ପଦକ୍ଷେପ ଯୋଗୁଁ ଏକ ବଡ଼ ରେଳ ଦୁର୍ଘଟଣା ଏଡାଇ ଦିଆଯାଇଥିଲା ବୋଲି କୁହାଯାଉଛି।
କୌଣସି ମୃତାହତଙ୍କ ରିପୋର୍ଟ ନାହିଁ
ସାସାରାମ ଆରପିଏଫ୍ ଇନ୍ସପେକ୍ଟର ସଞ୍ଜୀବ କୁମାର ଘଟଣା ନେଇ କହିଛନ୍ତି ଯେ ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ଆହତ ହୋଇ ନାହାଁନ୍ତି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା ଏବଂ ପରିସ୍ଥିତିକୁ ଶୀଘ୍ର ନିୟନ୍ତ୍ରଣ କରାଯାଇଥିଲା। ଘଟଣାସ୍ଥଳରେ ଥିବା ରେଳ କର୍ମଚାରୀମାନେ ତୁରନ୍ତ ଷ୍ଟେସନ୍ରେ ଲାଗିଥିବା ପାଣି ପାଇପ୍ ବ୍ୟବହାର କରି ନିଆଁ ଲିଭାଇବା ଆରମ୍ଭ କରିଥିଲେ।
ତେବେ ସନ୍ଦେହ କରାଯାଉଛି ଯେ ସର୍ଟ ସର୍କିଟ୍ କାରଣରୁ ଏହି ଅଗ୍ନିକାଣ୍ଡ ହୋଇଥାଇପାରେ। କିନ୍ତୁ ତଦନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ। ଘଟଣା ପରେ ଷ୍ଟେସନରେ ରେଳ ଚଳାଚଳ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା।