Latest Odisha News

BREAKING NEWS

କାହା ମୁଣ୍ଡରେ ପାଟକୁରା କଳସ ? ବିଜେପି-ବିଜେଡ଼ି ନା କଂଗ୍ରେସ !

କେନ୍ଦ୍ରାପଡ଼ା: ବହୁଚର୍ଚ୍ଚିତ ପାଟକୁରା ବିଧାନସଭା ଆସନର ଫଳାଫଳ ଘୋଷଣା ଆଜି ସକାଳ ୮ଟାରେ ଆରମ୍ଭ ହୋଇଛି । ରାଜ୍ୟ ରାଜନୀତିର ଜଣେ ଧୂରିଣ ରାଜନେତା ହେଲେ ବିଜୟ ମହାପାତ୍ର, ଏହି ବରିଷ୍ଠ ବିଜେପି ନେତାଙ୍କର ଭାଗ୍ୟ ପରୀକ୍ଷାର ଫଳାଫଳ ଘୋଷିତ ହେବ । ସେପଟେ ଶାସକ ଦଳର ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଏହି ନିର୍ବାଚନ ଜିତିବା ନିଶ୍ଚିତ ବୋଲି ବିଜେଡ଼ି ଆଶା ପ୍ରକାଶ କରିଛି । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ତାଙ୍କର ବିଜୟ ନେଇ ଆଶାବାଦୀ ରହିଛନ୍ତି । ତେବେ ନିର୍ବାଚନ ଫଳାଫଳ ଘୋଷଣାକୁ ସମସ୍ତଙ୍କ ପ୍ରତୀକ୍ଷା ।

ଆଜି ଏହି ନିର୍ବାଚନ ଫଳାଫଳ ଘୋଷଣା ଲାଗି ଆରମ୍ଭ ହୋଇଯାଇଛି ଭୋଟଗଣତି । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ପୂର୍ବରୁ କଡ଼ା ସୁରକ୍ଷା ମଧ୍ୟରେ ରହିଥିବା ଇଭିଏମ ଗୁଡ଼ିକୁ ଗଣତି ଲାଗି ପ୍ରସ୍ତୁତ କରାଯାଇଛି ।

ପାଟକୁରାରେ ଜୁଲାଇ ୨୦ରେ ଅନୁଷ୍ଠିତ ହୋଇଥିଲା ଭୋଟଗ୍ରହଣ । ଏଠାରେ ୭୨.୭୫ ପ୍ରତିଶତମତଦାନ ହୋଇଥିବା ଯୋଗୁଁ ଏଠାରେ ଫଳାଫଳ କ’ଣ ହେବ ସେନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲେ ମଧ୍ୟ ଗତ ଓଡ଼ିଶା ବିଧାନସଭା ନିର୍ବାଚନରେ ରେକର୍ଡ଼ ୭୩.୦୮ ପ୍ରତିଶତ ମତଦାନ ହୋଇଥିବା ସତ୍ୱେ ଶାସକ ବିଜେଡ଼ି ସର୍ବାଧିକ ୧୧୨ ଆସନ ହାସଲ କରିପାରିଥିଲା । ତେଣୁ ଫଳାଫଳ ଘୋଷିତ ନହେବା ପର୍ଯ୍ୟନ୍ତ ଏଠାରେ କିଏ ଜିତିବ କହିବା କଷ୍ଟକର ।

ଏହି ମହାବିଦ୍ୟାଳୟ ପରିସରରେ ପ୍ରାୟ ୧୮ଟି ଟେବୁଲରେ ୧୭ ରାଉଣ୍ଡ ବା ୧୭ଟି ପର୍ଯ୍ୟାୟରେ ଗଣତି ହେବ ।

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଗତ ୨୦୦୪, ୨୦୦୯ ଏବଂ ୨୦୧୪ ନିର୍ବାଚନରେ ପରାଜିତ ହୋଇଛନ୍ତି । ଏଥର ବିଜୟ ପାଟକୁରାରେ ବିଜେପି ପ୍ରାର୍ଥୀ ହେବା ପରେ ଘର ଘର ବୁଲି ନିଜେ ଜୋରସାର୍ ପ୍ରଚାର କରିଛନ୍ତି ।

ସେପଟେ ପୂର୍ବତନ ମନ୍ତ୍ରୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ପାଟକୁରାରୁ ଶାସକ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଭାବେ ଲଢୁଛନ୍ତି । ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତିମ ପର୍ଯ୍ୟାୟରେ ନିର୍ବାଚନ ପ୍ରଚାର କରିଥିଲେ । କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଜୟନ୍ତ ମହାନ୍ତି ମଧ୍ୟ ସମ୍ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀରେ ନିଜେ ପ୍ରଚାର କରିଛନ୍ତି ।

ଏହି ଭୋଟଗଣତି କେନ୍ଦ୍ରାପଡ଼ା ସ୍ୱୟଂଶାଶିତ ମହାବିଦ୍ୟାଳୟରେ ଆଜି ବୁଧବାର ସକାଳ ୮ଟା ବେଳେ ଅନୁଷ୍ଠିତ ହେବବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନାଦେଇ କହିଛନ୍ତି । “ଏହି ଭୋଟଗଣତି ୧୮ଟି ଟେବୁଲରେ ଏବଂ ଏହା ୧୭ଟି ରାଉଣ୍ଡରେ ଗଣତି ହୋଇ ସମାପ୍ତ ହେବ,” ବୋଲି କହିଛନ୍ତି ଜିଲ୍ଲାପାଳ ଶ୍ରୀ ବର୍ମା ।

ଏହି ଭୋଟଗଣତି ଲାଗି ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ଇଭିଏମକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଆବଶ୍ୟକୀୟ ପୋଲିସ କର୍ମୀଙ୍କୁ ଏଠାରେ ନିୟୋଜିତ କରାଯାଇଛି । ଏହାବ୍ୟତୀତ ଏହାର ଆଖପାଖରେ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ଗଣମାଧ୍ୟମକୁ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.