ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ ସମ୍ପର୍କରେ ଶଣାଣି ହୋଇଛି । ଏନେଇ କୋର୍ଟରେ ହାଜର ହୋଇଥିଲେ ଯୋଗଗୁରୁ ରାମଦେବ ବାବା ଓ ପତଞ୍ଜଳିର ମ୍ୟାନେଜିଂ ଡାଇରେକ୍ଟର ଆଚାର୍ଯ୍ୟ ବାଳକୃଷ୍ଣ । ଆଜି ଏହି ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ ବିଚାରପତି ହିମା କୋହଲି ଓ ଏ. ଅମାନୁଲ୍ଲାଙ୍କ ଖଣ୍ଡପୀଠ ।
ଏହା ପୂର୍ବରୁ କୋର୍ଟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ସାରିଛନ୍ତି ଉଭୟ ରାମଦେବ ଓ ବାଳକୃଷ୍ଣ । ମାତ୍ର ଏହାକୁ ଗ୍ରହଣ ନ କରି ଉଭୟଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ବିଚାରପତି ହିମା କୋହଲି ଓ ଏ ଅମାନୁଲ୍ଲାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ‘ଆମ ଆଦେଶକୁ ତିନି ଥର ଅଣଦେଖା କରିଛନ୍ତି । ଏହାର ପରିଣାମ ଏମାନଙ୍କୁ ଭୋଗିବାକୁ ପଡିବ । ତେଣୁ ଆମେ ଉଭୟଙ୍କ କ୍ଷମାକୁ ଗ୍ରହଣ କରିବୁ ନାହିଁ’।
ଜଷ୍ଟିସ ଅମାନୁଲ୍ଲା ପ୍ରଶ୍ନ କରିଛନ୍ତି ଯେ, କିଏ ଏହି ଆଫିଡେଭିଟ୍ ପ୍ରସ୍ତୁତ କରିଛି, ଆପଣଙ୍କ ତରଫରୁ ଦାୟର ହୋଇଥିବା ଆଫିଡେଭିଟରେ ଠକେଇ ହୋଇଛି । ଆମେ ଏହା ଦେଖି ଚକିତ ହୋଇ ଯାଉଛୁ । ଜଷ୍ଟିସ କୋହଲି କହିଛନ୍ତି ଯେ, ଆପଣଙ୍କ ତରଫରୁ ଏଭଳି ଆଫିଟେଭିଟ୍ ଦେବା ଉଚିତ୍ ନୁହଁ ।
ଏନେଇ ପତଞ୍ଜଳି ଓକିଲ କହିଛନ୍ତି ଆମର ତ୍ରୁଟି ହୋଇଛି, କିନ୍ତୁ ଆପଣଙ୍କର ଏଥିରେ ବିଶ୍ୱାସ ନ ଥିଲେ କ’ଣ କରିବାକୁ ପଡ଼ିବ କୁହନ୍ତୁ ବୋଲି ମୁକୁଲ ରୋହତୋଗୀ କହିଥିଲେ । ଏନେଇ ସୁପ୍ରିମକୋର୍ଟ କହିଲେ, ‘ତ୍ରୁଟି ହୋଇଗଲା’ ଖୁବ୍ ଛୋଟ ଶବ୍ଦ । ଜାଣିଶୁଣି କୋର୍ଟର ଅବମାନନା କରାଯାଇଛି । ଆମେ ଏହାକୁ ହାଲକା ଭାବେ ଗ୍ରହଣ କରି ପାରିବୁନାହିଁ । ଆମେ ଏହି ମାମଲାରେ ଅଧିକ ଉଦାର ହୋଇ ପାରିବୁନି । ଆମେ ଏହାକୁ ଗ୍ରହଣ କରୁନାହୁଁ କାରଣ ଏହା କେବଳ ଏକ କାଗଜ ଖଣ୍ଡ ।
Comments are closed.