ଚିଲିକା ପାଣିର ଡଙ୍ଗା, ମାଛ ଓ କବିତା- କବି ପଠାଣି ଘଡାଇ
କେଦାର ମିଶ୍ର
ତାଙ୍କ ଦେହର ରଙ୍ଗ ଠିକ ମାଟି ପରି। ତେଣୁ ତାଙ୍କ କବିତାରେ ମାଟିର ମହକ ଅଛି। ବୟସ ଗଡି ଗଲାଣି, ହେଲେ ଶରୀର ସବଳ ଅଛି। ସାମ୍ନାରୁ ଦାନ୍ତଟିଏ ପଡିଗଲାଣି ଓ ସେଇ ଖାଲି ଜାଗାଟି ତାଙ୍କ ମୁହଁକୁ ବେଶୀ ନିରୀହ କରିଦେଉଛି। ଦେହରେ କାଦୁଅ ଓ ମାଛର ମିଶାମିଶି ଏକ ଗନ୍ଧ। ହଁ, ସେ କବି ଓ କୈବର୍ତ୍ତ। ଚିଲିକା ପାଣିରେ ମାଛ ମାରିବା ତାଙ୍କର ବେଉସା। ଘର, ଚିଲିକା କୂଳର କାଳୁପଡା ଗାଁ। ହାଡଭଙ୍ଗା ଉପଚାର ଲାଗି ପ୍ରସିଦ୍ଧ କାଳୁପଡା ଗାଁରେ ହୃଦୟର ଉପଚାର ଜାଣିଥିବା ଜଣେ କବି ରହନ୍ତି ବୋଲି ଓଡିଆ ସାହିତ୍ୟର କେହି ଜାଣନ୍ତି ନାହିଁ।
ମୁଁ ମୋ ଜୀବନରେ ପ୍ରଥମଥର ଏମିତି ଜଣେ କବିଙ୍କୁ ଦେଖିଲି- ଯିଏ ପ୍ରବଳ ଦମ୍ଭର ସହିତ କହିଲେ- “କହିଲେ ଦେଖି, ମୁଁ ପରା ଚାଳିଶ ବର୍ଷ ହେଲା ଚିଲିକାକୁ ଦେଖିଛି, ତାର ରୂପ କଣ ମୋତେ ଅଛପା ଅଛି।” ଏ କବିଙ୍କର ମୁହଁ ଫିଟିଲେ କବିତା।
ଆଗରୁ ହଲଧର ନାଗଙ୍କୁ ଆମେ ଦେଖିଛୁ। ୟେ କବି ଠିକ ସେମିତି। ଶହ ଶହ କବିତା ସେ ଲେଖିଛନ୍ତି ଆଉ ସବୁ କବିତା ତାଙ୍କ ମୁହଁ ରେ ଅଛି। ଶବ୍ଦ ଚାତୁରୀ ଓ ଅର୍ଥନ୍ୟାସରେ ସେ ଉପେନ୍ଦ୍ର ଭଞ୍ଜଙ୍କ ଶିଷ୍ୟ, ହେଲେ କବିତାରେ ସରଳତା କିଛି କମ ନୁହେଁ। ଓଡିଶାର ମାଟି, ଚିଲିକାର ପାଣି ଓ ମାଛ, କାଳିଜାଇର ରହସ୍ୟ ଓ ସବୁରି ଉର୍ଦ୍ଧ୍ଵରେ ଓଡିଆ ସଂସ୍କୃତିର ଅପୂର୍ବ ରୂପ ଅଙ୍କନ କରୁଥିବା ଏ ଅନାମଧେୟ କବି ହେଉଛନ୍ତି ପଠାଣି ଘଡାଇ।
ତାଙ୍କର ୬ ଖଣ୍ଡ କାବ୍ୟ-କବିତା ପ୍ରକାଶିତ ହୋଇଛି। ଆହୁରି ୨୦ ରୁ ଅଧିକ ଅପ୍ରକାଶିତ ପାଣ୍ଡୁଲିପି ରହିଛି। କହିଲେ- “ଆମେ ମୂର୍ଖ ନିରକ୍ଷର ଲୋକ ଆଜ୍ଞା। କଣ ଗୋଟେ ଲେଖି ପକାଉଛି। ସେଥିରେ କିଏ କାହିଁକି ଆମକୁ କବିପଣରେ ଗଣିବ କହୁନାହାନ୍ତି!” ତାଙ୍କ ଭାଷାଟି ବଡ ମାର୍ଜିତ ଓ ବିଶୁଦ୍ଧ ଓଡିଆ। ଏମିତି ଓଡିଆ ଯାହାକୁ ଶୁଣିଲେ ମନ ପୂରିଯିବ। କବିତା ବି ସେମିତି। ଭାବ ଗମ୍ଭୀର ଓ ଶବ୍ଦ ଅଳଙ୍କାରରେ ସୁନ୍ଦର। କେହି କେହି କହିପାରନ୍ତି, ସେ ପ୍ରକାର କବିତା ଏବେ କଣ ଆଉ ଚଳିବ! ଯେଉଁ କବିତାରେ ପ୍ରାଣ ଅଛି, ସେ କବିତା ଯେମିତି ଲେଖାହେଲେ ବି, ସେ କବିତା ଇ ହେବ। ପଠାଣି ଘଡାଇଙ୍କ କବିତାରେ ଶବ୍ଦ ବସାଣର ଚାତୁରୀ ଅଛି, ତା ସହିତ ଭାବର ସ୍ଵାଭାବିକ ପ୍ରବାହ ମଧ୍ୟ ଅଛି।
କବିଙ୍କ ସହିତ ଆମର ଦେଖାହେଲା ବାଲୁଗାଁର ଏକ ସାହିତ୍ୟ ସଭାରେ। ସେ ସଭାରେ ତାଙ୍କୁ ସମ୍ବର୍ଦ୍ଧିତ କଲାପରେ ସେ ଯେଉଁ କିଛି ପଦ କଥା କହିଥିଲେ, ତାହା ଥିଲା ସାହିତ୍ୟରେ ବିଶୁଦ୍ଧ ହୃଦୟର ଉଚ୍ଚାରଣ। ତାଙ୍କୁ ସାଙ୍ଗରେ ନେଇ ଆମ ଗାଡିରେ ଟାଙ୍ଗୀରେ ଓହ୍ଲାଇଦେବାକୁ ଆମେ କହିଲୁ। ନାଇଁ ନାଇଁ ହୋଇ ସେ ବସିଲେ। ଗୋଟେ ପଟେ କବି ଭାରତ ମାଝୀ, ଗୋଟେ ପଟେ ମୁଁ ଓ ମଝିରେ କବି ପଠାଣି ଘଡାଇ। ସାମ୍ନାରେ କଥାକାର ଜ୍ୟୋତି ନନ୍ଦ। ବାଲୁଗାଁ ଛାଡୁ ଛାଡୁ ମୁଁ କହିଲି- ମଉସା, କବିତା କିଛି ହେଇଯାଉ! ବାସ, ଆରମ୍ଭ ହୋଇଗଲା କବିତାର ବର୍ଷା। ଅନର୍ଗଳ କବିତାର ଗାୟନ। ସେଥିରୁ ଦି ପଦ ଶୁଣନ୍ତୁ-
ଜଗତ ନାଥ ହେ ରଥ ପଥ ସଜ ହେଲେଣି
ଭକ୍ତ ମୁକ୍ତ ହୃଦୟରେ ଲୟରେ ନାଚିଲେଣି ।
ଜୟ ଜଗନ୍ନାଥ ସ୍ଵାମୀ ମୋ ନୟନ ପଥଗାମୀ
ଭବ ତୁମେ ଭବ ତୁମେ ଭକ୍ତେ ଘୋଷି ହେଲେଣି।
ମାଉସୀ ଘରକୁ ଯିବେ ମାଉସୀ ଆଉଁସି ଦେବେ
ପାଉଁଶିଆ ପୋଡପିଠା ଖାଇବେ ନୀଳାଦ୍ରି ମଣି।
ପ୍ରାୟ କୋଡିଏ ମିନିଟର ଏକ ଦୀର୍ଘ କବିତା। ଲାଗୁଛି, ଏକ ପାରମ୍ପରିକ ଭଜନ ମାତ୍ର। ଅଥଚ ଭିତରକୁ ଭିତରକୁ ଗଲେ ଲାଗୁଛି, ରଥଯାତ୍ରାରେ ସାରା ଜଗତର ମଣିଷଙ୍କୁ କବି ଏକାଠି ଭେଟୁଛନ୍ତି। ରଥଯାତ୍ରା ଜଗନ୍ନାଥଙ୍କ ଯାତ୍ରା କେବଳ ନୁହଁ, ସେ ମହାମାନବର ବୈଚିତ୍ର୍ୟ ଯାତ୍ରା। କବି ବିଭିନ୍ନ ରାଜ୍ୟର ଭକ୍ତଙ୍କୁ ଭେଟୁଛନ୍ତି। ସବୁ ଭକ୍ତଙ୍କ ହାବଭାବ, ସେମାନଙ୍କ ଭୌଗୋଳିକ ଓ ସାଂସ୍କୃତିକ ଜୀବନର କାହାଣୀ ସେ କହୁଛନ୍ତି। କିଏ ଆସିଛି ଧନୁଷ୍କୋଟିରୁ, କିଏ କାମରୂପ ବା କାଞ୍ଚନଜଙ୍ଘାରୁ, କିଏ ବା ଆସିଛି କାଶୀ ବା କାଶ୍ମୀରରୁ, ଆଉ କେହି ଆସିଛନ୍ତି ଦରିଆ ସେ ପାରିରୁ- ସବୁ ଭକ୍ତଙ୍କ ଆବେଗପୂର୍ଣ୍ଣ ବର୍ଣ୍ଣନା କଲାବେଳେ ଗୋଟେ ମହାଭାରତୀୟ-ମହାମାନବୀୟ ଚିତ୍ର କବି ଆଙ୍କିଦେଉଛନ୍ତି। କୌଣସି ଜଗନ୍ନାଥ ଜଣାଣରେ ଏତେ ବଡ ଗୋଟେ କାନଭାସ ଆମେ ଆଗରୁ ଆଉ କେଉଁ କବିଙ୍କ କବିତାରେ ଦେଖିଛେ କି?
ପଠାଣି ଘଡେଇଙ୍କର ଗୋଟେ ପ୍ରିୟ କାବ୍ୟ ହେଉଛି କାଳିଜାଇ। ଚିଲିକାର ମଣିଷ, ତେଣୁ କାଳିଜାଇଙ୍କୁ ଛାଡି କବିତା ହେବ କେମିତି? କହିଲେ- ମୋ ମାଟିର କବି ଗୋଦାବରୀଶ ମିଶ୍ର ମୋର ଗୁରୁ। ସେ କାଳିଜାଇ ଲେଖିଥିଲେ। ମୁଁ ମୋ କାଳିଜାଇ ଲେଖିଲି। ହେଲେ ମୋ କାଳିଯାଇର ଆରମ୍ଭରେ ମୁଁ କବିଗୁରୁ ଗୋଦାବରୀଶଙ୍କୁ ବନ୍ଦନା କରିଛି। କେତେ କାବ୍ୟ, କେତେ କବିତା, କେତେ ଛନ୍ଦ, କେତେ ଅଳଙ୍କାର ଓ ଭାବ- ତାରି ଭିତରେ ଏକାକୀ କବି ପଠାଣି ଘଡାଇ। ଦି ପୁଅ, ଦି ଝିଅ ସମସ୍ତେ ରହନ୍ତି ବାହାରେ। ଘରେ ବୁଢା ବୁଢୀ ଦି ପ୍ରାଣୀ। ମୁଁ ଟିକେ ଥଟ୍ଟା କରି ପଚାରିଥିଲି- ମଉସା, ମାଉସୀଙ୍କୁ ନେଇ କିଛି କବିତା ଲେଖି ନାହାନ୍ତି। ଚଟାପଟ ଉତ୍ତର ଆସିଲା- ଲେଖିଛି ନା, ଶୁଣିବା ହୁଅନ୍ତୁ।
କୋଡିଏ ମିନିଟର ରାସ୍ତାରେ ଗୋଟେ ଜୀବନକାଳର ଅନୁଭବ ଦେଇଗଲେ କବି ପଠାଣି ଘଡାଇ। ଏ କବିଙ୍କୁ ଆମେ ପୁରୁଣାକାଳିଆ-ପାରମ୍ପରିକ ବୋଲି କହି ଯଦି ଆଡେଇ ଯାଉ- ସେ ଗୋଟେ ବଡ ପାପ ହେବ। ଏ କବିଙ୍କୁ ଖୋଜି ଖୋଜି ଆହୁରି ପଢିବା, ତାଙ୍କ ଲେଖା ଅଧିକରୁ ଅଧିକ ଛପା ହେବା ଓ କବି ବୋଲି ତାଙ୍କୁ ମୁଣ୍ଡିଆ ମାରିବା, ଆମର ଗୋଟେ ଦାୟିତ୍ଵ ହେବା ଉଚିତ।
Comments are closed.