Latest Odisha News

BREAKING NEWS

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ରୋଗୀ

ନୁଆପଡା: ପୁଣି ସାମ୍ନାକୁ ଆସିଲା ବିକାଶର ନଗ୍ନ ଚିତ୍ର । ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୁଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଘରଧରା ଗ୍ରାମର ଢବାପଡ଼ାରେ ।

ଖବର ଅନୁସାରେ, ଗତକାଲି ରାତିରେ ପଡ଼ାର ୮୫ ବର୍ଷ ବୟସ୍କା ଲକ୍ଷ୍ମୀ ରଣା  ପଡ଼ି ଯିବାରୁ ତାଙ୍କର ଗୋଡ ଭାଙ୍ଗି ଯାଇଥିଲା । ପ୍ରବଳ ବର୍ଷା ସାଙ୍ଗକୁ ଗମନାଗମନର କୌଣସି ସୁବିଧା ନଥିବାରୁ ତାଙ୍କୁ ରାତ୍ରୀରେ ଡାକ୍ତରଖାନା ଅଣାଯାଇ ପାରିନଥିଲା। ଆଜି ସକାଳୁ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ପରିବା ଲୋକ । ମାତ୍ର ଆମ୍ବୁଲାନ୍ସ ଆସି ମଧ୍ୟ ରାସ୍ତା ଖରାପ ହେତୁ ପଡ଼ା ଭିତରକୁ ଯାଇ ପାରିନଥିଲା । ତେଣୁ ଖଟିଆରେ ଶୁଆଇ ବୃଦ୍ଧାଙ୍କୁ ଘରଧରା ପର୍ଯ୍ୟନ୍ତ ଅଣା ଯାଇଥିଲା ଓ ସେଠାରୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟକୁ ନିଆ ଯାଇଥିଲା।

ରାସ୍ତା ସମସ୍ୟା ନେଇ ପଡ଼ାବାସୀ ଅନେକ ଥର ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ ପ୍ରତିଶୃତି ଛଡ଼ା ଆଜି ପର୍ଯ୍ୟନ୍ତ ଆଉ କିଛି ମିଳିନାହିଁ। ଏନେଇ ଖଡ଼ିଆଳ ବିଡ଼ିଓ ବିରସେନ୍ ବେହେରାଙ୍କୁ ପଚାରିବାରୁ କାମ ଚାଲୁଥିଲା ଏବେ ବନ୍ଦ ରହିଛି ଅତିଶିଘ୍ର ରାସ୍ତା କାର୍ଯ୍ୟ ସରିଯିବ ବୋଲି କହିଥିଲେ।

ସୂଚନାଯୋଗ୍ୟ, ଜିଲ୍ଲାର ଅଧିକାଂଶ ଦୁର୍ଗମ ଗ୍ରାମକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ। ଫଳରେ ଗୁରୁତର ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ବାଧ୍ୟହୋଇ ଭାର ଅଥବା ଖଟିଆରେ ବୋହି ଡାକ୍ତରଖାନାକୁ ନିଆଯାଉଛି। ଏଣୁ ଜିଲ୍ଲା ପ୍ରଶାସନ ଦୁର୍ଗମ ଅଞ୍ଚଳରେ ରାସ୍ତା ନିର୍ମାଣ ପ୍ରତି ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି। ଏବେ ପ୍ରଶ୍ନ ଉଠୁଛି ଯେ ସ୍ଵାଧୀନତାର ୭୭ ବର୍ଷ ପରେ ମଧ୍ୟ ଖଡ଼ିଆଳ ବ୍ଲକ ଭଳି ଏକ ସ୍ଥାନରେ ରାସ୍ତା ପାଇଁ ଲୋକେ ଏଭଳି ସମସ୍ୟା ଭୋଗୁଛନ୍ତି, ତେବେ ଉପାନ୍ତ ଅଞ୍ଚଳରେ ସ୍ଥିତି କେମିତି ଥିବ ତାହା ଆପଣ ଅନୁମାନ କରିପାରୁଥିବେ ।

Leave A Reply

Your email address will not be published.