ଭୁବନେଶ୍ୱର: ଏଣିକି ଔଷଧ ଦୋକାନରେ ଦେଇ ହେବନି ଇଞ୍ଜେକ୍ସନ। ଔଷଧ ଦୋକାନୀଙ୍କୁ ଏହି ଅଭ୍ୟାସ ବନ୍ଦ କରିବାକୁ କୁହାଯାଇଛି। ଧରାପଡ଼ିଲେ ଦୋକାନୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଏହି ମର୍ମରେ ସବୁ ସିଡିଏମ୍ଓଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳୟ। ଔଷଧ ଦୋକାନରେ ରୋଗୀ ଇଞ୍ଜେକ୍ସନ ଫୋଡ଼ିବାକୁ ଅନୁରୋଧ କଲେ ମଧ୍ୟ ଦୋକାନୀଙ୍କୁ ଏପରି ନକରିବାକୁ ବାରଣ କରାଯାଇଛି।
ଚିଠିରେ କୁହାଯାଇଛି, ଅଣତାଲିମପ୍ରାପ୍ତ ଓ ନନ୍ ପ୍ରାକ୍ଟିସନରମାନେ ରୋଗୀଙ୍କୁ ଇଞ୍ଜେକ୍ସନ ଫୋଡ଼ୁଥିବା ନେଇ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ଆସୁଛି। ଏହି କାରଣରୁ କିଛି ମାମଲାରେ ରୋଗୀଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ କିଛି ସ୍ଥାନରେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତି ରୋକିବାକୁ ନିୟମିତ ସମୟ ବ୍ୟବଧାନରେ ଘରୋଇ ମେଡିସିନ୍ ଷ୍ଟୋରଗୁଡ଼ିକର ଲାଇସେନ୍ସ ଅପ୍-ଟୁ-ଡେଟ୍ ଅଛି କି ନାହିଁ, ତାହା ଯାଞ୍ଚ ପାଇଁ ସବୁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହା ସତ୍ତ୍ୱେ ଯଦି ଆଗକୁ ଏ ନେଇ କୌଣସି ଅଭିଯୋଗ ଆସେ, ତାହେଲେ ରାଜ୍ୟ ଭେଷଜ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଔଷଧ ଦୋକାନଗୁଡିକରେ ଯାଞ୍ଚ କରାଯିବା ସହ ଏହାର ରିପୋର୍ଟ ସ୍ବାସ୍ଥ୍ୟ ବିଭାଗକୁ ପଠାଇବାକୁ କୁହାଯାଇଛି ।
Comments are closed.