Latest Odisha News

BREAKING NEWS

ପାଟପୁର ଥାନାକୁ ଦେଶର ଶ୍ରେଷ୍ଠ ଥାନା ଭାବରେ ପୁରସ୍କୃତ କରିବେ ଗୃହମନ୍ତ୍ରୀ

ଗଞ୍ଜାମ :  ପାଟପୁର ଥାନାକୁ ମିଳିବ ଦେଶରେ ଶ୍ରେଷ୍ଠ ଥାନା ପୁରସ୍କାର। ୨୦୨୪ ପାଇଁ ଦେଶର ୩ ଟି ସର୍ବୋତ୍ତମ ଥାନା ଚୟନ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ତେବେ ଗଞ୍ଜାମ ଜିଲ୍ଲାର ପାଟପୁର ଥାନାକୁ ମିଳିବ ଶ୍ରେଷ୍ଠ ଥାନା ପୁରସ୍କାର। ନଭେମ୍ବର ୨୯ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପାଟପୁର ଥାନାଧିକାରୀଙ୍କୁ ପୁରସ୍କୃତ କରିବେ।

ଏମଏଚଏ ଇଣ୍ଟେଲିଜେନ୍ସ ବ୍ୟୁରୋର ଯୁଗ୍ମ ନିର୍ଦ୍ଦେଶକ ତଥା ସମ୍ମିଳନୀ ସଚିବ ସମୀର ଏସ୍ ଏହି ସୂଚନା ଦେଇଛନ୍ତି। ସେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆଙ୍କୁ ଏକ ଚିଠି ଲେଖି ଦେଶର ଶ୍ରେଷ୍ଠ ଥାନା ମଧ୍ୟରେ ପାଟପୁର ଥାନାକୁ ମନୋନୀତ କରାଯାଇଥିବା ସୂଚନା ଦେଇଛନ୍ତି। ସୂଚନା ପାଇବା ପରେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଖୁସି ବ୍ୟକ୍ତ କରିବା ସହିତ, କର୍ମଚାରୀଙ୍କ ଦଳଗତ କାର୍ଯ୍ୟ କାରଣରୁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି।

ସୂଚନା ଅନୁସାରେ, ସାରା ଦେଶରେ ଶ୍ରେଷ୍ଠ ଥାନା ଚୟନ କରି ସେଗୁଡ଼ିକୁ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ପ୍ରତିବର୍ଷ ପୁରସ୍କୃତ କରିଥାଏ। ଅପରାଧ ହାର, ମାମଲାର ତଦନ୍ତ, ମାମଲା ଫଇସଲା, ଭିତ୍ତିଭୂମି ଓ ଜନସେବା ପରି ୧୫୦ରୁ ଅଧିକ ବିଭିନ୍ନ ପାରାମିଟର ଆଧାରରେ ଶ୍ରେଷ୍ଠ ଥାନା ବଛା ଯାଇଥାଏ। ଗୋଟିଏ ଥାନା ପାଇଥିବା ମାନ୍ୟତାର ପ୍ରାୟ ୨୦ ପ୍ରତିଶତ ମାର୍କ ନାଗରିକଙ୍କ ମତାମତ ଉପରେ ଆଧାରିତ ହୋଇଥାଏ। ପୋଲିସର ଗୁଣବତ୍ତା ବୃଦ୍ଧି କରିବା ଏବଂ ଥାନାକୁ ଲୋକଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ କରାଇବା ଏହାର ମୂଳ ଉଦ୍ଦେଶ୍ୟ।

ପାଟପୁର ଥାନାର ବିଭିନ୍ନ ମାନଦଣ୍ଡ ଆକଳନ କରିବା ପାଇଁ ଗୃହ ମନ୍ତ୍ରାଳୟର ଏକ ଦଳ ଗତ ସେପ୍ଟେମ୍ବର ୨୮ ତାରିଖରେ ୧୧୩ ବର୍ଷ ପୁରୁଣା ପାଟପୁର ଥାନା ପରିଦର୍ଶନ କରିଥିଲେ। ଏହି ସମୟରେ ଟିମ୍ କାର୍ଯ୍ୟରତ ପୁଲିସଙ୍କ କାର୍ଯ୍ୟକାରିତା ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ନେଇଥିଲା। ବିଭିନ୍ନ ମାନଦଣ୍ଡକୁ  ଆଧାର କରି ଉକ୍ତ ଥାନାକୁ ଦେଶର ଶ୍ରେଷ୍ଠ ଥାନା ଭାବେ ବିବେଚିତ କରାଯାଇଛି।

Leave A Reply

Your email address will not be published.