Latest Odisha News

BREAKING NEWS

ହେପାଜତରେ ଲିପଷ୍ଟିକ ଓ ମେକ୍ଅପରେ ନଜର ଆସିଲେ ଅଭିନେତ୍ରୀ ପବିତ୍ରା, ପୋଲିସଙ୍କୁ ମିଳିଲା ନୋଟିସ୍

ବେଙ୍ଗାଲୁରୁ: ନ୍ୟାୟିକ ହେପାଜତରେ ଥାଇ ମଧ୍ୟ ମେକ୍ଅପ୍ ଓ ଲିପଷ୍ଟିକ ଲଗାଇଥିବାର ନଜର ଆସିଲେ ଅଭିନେତା ଦର୍ଶନଙ୍କ ପ୍ରେମିକା ପବିତ୍ରା ଗୌଡ । ପ୍ରଶ୍ନ କଲେ ବରିଷ୍ଠ କର୍ଣ୍ଣାଟକ ପୋଲିସ । କାର୍ଯ୍ୟରତ ପୋଲିସଙ୍କୁ ଜାରି ହେଲା ନୋଟିସ୍, ଦର୍ଶାନ୍ତୁ ହେପାଜତରେ ଥାଇ ମଧ୍ୟ ପବିତ୍ରା ଗୌଡଙ୍କୁ ମେକଅପ ଲଗାଇବା ପାଇଁ ଅନୁମତି କିଏ ଦେଲା? ଏନେଇ କର୍ଣ୍ଣାଟକ ପୋଲିସ୍ ଜଣେ ମହିଳା ଏସଆଇଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

ତେବେ ରେଣୁକା ସ୍ବାମୀଙ୍କ ହତ୍ୟା ମାମଲାରେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି କନ୍ନଡ ଅଭିନେତା ଦର୍ଶନ ଥୋଗୁଦୀପାଙ୍କ ପ୍ରେମିକା ତଥା ଅଭିନେତ୍ରୀ ପବିତ୍ରା ଗୌଡ ।  ତେବେ ଗତ ଜୁନ୍ ୧୬ରେ ପବିତ୍ରାଙ୍କୁ ଉକ୍ତ ହତ୍ୟାକାଣ୍ଡରେ କିଛି ଦୃଶ୍ୟ ରେକର୍ଡ ପାଇଁ ବେଙ୍ଗାଲୁରୁ ରାଜରାଜେସ୍ବରୀନଗର ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା । ଯେଉଁଥିରେ କି କାର୍ଯ୍ୟରତ ପୋଲିସଙ୍କ ସହ ଘରୁ ବାହରକୁ ଆସିବା ବେଳେ ପୂରା ଫୁଲଅନ୍ ମେକଅପରେ ନଜର ଆସିଥିଲେ ପବିତ୍ରା । ଖାଲି ସେତିକି ନୁହେଁ ସେ ଅତ୍ୟନ୍ତ ଖୁସି ମଧ୍ୟ ନଜର ଆସିଥିଲେ । ଯାହା ହତ୍ୟାକାଣ୍ଡରେ ତାଙ୍କୁ କୌଣସି ଅନୁତାପ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଥିଲା ।

ତେବେ ଏହାକୁ ନେଇ ସେପଟେ ଖପ୍ପା ହୋଇଛନ୍ତି ବରିଷ୍ଠ କର୍ଣ୍ଣାଟକ ପୋଲିସ୍ । ଜଣେ ଅଭିଯୁକ୍ତ ହୋଇ ମଧ୍ୟ ତାଙ୍କୁ ମେକଅପ ଲଗାଇବାକୁ ଅନୁମତି କିଏ ଦେଲା ବୋଲି ପ୍ରଶ୍ନ କରି ଘଟଣାସ୍ଥଳରେ ଥିବା କାର୍ଯ୍ୟରତ ମହିଳା ପୋଲିସ୍ କର୍ମଚାରୀ ବିଜୟାନକରଙ୍କୁ ଏନେଇ ନୋଟିସ୍ ଜାରି କରିଛନ୍ତି କର୍ଣ୍ଣାଟକ ଡିସିପି(ଦକ୍ଷିଣ) ଏସ ଗିରିଶ ।

ସେପଟେ ଏହାକୁ ନେଇ ଉକ୍ତ ମହିଳା ପୋଲିସ ଜଣଙ୍କ ବରିଷ୍ଠ ପୋଲିସଙ୍କୁ ଉତ୍ତର ଦେଇ କହିଛନ୍ତି, ପବିତ୍ରା ତାଙ୍କ ଠାରୁ ଅନୁମତି ନେଇ କିଛି ସମୟ ପାଇଁ ୱାଶରୁମ୍ ଯାଇଥିଲେ, ସେହି ସମୟରେ ସେ ମେକଅପ ଲଗାଇଥାଇପାରନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ମହିଳା ଗୃହରେ ଥିବା ବେଳେ ତାଙ୍କ ପାଖରେ ମେକଅପ କିଟ୍ ରହିଥିଲା । ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ସୂଚନାଯୋଗ୍ୟ, ଅଭିନେତ୍ରୀ ପବିତ୍ରା ଗୌଡଙ୍କ ସହ ନିଜର ଅନୈତିକ ସମ୍ପର୍କ ଲୁଚାଇବା ପାଇଁ ଦର୍ଶନ ତାଙ୍କର ଜଣେ ପ୍ରଶଂସକଙ୍କ ହତ୍ୟା କରିଛନ୍ତି । ମୃତକ ରେଣୁକା ସ୍ବାମୀ ଯିଏକି ଦର୍ଶନଙ୍କ ଜଣେ ଫ୍ୟାନ୍ସ, ପବିତ୍ରାଙ୍କୁ ଗାଳି କରି ସୋସିଆଲ ମିଡିଆରେ ମେସେଜ କରୁଥିଲେ। ଦର୍ଶନଙ୍କଠୁ ଦୂରେଇ ରହିବାକୁ ଧମକ ବି ଦେଉଥିଲେ । ଯାହା ଜାଣିବା ପରେ ଦର୍ଶନ ନିଜ ଫ୍ୟାନ ଆସୋସିଏସନର ୯ଜଣ ଯୁବକଙ୍କୁ ସୁପାରୀ ଦେଇ ରେଣୁକା ସ୍ୱାମୀଙ୍କୁ ହତ୍ୟା କରିବାକୁ କହିଥିଲେ। ଜୁନ୍ ୮ ରେ ରେଣୁକାଙ୍କୁ ବେଙ୍ଗାଲୁରୁରୁ ଅପହରଣ କରିନେଇ ନିଜର ଫାର୍ମହାଉସରେ ନିସ୍ତୁକ ମାଡ଼ ମାରିଥିଲେ । ଯେଉଥିରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହି ଘଟଣାରେ ଜୁନ୍ ୧୧ରେ ପ୍ରଥମେ ମହିଶୂରର ଏକ ହୋଟେଲରୁ ଦର୍ଶନଙ୍କୁ ଗିରଫ କରିଥିବା ବେଳେ ପରେ ତାଙ୍କ ବାନ୍ଧବୀ ଅଭିନେତ୍ରୀ ପବିତ୍ରା ଗୌଡଙ୍କୁ ଗିରଫ କରିଥିଲା ପୋଲିସ୍ । ତେବେ ଜୁଲାଇ ୪ ପର୍ଯ୍ୟନ୍ତ ଦର୍ଶନଙ୍କୁ ନ୍ୟାୟିକ ହେପାଜତରେ ରଖାଯାଇଛି ।

Leave A Reply

Your email address will not be published.