ନୂଆଦିଲ୍ଲୀ: ପାକିସ୍ତାନରେ ଚାଲିଥିବା ଦିନିକିଆ ଟ୍ରାଇ-ସିରିଜ ମଧ୍ୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏକ ବଡ଼ ଏବଂ ବିବାଦୀୟ ନିଷ୍ପତ୍ତି ନେଇଛି । ପିସିବି ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଦିଗ୍ଗଜ କମେଣ୍ଟେଟର୍ ନାସିର ହୁସେନ୍ ଏବଂ ମାଇକେଲ ଆର୍ଥଟନଙ୍କୁ ସରକାରୀ କମେଣ୍ଟ୍ରି ପ୍ୟାନେଲରୁ ବାଦ୍ ଦେଇଛି । ଏହି ସମଗ୍ର ବିବାଦର ମୂଳ କାରଣ ହେଉଛି ଇଂଲଣ୍ଡର ଲର୍ଡସ୍ ଟେଷ୍ଟ ସମୟରେ ପ୍ରସାରିତ ଏକ ସାକ୍ଷାତକାର । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ୧୯୯୨ ବିଶ୍ୱକପ୍ ବିଜେତା ଅଧିନାୟକ ଇମ୍ରାନ ଖାନଙ୍କ ଦୁଇ ପୁଅ କାସିମ ଏବଂ ସୁଲେମାନ ଖାନଙ୍କ ଏକ ସାକ୍ଷାତକାର ସ୍କାଏ ସ୍ପୋର୍ଟସରେ ଅନ୍-ଏୟାର ହୋଇଥିଲା । ଏହି ଚର୍ଚ୍ଚିତ ସାକ୍ଷାତକାରଟିକୁ ମାଇକେଲ ଆର୍ଥଟନ ନିଜେ ନେଇଥିଲେ, ଯାହାକୁ ନେଇ ପିସିବି ଏବଂ ପାକିସ୍ତାନ ସରକାର ଅତ୍ୟନ୍ତ କ୍ରୋଧିତ ଥିଲେ । ଏହି ସାକ୍ଷାତକାରରେ ଇମ୍ରାନ ଖାନଙ୍କ ପୁଅମାନେ ଜେଲରେ ଥିବା ସେମାନଙ୍କ ପିତାଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ନେଇ ଗମ୍ଭୀର ଅଭିଯୋଗ କରିଥିଲେ ।
ସେମାନେ ଅଭିଯୋଗ କରିଥିଲେ ଯେ ପ୍ରଶାସନ ଏକାନ୍ତବାସ ଏବଂ ଅବହେଳା ମାଧ୍ୟମରେ ତାଙ୍କ ଜୀବନ ନେବାକୁ ଚେଷ୍ଟା କରୁଛି । ଇମ୍ରାନ ଖାନଙ୍କୁ ଦିନର ୨୩ ଘଣ୍ଟାରୁ ଅଧିକ ସମୟ ଏକ ଛୋଟ କୋଠରୀରେ ଏକା ରଖାଯାଉଥିବା ମଧ୍ୟ କୁହାଯାଇଥିଲା । ଏହି ସାକ୍ଷାତକାର ପ୍ରସାରଣ ପରେ ପିସିବି କଡ଼ା ପ୍ରତିବାଦ କରିଥିଲା ଏବଂ ପ୍ରସାରକ ସ୍କାଏ ସ୍ପୋର୍ଟସ୍ ବିରୋଧରେ ଅଫିସିଆଲ୍ ଅଭିଯୋଗ ମଧ୍ୟ ଦାଖଲ କରିଥିଲା । ପାକିସ୍ତାନର ସରକାରୀ ଚ୍ୟାନେଲ୍ ପିଟିଭି ମଧ୍ୟ ଏହାର ପ୍ରସାରଣକୁ ଦେଶରେ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲା । ଶେଷରେ, ଏହି ସବୁ ବିବାଦର ପ୍ରଭାବ ସ୍ୱରୂପ ପିସିବି ଏହାର ଅଫିସିଆଲ୍ ୬ ଜଣିଆ କମେଣ୍ଟ୍ରି ଟିମ ନାସିର ହୁସେନ୍ ଏବଂ ମାଇକେଲଙ୍କ ନାମ ବାଦ୍ ଦେଇଛି, ଯାହା ବର୍ତ୍ତମାନ କ୍ରିକେଟ୍ ଜଗତରେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ।

