Latest Odisha News

BREAKING NEWS

କେନ୍ଦ୍ରାପଡା ତରାସ ପଞ୍ଚାୟତରେ ପିଡିଏସ ଚାଉଳ ଯୋଗାଣରେ ଦୁର୍ନୀତି ଅଭିଯୋଗ

କେନ୍ଦ୍ରାପଡା: ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପିଡିଏସ ଚାଉଳ ବଣ୍ଟନରେ ଦୁର୍ନୀତି ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ତରାସ ପଞ୍ଚାୟତରେ ଥିବା ସମବାୟ ସମିତି କାର୍ଯ୍ୟାଳୟ ଘେରାଉ କଲେ 6ଟି ଓ୍ୱାର୍ଡର ଶତାଧିକ ହିତାଧିକାରୀ। ସମ୍ପୃକ୍ତ ଡିଲର ଦୁଇ ମାସର ପିଡିଏସ୍ ଚାଉଳ ଆତ୍ମସାତ୍ କରିଥିବା ହିତାଧିକାରୀମାନେ ଅଭିଯୋଗ କରି ଘେରାଉ କରିଛନ୍ତି। ଡିଲର ହେଉଛନ୍ତି ତରାସ ପଞ୍ଚାୟତ ସମିତିର ସମ୍ପାଦକ।

BjdElectrycity

ତରାସ ପଞ୍ଚାୟତର ୬ଟି ୱାର୍ଡରେ ମୋଟ୍ ୩୫୫ ଜଣ ରାସନ କାର୍ଡଧାରୀ ରହିଥିବା ବେଳେ ହିତାଧିକାରୀ ସଂଖ୍ଯା ୧୨ ଶହ ୪୮ ଜଣ। ଫେବୃଆରୀ ଓ ମାର୍ଚ୍ଚ ମାସରେ ୬୯୦ କୁଇଣ୍ଟାଲ ଲେଖାଏଁ ଚାଉଳ ଉଠାଯାଇଛି। ହେଲେ ସମସ୍ତ ଚାଉଳକୁ ହିତାଧିକାରୀଙ୍କୁ ନଦେଇ ତରାସ ସମବାୟ ସମିତି ସମ୍ପାଦକ ହଡପ କରିଥିବା ଅଭିଯୋଗ ହୋଇଛି।

ଅନିୟମିତା ଅଭିଯୋଗରେ ସଂପୃକ୍ତ ପିଡିଏସ ଡିଲରଙ୍କୁ ପୂର୍ବରୁ ନିଲମ୍ବନ କରାଯାଇଥିଲା। ସେ କିନ୍ତୁ 25 ତାରିଖରେ ଚାଉଳ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏବେ ଅନେକ ମାସ ହେଲା କିନ୍ତୁ ହିତାଧୀକାରୀ ଚାଉଳ ପାଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ପ୍ରଶାସନ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବା ସ୍ଥାନୀୟ ବାସିନ୍ଦା ଶରତ ବାରିକ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାସନିକ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଏଭଳି ଖାମଖିଆଲି ମନୋଭାବକୁ ବିରୋଧ କରି ହିତାଧିକାରୀମାନେ ଦୁଇ ଘଣ୍ଟା କାଳ ସମବାୟ ସମିତି କାର୍ଯ୍ୟାଳୟ ଘେରାଉ କରିଥିଲେ।

ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ କହିଛନ୍ତି ଯେ, ଖବର ପାଇବା ପରେ ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ତଦନ୍ତ କରିଥିଲା ଏବଂ ଡିଲରଙ୍କ ପାଖରେ କମ୍ ଷ୍ଟକ୍ ଥିବା ଜଣାପଡ଼ିଥିଲା ତେଣୁ ଲୋକମାନେ ଚାଉଳ ପାଇନାହାନ୍ତି। ତାଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ଡିଲରଙ୍କୁ ଚାଉଳ ଯୋଗାଇ ଦେବାକୁ କୁହାଯାଇଥିଲା।

ଦୁଇ ମାସ ହେଲା ହିତାଧିକାରୀଙ୍କୁ ଚାଉଳ ମିଳିନଥିବା ପ୍ରମାଣିତ ହୋଇଥିବା ଗନ୍ତାୟତ ସ୍ୱୀକାର କରିବା ସହ ରିପୋର୍ଟ ମିଳିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Leave A Reply

Your email address will not be published.