Latest Odisha News

BREAKING NEWS

ଉପଯୁକ୍ତ ଚିକିତ୍ସା ଓ ସଚେତନତା ଦ୍ବାରା ଶିଶୁମାନେ କର୍କଟ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇପାରିବେ

ଭୁବନେଶ୍ବର : ଶିଶୁଙ୍କ କ୍ଷେତ୍ରରେ କର୍କଟ ରୋଗର ଚିକିତ୍ସା କଷ୍ଟକର ହୋଇପାରେ, କିନ୍ତୁ ନିରାଶାଜନକ ନୁହେଁ । ସଠିକ ସମୟରେ ଲକ୍ଷଣ ଚିହ୍ନଟ, ଉପଯୁକ୍ତ ଚିକିତ୍ସା ଓ ପିତାମାତାଙ୍କ ଧର୍ଯ୍ୟ ରହିଲେ ଶିଶୁଙ୍କୁ କର୍କଟ ରୋଗରୁ ଆରୋଗ୍ୟ ମିଳିପାରିବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମଏସ ଓ ସମ ହସ୍ପିଟାଲ ଏବଂ ଇଣ୍ଡିଆନ ଆସୋସିଏସନ ଅଫ ପେଡିଆଟ୍ରିକ୍ସ (ଓଡ଼ିଶା ଶାଖା)ର ମିଳିତ ସହଯୋଗରେ ଆୟୋଜିତ ପେଡିଆଟ୍ରିକ ହେମାଟୋଲୋଜି ଆଣ୍ଡ ଅଙ୍କୋଲୋଜି ମିଟରେ ଯୋଗଦେଇ ଏହା କହିଛନ୍ତି ଡାକ୍ତର ପାଣିଗ୍ରାହୀ ।

ଶିଶୁ ମାନଙ୍କ କ୍ଷେତ୍ରରେ ମୁଖ୍ୟତଃ ରକ୍ତ କର୍କଟ, ମସ୍ତିଷ୍କ କର୍କଟ ଓ ଚକ୍ଷୁ କର୍କଟ ଭଳି ସମସ୍ୟା ଦେଖା ଦେଉଛି । ମାତ୍ର ରୋଗ ଯେତେ ଶୀଘ୍ର ଚିହ୍ନଟ ହେବ ସେତେ ଶୀଘ୍ର ଚିକିତ୍ସା ଆରମ୍ଭ ହେବା ସହ ଶିଶୁଟି ଆରୋଗ୍ୟ ଲାଭ କରିପାରିବ । ବିଶେଷ କରି ରକ୍ତ କର୍କଟ ରୋଗରେ ଠିକ ସମୟରେ ଚିକିତ୍ସା ଆରମ୍ଭ କରାଗଲେ ଶିଶୁମାନେ ସୁସ୍ଥ ହୋଇପାରିବେ । କୋଭିଡ ମହାମାରୀ ସମୟରେ ପରୀକ୍ଷା ନିରୀକ୍ଷା ପାଇଁ ଡାକ୍ତରଙ୍କ ପରାମର୍ଶ ଟେଲି କନସଲଟେସନ ମାଧ୍ୟମରେ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

ସମ୍ ହସ୍ପିଟାଲର ପେଡିଆଟ୍ରିକ ଅଙ୍କୋଲୋଜି ଆଣ୍ଡ ହେମାଟୋଲୋଜି ବିଭାଗର ପ୍ରଫେସର ଡାକ୍ତର ସରୋଜ ପଣ୍ଡା କହିଥିଲେ ଯେ, କର୍କଟ ରୋଗର ଆଗୁଆ ଚିହ୍ନଟ, ସଠିକ ଓ ଉପଯୁକ୍ତ ଚିକିତ୍ସା ଦ୍ବାରା ୮୦ ପ୍ରତିଶତ ଶିଶୁ ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇପାରିବେ । ତେବେ ଏଥିପାଇଁ ସଚେତନତା ଜରୁରୀ ବୋଲି ସେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସନାଲ ଡିନ୍ ପ୍ରଫେସର ଅଜୟ ଜେନା, ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ମମତା ଦେବୀ ମହାନ୍ତି ଏବଂ କେନ୍ଦ୍ର ଆଇଏପିର ଏକଜିକ୍ୟୁଟିଭ ବୋର୍ଡ ସଦସ୍ୟ ଡାକ୍ତର ବିଶ୍ବଜିତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ଶିଶୁ କର୍କଟ ରୋଗ ସମ୍ବନ୍ଧୀୟ ୩ଟି ପ୍ରସଂଗକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୫ ଜଣ ବିଶିଷ୍ଟ ଡାକ୍ତରଙ୍କ ସହ ପ୍ରାୟ ୧୦୦ ଜଣ ଯୋଗ ଦେଇଥିଲେ ।

Leave A Reply

Your email address will not be published.