Latest Odisha News

BREAKING NEWS

ପେଗାସସ ମାମଲା, ଅଭିଯୋଗକୁ ଭିତ୍ତିହୀନ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ପେଗାସସ ଜାସୁସୀ ମାମଲା ବିଭିନ୍ନ କପୋଳକଳ୍ପିତ ତଥ୍ୟ ଉପରେ ଆଧାରିତ ଏବଂ ତଥାକଥିତ ମିଡିଆ ରିପୋର୍ଟ ଅନୁସାରେ ପର୍ଯ୍ୟବେଶିତ । ଏହାର କୌଣସି ଭିତ୍ତି ନାହିଁ । ଏହାର ସତ୍ୟତା ଯାଞ୍ଚ ଲାଗି ଏକ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ସୁପ୍ରିମକୋର୍ଟ ନିକଟରେ କହିଛନ୍ତି କେନ୍ଦ୍ର ସରକାର । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟର ଅତିରିକ୍ତ ସଚିବଙ୍କ ଦ୍ବାରା ଏନେଇ ଦୁଇ ପୃଷ୍ଠା ସମ୍ବଳିତ ସତ୍ୟପାଠ ଦାଖଲ ହୋଇଛି । ସରକାରଙ୍କୁ ବିକ୍ରି କରାଯାଇଥିବା ଇସ୍ରାଏଲ ସ୍ପାଇଓ୍ବେୟାର ପେଗାସସ ଜରିଆରେ ବିରୋଧୀ ଦଳ ନେତା, ସାମ୍ବାଦିକ, ବିଚାରପତିଙ୍କ ଫୋନ ଟାର୍ଗେଟ୍ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛି କେନ୍ଦ୍ର ।

ଆଜି ସୁପ୍ରିମକୋର୍ଟରେ ପେଗାସସ୍‌ ଜାସୁସୀ ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାର ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ କମିଟି ଗଠନ କରି ମାମଲାର ତଦନ୍ତ କରାଯିବ ବୋଲି କହିଛନ୍ତି । ଇସ୍ରାଏଲୀ ସ୍ପାଇଓ୍ବେୟାର ସହାୟତାରେ ଦେଶର ବହୁ ରାଜନେତା, ସାମ୍ବାଦିକ, ଆଇନଜୀବୀଙ୍କ ଫୋନ୍ ହ୍ୟାକ୍ କରାଯାଇଥିବା ଅଭିଯୋଗ ହୋଇଥିଲା । ମାମଲାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାଏର କରାଯାଇଥିଲା । ଏହି ପ୍ରସଙ୍ଗକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ଏପରିକି ସଂସଦର ମୌସୁମୀ ଅଧିବେଶରେ ପେଗାସସକୁ ନେଇ ସରଗରମ ହୋଇଥିଲା ଗୃହ । ଫଳରେ ବାରମ୍ବାର ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।

Leave A Reply

Your email address will not be published.