Latest Odisha News

BREAKING NEWS

ଗଜପତି ଜିଲ୍ଲାର ଅଧିକାଂଶ ସ୍ଥାନରେ ତିତଲି ବାତ୍ୟା ଆସୁଛି ବୋଲି ଲୋକେ ଜାଣି ନ’ଥିଲେ – ଧର୍ମେନ୍ଦ୍ର

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ଗଜପତି ଜିଲ୍ଲାର ଅଧିକାଂଶ ସ୍ଥାନରେ ୧୧ ଅକ୍ଟୋବରରେ ତିତଲି ବାତ୍ୟା ଆସୁଛି ବୋଲି ଜନସାଧାରଣ ଅବଗତ ନଥଲେ ।

ଗଜପତି ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଫେସବୁକ ପ୍ରୋଫାଇଲରେ ଏକ ଭିଡ଼ିଓ ଅପଲୋଡ଼ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ ଗଜପତି ଜିଲ୍ଲାରେ ବାତ୍ୟା ହେବାର ସୂଚନା ଦେଇଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଯତ୍ନବାନ ହୋଇନଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବାତ୍ୟା ପରେ ରିଲିଫ ବଣ୍ଟନ ଏବଂ ପୁନରୁଦ୍ଧାର କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି । “ସରକାର ବାତ୍ୟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରି ମହାଜନର ଭୁମିକା ନେଇଛନ୍ତି । ବାତ୍ୟା ପରେ ସମସ୍ତ ନେତା ତଥା ଦାୟିତ୍ୱରେ ରହିଥିବା ସମସ୍ତ ଅଫିସରମାନେ ସମସ୍ତ କାର୍ଯ୍ୟ ଛାଡ଼ି କେବଳ କିପରି ସୂଚାରୁରୂପେ ରିଲିଫ ବଣ୍ଟନ ହୋଇପାରିବ ତାହାକୁ ଗୁରତ୍ୱ ଦେବା ଉଚିତ୍ ,”ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଲକ୍ଷ୍ୟ କରି ଧର୍ମେନ୍ଦ୍ର କହିଛନ୍ତି, ସେ ସ୍ୱୟଂ ଶ୍ରୀକାକୁଲମରେ ରହି ନିଜେ ରିଲିଫ ବଣ୍ଟନ ତଥା ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି ।

କିନ୍ତୁ ସେ ତାଙ୍କର ଗଜପତି ଜିଲ୍ଲା ଗସ୍ତ ସମୟରେ କୌଣସି ସ୍ଥାନୀୟ ବିଧାୟକ ବା ମନ୍ତ୍ରୀ କିମ୍ବା ଦାୟିତ୍ୱରେ ରହିଥିବା ଅଫିସରମାନଙ୍କୁ କୌଣସି ରିଲିଫ କ୍ୟାମ୍ପରେ ଉପସ୍ଥିତ ରହିଥିବା ଦେଖିନଥିଲେ ବୋଲି ଅଭିଯୋଗ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଯୋଗରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡ଼ି ମୁଖପାତ୍ର ଅରୁଣ ସାହୁ କହିଛନ୍ତି, ବାତ୍ୟା ଓ ତଦପରେ ଆସିଥିବା ବନ୍ୟା ପ୍ରଭାବିତ ଜିଲ୍ଲା ମାନଙ୍କରେ ତଡ଼ିତ୍ ବେଗରେ ରିଲିଫ ବଣ୍ଟନ ଏବଂ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି ।

ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଅଟେ ଯେ, କିଛି ନେତା ଓଡ଼ିଶାରେ ଏପରି ପ୍ରାକୃତିକ ଦୁର୍ବିପାକ ହେବା ଚାହାଁନ୍ତି ଏବଂ ଏହାକୁ ରାଜନୀତିକରଣ କରି ଫାଇଦା ଉଠାଇବାକୁ ଚାହୁଁଛନ୍ତି ।

କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ମହାଜନ ରୂପେ ବର୍ଣ୍ଣନା କରିବା ନେଇ ବିଜେଡ଼ି ମୁଖପାତ୍ର କହିଛନ୍ତି, “ଏହା ନିଶ୍ଚିତ କଥାଯେ, ଧନଦାତା ଅନ୍ୟମାନଙ୍କୁ ମହାଜନ ରୂପେ ଅଭିହିତ କରିଥାଆନ୍ତି କାରଣ ସେମାନେ ହିଁ ଜନସାଧାରଣଙ୍କୁ ଆର୍ଥୀକ ସାହାଯ୍ୟ କରିଥାଆନ୍ତି” ।

Leave A Reply

Your email address will not be published.