ବାରିପଦା: ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସଂକଟ । ମେଡିକାଲରେ ୪ ଜଣ ଡାକ୍ତର ରହିବା ଲାଗି ସରକାରୀ ମଞ୍ଜୁରୀ ମିଳିଛି । ବିଡ଼ମ୍ବନାର କଥା ଏଠି ଜଣିଏ ବି ସ୍ଥାୟୀ ଡାକ୍ତର ନାହାଁନ୍ତି । ଫଳରେ ସ୍ଥାନୀୟ ଲୋକ ଚିକିତ୍ସା ସେବାରୁ ବଞ୍ଚିତ ହେବା ସହ ଦୂରକୁ ଚିକିତ୍ସା ପାଇଁ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ।
ଗୁରୁବାର ଜଣେ ଗୁରୁତର ରୋଗୀଙ୍କ ଚିକିତ୍ସା ହୋଇ ନ ପାରିବାରୁ ଗ୍ରାମବାସୀ ମାନେ ମେଡିକାଲ ଗେଟ୍ ସମୁଖରେ ଧାରଣା ଦେଇଥିଲେ । ନିୟମିତ ଡାକ୍ତର ନିଯୁକ୍ତି ନ କଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଗ୍ରାମବାସୀ କହିଛନ୍ତି । ଧାରଣାରତ ଗ୍ରାମବାସୀଙ୍କୁ ବୁଝାଇବା ଲାଗି ମେଡିକାଲ ଇନ ଚାର୍ଜ ଆସିଥିବା ବେଳେ ତାଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ । ଧାରଣା ଚାଲିଥିବାବେଳେ ଘଟଣା ସ୍ଥଳକୁ କପ୍ତିପଦା ଉପଖଣ୍ଡ ଚିକତ୍ସା ଅଧିକାରୀ ଶିବାନନ୍ଦ ମହାନ୍ତି ବୁଝାସୁଝା କରିବା ପାଇଁ ଆସିଥିଲେ । ଉତ୍ୟକ୍ତ ଲୋକେ ତାଙ୍କୁ ଅଫିସ ରୁମରେ ତାଲା ପକାଇ ଦେଇଥିଲେ ।
ଏଥିସହ ସିଡିଏମଓ ନ ଆସିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଜିଦ୍ ଧରିଥିଲେ ଗ୍ରାମବାସୀ । ପରେ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ପହଞ୍ଚି ନିୟମିତ ଡାକ୍ତର ନିଯୁକ୍ତି ଦେବା ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହେବା ସହ ଚାରି ଘଣ୍ଟା ପରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ମୁକୁଳିଛନ୍ତି ।
Comments are closed.