Latest Odisha News

BREAKING NEWS

ଇସ୍ପାତ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଢେଙ୍କାନାଳବାସୀ

ଭୁବନେଶ୍ବର : ୨୦୩୦ ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିଅନ ଟନ୍‌ରେ ପହଞ୍ଚିବ । ଏଥିପାଇଁ ରାଜ୍ୟ ସରକାର ନେଇଛନ୍ତି ଆବଶ୍ୟକ ପଦକ୍ଷେପ । କୋଭିଡ ସତ୍ତ୍ବେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପୁଞ୍ଜି ବିନିଯୋଗ ୪.୪୧ ଲକ୍ଷକୁ ବୃଦ୍ଧି ପାଇଛି । ନିକଟରେ ରାଜ୍ୟ ସରକାର ଓଡ଼ିଶାରେ ୧ ଲକ୍ଷ ୪୭ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି । ଏଥିରେ ମୁଖ୍ୟତଃ ଇସ୍ପାତ ଶିଳ୍ପ ହିଁ ରହିଛି । ଏହି ପ୍ରକଳ୍ପ ମଧ୍ୟରେ ୧୧ ହଜାର କୋଟି ଟଙ୍କାର ଢେଙ୍କାନାଳ ରୁଙ୍ଗଟା ମାଇନ୍‌ସ ଲିମିଟେଡର ସମନ୍ବିତ ଇସ୍ପାତ ପ୍ରକଳ୍ପ ସାମିଲ ଅଛି । ଏହି ପ୍ରକଳ୍ପରୁ ବର୍ତ୍ତମାନ ୩ ମିଲିଅନ ଟନ୍‌ ଇସ୍ପାତ ଉତ୍ପାଦନ ହେଉଥିବା ବେଳେ, ଏଥିରୁ ୭.୫୫ ମିଲିଅନ ଟନ୍‌ ଇସ୍ପାତ ଉତ୍ପାଦିତ ହେବ । ଏହି ସଂପ୍ରସାରିତ ପ୍ରକଳ୍ପ ଢେଙ୍କାନାଳ ଜିଲ୍ଲାରେ ଖୁସି ଆଣିଛି । ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଢେଙ୍କାନାଳର ଖଣିଜ ସଂପଦର ବିନିଯୋଗ କରି ଏହାକୁ ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବରେ ଗଢି ତୋଳିବା ତାଙ୍କର ଲକ୍ଷ୍ୟ । ଏ ଦିଗରେ ଏହି ପ୍ରକଳ୍ପ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଗତ ୨୦୦୦ ମସିହାରେ ମାତ୍ର ୨ ମିଲିଅନ ଟନ୍‌ ଇସ୍ପାତ ଉତ୍ପାଦିତ ହୋଇଥିବା ବେଳେ, ବର୍ତ୍ତମାନ ଏହା ୩୦ ମିଲିଅନ ଟନ୍‌ରେ ପହଞ୍ଚି ପାରିଛି । ଇସ୍ପାତ କାରଖାନା ଯୋଗୁ ହିଁ ଆମେ ଆଜି ଦେଶର ୧୭ଟି ରାଜ୍ୟକୁ କୋଭିଡର ଦ୍ବିତୀୟ ଲହର ସମୟରେ ଅକ୍ସିଜେନ ଯୋଗାଇ ବହୁ ଜୀବନ ରକ୍ଷା କରିପାରିଛୁ । ତେଣୁ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଯେପରି ଠିକ୍‌ ସମୟରେ ଶେଷ ହେବ, ସେଥିପାଇଁ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ସହଯୋଗ ରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଢେଙ୍କାନାଳ ଜିଲ୍ଲାରେ ବର୍ତ୍ତମାନ ଚାଲିଥିବା ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାଦ୍ବାରା ଜିଲ୍ଲାର ୮ଟି ବ୍ଲକ ଓ ସବୁ ସହରାଞ୍ଚଳରେ ଘରେ ଘରେ ପାଇପ ପାଣି ସୁବିଧାରେ ମିଳିପାରିବ । ଜିଲ୍ଲାରେ ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କାର୍ଯ୍ୟକ୍ରମରେ ଭାଗ ନେଇ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ, ଢେଙ୍କାନାଳ ଜିଲ୍ଲାର ବିକାଶ କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ମାଇଲ ଖୁଣ୍ଟ ହେବ । ଢେଙ୍କାନାଳ ଜିଲ୍ଲାକୁ ଶିଳ୍ପ ସମୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ଖଣି ମନ୍ତ୍ରୀ ସ୍ବାଗତ କରିଛନ୍ତି ।

Comments are closed.