Latest Odisha News

BREAKING NEWS

ଆଜି ପବିତ୍ର ଅକ୍ଷୟ ତୃତୀୟା, ଅଖିମୁଠି ଅନୁକୂଳ କରିବ ଚଷା ପୁଅ

ଭୁବନେଶ୍ଵର: ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ ପବିତ୍ର ଅକ୍ଷୟ ତୃତୀୟା । ଅକ୍ଷୟ ତୃତୀୟାର ମାହାତ୍ମ୍ୟ ଅନନ୍ୟ ଅଟେ। ଅକ୍ଷୟର ଅର୍ଥ ଯାହାର କ୍ଷୟ ନାହିଁ । ସାରା ଭାରତବର୍ଷରେ ଭିନ୍ନ ଭିନ୍ନ ନାମ ଏବଂ ଢଙ୍ଗରେ ପାଳିତ ହେଉଥିବା ଏହି ପର୍ବଟି ସୁଖ,ସମୃଦ୍ଧି ଓ ସୌଭାଗ୍ୟ ସହିତ ବହୁଳ ଭାବେ ଜଡିତ । ଓଡିଶାର ପାରମ୍ପରିକ ପରିବେଶରେ ଏହି ଦିନଟିର ବହୁ ମହାତ୍ମ୍ୟ ରହିଛି । ବିଶେଷ କରି କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବାରୁ କୃଷି ଭିତ୍ତିକ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ଅଖିମୁଠି ଅନୁକୂଳ ଭାବେ ପରିଚିତ ଏହି ଦିନରେ ଚାଷୀମାନେ ନୂଆ ଧାନ ନେଇ ନିଜ କ୍ଷେତରେ ବୁଣି ହଳ କରିଥାନ୍ତି । ଏଥିସହ ଧରିତ୍ରୀ ମାତା ଓ ଭୂମିଜାଙ୍କର ଆର୍ଶୀବାଦ ଭକ୍ଷା ମଧ୍ୟ କରିଥାନ୍ତି ।

କାହିଁ କେଉଁ କାଳୁ ମାନ୍ୟତା ରହିଛି ଯେ ଏହି ଦିନ ଚାଷୀ ହଳଦୀ, ଚନ୍ଦନ, ସିନ୍ଦୂର ଲେପିତ ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଭଲ ଭାବରେ ସଜେଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ଓ ହଳଲଙ୍ଗଳ ଧରି ହୁଳହୁଳି ଓ ଶଙ୍ଖ ନାଦରେ କ୍ଷେତକୁ ବାହାରିଥାଏ । ଯେଉଁଠି ସେ ମା ଲକ୍ଷ୍ମୀଙ୍କ ଆରାଧନା କରିଥାଏ, ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କୁହାଯାଏ ।

ପୁରାଣ, ଶାସ୍ତ୍ର, ଗ୍ରନ୍ଥ ଅନୁସାରେ ଏହି ଦିନଟିରେ ଅନେକ ଗୁଡିଏ ଶୁଭକାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ଅକ୍ଷୟତୃତୀୟା ଦିନ ମାନବ ତା’ର ଜୀବନର ସମସ୍ତ ଆବଶ୍ୟକତା ପୂରଣ ନିମନ୍ତେ ଭଗବାନ ସ୍ୱୟଂ ପରଂବ୍ରହ୍ମଙ୍କୁ ପ୍ରାର୍ଥନା କରିଥାଏ ଯେ “ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ” ଅର୍ଥାତ୍‌ ଜୀବନରୁ ସୁଖ, ଶାନ୍ତି, ସମୃଦ୍ଧି ଓ ପୁଣ୍ୟର କେବେ ବି କ୍ଷୟ ନ ହେଉ।

Comments are closed.