Latest Odisha News

BREAKING NEWS

ଆଜି ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା, ଚାପ ଖେଳିବେ ମହାପ୍ରଭୁ, ସେପଟେ ଅନୁକୁଳ ହେବ ରଥକାଠ

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା । ଓଡିଶାର ପାରମ୍ପରିକ ପରିବେଶରେ ଏହି ଦିନଟିର ବହୁ ମହାତ୍ମ୍ୟ ରହିଛି । ସେପଟେ ଆଜିଠୁ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏଥିପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ। ଭକ୍ତଙ୍କ ଗହଣରେ ଜଳକ୍ରୀଡା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଶ୍ରୀଦେବୀ, ରାମକୃଷ୍ଣ ଓ ପଞ୍ଚୁପାଣ୍ଡବ।

ନରେନ୍ଦ୍ର ପୁଷ୍କରିଣୀରେ ରହିଥିବା ସମସ୍ତ ୫ଟି ଡଙ୍ଗାକୁ କଢାଯିବା ପରେ ବିଶ୍ବକର୍ମା ମହାରଣା ଓ ଭୋଇ ସେବାୟତଙ୍କ ଦ୍ୱାରା ଡଙ୍ଗା ମରାମତି କରାଯାଇ ନନ୍ଦା ଓ ଭଦ୍ରା ଚାପ ନିର୍ମାଣ କରାଯାଇଛି। ଆଜି ଅପରାହ୍ଣ ୩ଟା ୩୦ ସୁଦ୍ଧା ଠାକୁର ବିମାନକୁ ବିଜେ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ପବିତ୍ର ଯାତ୍ରା ଅକ୍ଷୟତୃତୀୟା ଠାରୁ ଆରମ୍ଭ କରି ୪୨ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥାଏ। ଏହି ୪୨ ଦିନ ମଧ୍ୟରୁ ପ୍ରଥମ ୨୧ ଦିନ ବ୍ୟାପୀ ମହାପ୍ରଭୁ ବାହାରକୁ ତଥା ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିଥାନ୍ତି। ଏହି ବାହ୍ୟ ଜଳକ୍ରୀଡା ଉତ୍ସବରେ ଭୂଦେବୀଙ୍କ ସହିତ ପଞ୍ଚୁପାଣ୍ଡବ, ଶ୍ରୀ କପାଳମୋଚନ, ଶ୍ରୀ ମାର୍କଣ୍ଡେଶ୍ୱର, ଶ୍ରୀ ନୀଳକଣ୍ଠେଶ୍ବର, ଶ୍ରୀ ଜମ୍ବେଶ୍ୱର ଓ ଶ୍ରୀ ଲୋକନାଥ ଚାପ ଖେଳିବା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଗମନ କରିଥାନ୍ତି। ଅବଶିଷ୍ଟ ୨୧ ଦିନ ଶ୍ରୀ ମନ୍ଦିର ଭିତରେ ଚନ୍ଦନଯାତ୍ରା ସମ୍ପୂର୍ଣ ହୁଏ। ଏହାକୁ ଭିତର ଚନ୍ଦନଯାତ୍ରା କୁହାଯାଏ।

ଏହି ପବିତ୍ର ଅକ୍ଷୟତୃତୀୟା ତିଥିରେ ମହାପ୍ରଭୁ ସଚ୍ଚିଦାନନ୍ଦ ଶ୍ରୀ ଜଗନ୍ନାଥଙ୍କର ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା ନିମନ୍ତେ ରଥନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ। ଏଥିସହିତ ତିନି ରଥର ମୁଖ୍ୟମହାରଣା ତାଙ୍କର ଲୌହକୁରାଢ଼ୀକୁ ରଥଖଳାରେ ରଖାଯାଇଥିବା ତିନିରଥର ତିନି କାଠଖଣ୍ଡକୁ ସ୍ପର୍ଶ କରାଇ ଭଗବାନ ବଳଭଦ୍ରଙ୍କର ତାଳଧ୍ବଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ ନିର୍ମାଣାର୍ଥେ ପ୍ରାର୍ଥନା କରିଥାନ୍ତି। ମହାପ୍ରଭୁଙ୍କ ସହିତ ଶ୍ରୀକ୍ଷେତ୍ରର ପଞ୍ଚମହାଦେବ ଜଳକ୍ରୀଡ଼ା କରିବେ। ତେଣୁ ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କ ଜଳକ୍ରୀଡ଼ା ଦେଖିବା ଲାଗି ଭକ୍ତଙ୍କ ପ୍ରବଳ ଭିଡ଼ ହେବା ସମ୍ଭାବନା ରହିଛି । ତେଣୁ ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.