Latest Odisha News

BREAKING NEWS

କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଏମ୍‌ସ ଭୁବନେଶ୍ବରର ଆଉ ଏକ ସଫଳତା

ଭୁବନେଶ୍ବର : କର୍କଟ ରୋଗୀଙ୍କ ପାଇଁ ଖୁସି ଖବର । ଏମ୍‌ସ ଭୁବନେଶ୍ବରରେ ଏବେ ସ୍ବଳ୍ପ ମୂଲ୍ୟରେ ମିଳିପାରିବ କର୍କଟ ରୋଗର ଚିକିତ୍ସା ସୁବିଧା । ଆଜି ଏମ୍‌ସ ଭୁବନେଶ୍ବର ନିର୍ଦ୍ଦେଶିକା ଡ. ବି ଗୀତାଞ୍ଜଳୀ ପେଟ୍‌-ସିଟି ସ୍କାନ ମେସିନ୍‌ ସେବାର ଉଦ୍‌ଘାଟନ କରିଛନ୍ତି । ସମଗ୍ର ପୂର୍ବ ଭାରତରେ ଏମ୍‌ସ ଭୁବନେଶ୍ବର ହେଉଛି ପ୍ରଥମ ଅନୁଷ୍ଠାନ, ଯେଉଁଠାରେ ଏପରି ଅତ୍ୟାଧୁନିକ ମେସିନ୍‌ ସ୍ଥାପିତ କରାଯାଇଛି । ଅନୁଷ୍ଠାନର ନ୍ୟୁକ୍ଲିୟର ମେଡିସିନ୍‌ ବିଭାଗ‌ରେ ଏହି ସେବାର ଉଦ୍‌ଘାଟନ କରିବା ଅବସରରେ ଓଡ଼ିଶାବାସୀଙ୍କୁ ଏହି ସେବା ଯୋଗାଇବାକୁ ଏମ୍‌ସ ଭୁବନେଶ୍ବର ସଫଳ ହୋଇଛି । ସ୍ବଳ୍ପ ମୂଲ୍ୟରେ ଏହି ସେବା ସାଧାରଣ ଜନତାଙ୍କ ପାଇଁ ବିଶେଷ ସ‌ହାୟକ ହେବ ବୋଲି ଡ. ଗୀତାଞ୍ଜଳି ସୂଚନା ଦେଇଛନ୍ତି ।

ଏମ୍‌ସ ଭୁବନେଶ୍ବରରେ ଉଦ୍‌ଘାଟିତ ହୋଇଥିବା ଏହି ଅତ୍ୟାଧୁନିକ ପେଟ୍‌-ସିଟି ମେସିନ୍‌ ୧୨୮-ସ୍ଲାଇସ୍‌ ସିଟି ଏବଂ ଏଲ୍‌ଏସଓ କ୍ରିଷ୍ଟାଲ୍‌ ବିଶିଷ୍ଟ ହୋଇଥିବା ବେଳେ, ଜ୍ଞାନ କୌଶଳ ଦୃଷ୍ଟିରୁ ରାଜ୍ୟ ତଥା ପୂର୍ବ ଭାରତରେ ପ୍ରଥମ ବୋଲି ନ୍ୟୁକ୍ଲିୟର୍‌ ମେଡିସିନ୍‌ ବିଭାଗର ଆସୋସିଏଟ୍‌ ପ୍ରଫେସର୍‌ ଡ. କହ୍ନେୟା ଅଗରୱାଲା ସୂଚନା ଦେଇଛନ୍ତି । ଏହି ପେଟ୍‌ସିଟି ସ୍କାନ ମେସିନ ଜରିଆରେ କ୍ଷୁଦ୍ରରୁ କ୍ଷୁଦ୍ରତମ ଅବସ୍ଥାରେ ଥିବା କର୍କଟ ରୋଗର ଚିହ୍ନଟ ହୋଇପାରିବ । ଯାହାକି ପୂର୍ବରୁ ପ୍ରଚଳିତ ମେସିନ୍‌ କରିବାରେ ସକ୍ଷମ ନଥିଲା । ସେହିପରି ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଏହି ମେସିନ୍‌ ସ୍କାନ୍‌ କରିବା ସହିତ ଶରୀରର ଯେଉଁଠି ମଧ୍ୟ କର୍କଟ ରୋଗର ସାମାନ୍ୟ ଲକ୍ଷଣ ଥିବ ତା’କୁ ଚିହ୍ନଟ କରିପାରିବ । ଏଥିସହ କର୍କଟ ରୋଗ ଉପରେ ଚିକିତ୍ସା ପ୍ରଭାବ ଏବଂ କେଉଁ ଷ୍ଟେଜ୍‌ରେ ରହିଛି, ଏହା ମଧ୍ୟ ଜଣାପଡ଼ିବ ।

ରୋଗୀ ଉପରେ ଏହି ମେସିନ୍‌ର ବିକିରଣ ପ୍ରଭାବ କମ ରହୁଥିବା ବେଳେ ସଠିକ୍‌ ଚିହ୍ନଟ କରିଥାଏ । କ୍ୟାନ୍‌ସର ଅପରେସନ୍‌ ପରେ ପୁନର୍ବାର ଏହି ବ୍ୟାଧି ମଣିଷ ଶରୀରକୁ ଫେରିଛି କି ନାହିଁ ତାହା ମଧ୍ୟ ଚିହ୍ନଟ କରିଥାଏ ଏହି ପେଟ୍‌-ସିଟି ମେସିନ୍‌ । ସେହିପରି ହୃଦୟ ଉପରେ ହୃଦ୍‌ଘାତ୍‌ର ପ୍ରଭାବ, ହୃଦୟର କେଉଁ ଅଂଶରେ ଆଞ୍ଜିଓପ୍ଲାଷ୍ଟି ସୁଫଳ ଦେଉଛି ତାହା ମଧ୍ୟ ଏହି ମେସିନ୍‌ ଜରିଆରେ ଜଣାପଡ଼ିବ । ଓଡ଼ିଶାରେ ପୂର୍ବରୁ କେବଳ କିଛି ଘରୋଇ ହସ୍‌ପିଟାଲରେ ଏପରି ମେସିନ୍‌ ରହିଛି । ଯାହାକି ବେଶ୍‌ ବ୍ୟୟ ସାପେକ୍ଷ । ଏହି ସ୍କାନ୍‌ କରିବାକୁ ଘରୋଇ ହସ୍‌ପିଟାଲରେ ପ୍ରାୟ ୨୫ ହଜାରରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ, ଏମ୍‌ସ ଭୁବନେଶ୍ବରରେ ଏହା ମାତ୍ର ୭,୫୦୦ ଟଙ୍କାରେ ହୋଇପାରିବ । ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ, ଏହାର ଚିହ୍ନଟ ଏବଂ ନିରାକରଣ କ୍ଷେତ୍ରରେ ଏହି ମେସିନ୍‌ ବିଶେଷ ସହାୟକ ହେବ ବୋଲି ଏମ୍‌ସ ଭୁବନେଶ୍ବର ନିର୍ଦ୍ଦେଶିକା ଡ. ଗୀତାଞ୍ଜଳି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.