Latest Odisha News

ଭାରତରେ ପେଟ୍ରୋଲ ଦର ୫%, ଅନ୍ୟ ଦେଶରେ ୫୦% ବଢ଼ିଛି: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ

ନୂଆଦିଲ୍ଲୀ: ଗତ ୧୫ ଦିନରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ୧୩ ଥର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୨୦ ପଇସା ବଢିଥିବା ବେଳେ ଡିଜେଲ ଦର ବି ପାଖାପାଖି ସମାନ ପରିମାଣରେ ବଢିଛି । ଏ ନେଇ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଏକ ବୟାନ ରଖିଛନ୍ତି। ସଂସଦରେ ଏ ପ୍ରସଙ୍ଗରେ ଉତ୍ତର ରଖି ସେ କହିଛନ୍ତି, ରୁଷ-ୟୁକ୍ରେନ ଯୁଦ୍ଧ ପରେ ଭାରତରେ ପେଟ୍ରୋଲର ମୂଲ୍ୟ ମାତ୍ର ୫ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ବିକଶିତ ଦେଶମାନଙ୍କରେ ଏହାର ମୂଲ୍ୟ ୫୦ ପ୍ରତିଶତ ବୃଦ୍ଧି ପାଇଛି।

ରାଜ୍ୟସଭାରେ ୟୁକ୍ରେନର ପରିସ୍ଥିତି ଉପରେ ଆଲୋଚନା ବେଳେ ହରଦୀପ ପୁରୀ କହିଛନ୍ତି, ଭାରତରେ ମୋଟ ମୂଲ୍ୟର ମାତ୍ର ୫ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଆମେରିକାରେ ଏହାର ମୂଲ୍ୟ ୫୧ ପ୍ରତିଶତ, କାନାଡାରେ ୫୨ ପ୍ରତିଶତ, ଜର୍ମାନୀ ଏବଂ ବ୍ରିଟେନରେ ୫୫ ପ୍ରତିଶତ, ଫ୍ରାନ୍ସରେ ୫୦ ପ୍ରତିଶତ, ସ୍ପେନରେ ୫୮ ପ୍ରତିଶତ ଦର ବୃଦ୍ଧି ହୋଇଛି। ଅନ୍ୟାନ୍ୟ ବିକାଶଶୀଳ ତଥା ବିକଶିତ ଦେଶ ତୁଳନାରେ ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବହୁତ କମ୍ ବଢ଼ିଛି।

ପେଟ୍ରୋଲ ମୂଲ୍ୟ ଉପରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ୟୁକ୍ରେନ-ରୁଷ ଯୁଦ୍ଧରେ ଭାରତ ଏକମାତ୍ର ଦେଶ ନୁହେଁ, ସମଗ୍ର ବିଶ୍ୱ ଏହା ଦ୍ୱାରା ପ୍ରଭାବିତ ହୋଇଛି। ଯୁଦ୍ଧ ଆରମ୍ଭ ହେବା ପରେ ଅନ୍ତର୍ଜାତୀୟ ବଜାରରେ ନାଚୁରାଲ ବା ପ୍ରାକୃତିକ ଗ୍ୟାସର ମୂଲ୍ୟ ମଧ୍ୟ ବଢ଼ିଛି।

ସୂଚନାଯୋଗ୍ୟ, ଦରବୃଦ୍ଧିକୁ ପ୍ରତିବାଦ କରି କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ବିଭିନ୍ନ ସ୍ଥାନରେ ଏ ନେଇ ପ୍ରତିବାଦ କରୁଛି। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, ପେଟ୍ରୋଲ ଦର ବଢ଼ାଇ ମୋଦୀ ସରକାର ପ୍ରଧାନମନ୍ତ୍ରୀ ଜନ୍ ଧନ ଜନ ଲୁଟ୍ ଯୋଜନା ଆରମ୍ଭ କରିଛନ୍ତି।

Leave A Reply

Your email address will not be published.