ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୧

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଚିତି ସ୍ୱରୂପା ମାତୃ ଶକ୍ତି (ପ୍ରକୃତି ରୂପିଣୀ )ମା ଯୋଗମାୟା ମଧ୍ୟ ସ୍ୱୟଂ ପରଂବ୍ରହ୍ମ ସ୍ୱରୂପିଣୀ ଏକଥା ଆମର ସମସ୍ତ ଶାସ୍ତ୍ରରେ ବର୍ଣ୍ଣିତ । ଆମର ଆଲୋଚନା ଭିତରେ ମଧ୍ୟ ଆମେ ଅନେକ ତତ୍ତ୍ୱର ଉପସ୍ଥାପନା କରି ଦେବୀଙ୍କୁ ସ୍ୱୟଂ ପରମାତ୍ମାଙ୍କ ପ୍ରକୃତି ରୂପେ ପ୍ରତିପାଦିତ କରିଛେ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ପୁରୁଷ ସ୍ୱରୂପ ଶ୍ରୀ ପୁରୁଷୋତ୍ତମ ଏବଂ ମା ଯୋଗମାୟା ପ୍ରକୃତି ରୂପେ ଏକାଠି ବିଦ୍ୟମାନ। ଏକଥାର ପ୍ରମାଣ ସ୍ୱରୂପ ଆମେ “ବ୍ରହ୍ମ ବୈବର୍ତ୍ତ “ପୁରାଣର ପ୍ରକୃତି ଖଣ୍ଡରୁ ପାଇବା ଯଥା : “ପରଂବ୍ରହ୍ମ ସ୍ୱରୂପାତ୍ବଂ ସତ୍ୟା ନିତ୍ୟା ସନାତନ, ତେଜ ସ୍ୱରୂପା ପରମା ଭକ୍ତlନୁଗ୍ରହ ବିଗ୍ରହ ସର୍ବସ୍ୱରୂପା ସର୍ବେଷlମ ସର୍ବଧାରା ପରାତ ପରା, ସର୍ବବୀଜ ସ୍ୱରୂପା ଚ ସର୍ବପୂଜ୍ୟା ନିରାଶ୍ରୟା, ସର୍ବଜ୍ଞା ସର୍ବତୋଭଦ୍ରା ସର୍ବ ମଙ୍ଗଳ ମlଙ୍ଗଲ୍ୟ। “
ଅର୍ଥାତ ମା ଯୋଗମାୟା କେବଳ ପରଂବ୍ରହ୍ମ ସ୍ୱରୂପା ନୁହଁନ୍ତି। ନିର୍ଗୁଣ, ନିରାକାର, ନିର୍ଲିପ୍ତ, ନିଷ୍କ୍ରିୟ ପୁରୁଷ ସ୍ୱରୂପର ସାକାର, ସଗୁଣ, ସକ୍ରିୟ, ସର୍ବ ମଙ୍ଗଳକାରିଣୀ, ସର୍ବସ୍ୱରୂପା, ସର୍ବ ପୂଜ୍ୟା, (ଦେବତା ମାନେ ମଧ୍ୟ ପୂଜନ୍ତି ), ସର୍ବଜ୍ଞା ଓ ତେଜ ସ୍ୱରୂପା ଅଟନ୍ତି। ଅନ୍ୟ ଅର୍ଥରେ କହିଲେ ସେହି ପରଂବ୍ରହ୍ମ, ଉପାସନା ଭେଦରେ ପୁରୁଷ ଓ ପ୍ରକୃତି ଉଭୟ ଅଟନ୍ତି। ଶରୀର ତତ୍ତ୍ୱରେ ପରଂବ୍ରହ୍ମଙ୍କ ସ୍ଥିତି ଆତ୍ମାରେ ଓ ଏହି ଆତ୍ମାର ପଞ୍ଚଶକ୍ତି (ଇଛାଶକ୍ତି, ଜ୍ଞାନଶକ୍ତି, କ୍ରିୟାଶକ୍ତି, ଆନନ୍ଦ ଶକ୍ତି ଓ ଚିତିଶକ୍ତି )କୁ ଧାରଣ କରି ମାତୃ ଶକ୍ତି ସଦା ଜାଗ୍ରତ ହୁଏ। ଏହା ସର୍ବଦା ଷଡ଼ବିଧ ଚକ୍ର ବା ପଦ୍ମରେ ବିହାର କରି ଶରୀରକୁ ପ୍ରାଣବନ୍ତ କରେ। ଏହି ଷଡ଼ଚକ୍ର ବା ଷଡ଼ ପଦ୍ମ ହେଲେ, ମୂଳlଧାର, ସ୍ୱାଧୀଷ୍ଠାନ, ମଣିପୁର, ଅନାହାତ, ବିଶୁଦ୍ଧ ବା ଆଜ୍ଞା ଚକ୍ର ଓ ଶେଷରେ ସହସ୍ରl ଚକ୍ର। ଏହି ଷଡ଼ପଦ୍ମ ଚକ୍ରରେ ସାକାର ଦୈବୀ ଶକ୍ତି ଅହରହ ଗତି କରନ୍ତି। ସାଧକମାନେ ସାଧନା ଦ୍ୱାରା ଗୋଟିଏ ଗୋଟିଏ ପଦ୍ମ ବା ଚକ୍ରକୁ ଜାଗ୍ରତ କରାନ୍ତି। ଅର୍ଥାତ ଏଥିରେ ଦୈବୀ ଶକ୍ତି ବିଜୁଳି ପରି ଉଦ୍ଭାସିତ ହୁଅନ୍ତି। ଏହା ପରମ ଆନନ୍ଦ ଦାୟକ ଓ ଜ୍ଞାନମୟ ଅବସ୍ଥାକୁ ସାଧକଙ୍କୁ ନେଇଥାଏ। ସହସ୍ରl ଚକ୍ରରେ ଦୈବୀ ଶକ୍ତି ଉଦ୍ଭାସିତ ହେବା ମାତ୍ରେ ସାଧକ ନିଜେ ବ୍ରହ୍ମ ପାଲଟି ଯାଏ (ସାଧକ ଶରୀର ବୋଧ ରୁ ମୁକ୍ତ ହୋଇ କେବଳ ଆତ୍ମା ସ୍ୱରୂପରେ ବିଚରଣ କରେ )। କିନ୍ତୁ ଏହି ଅବସ୍ଥାକୁ ସର୍ବଦା ଧରି ରଖିବା ଅତ୍ୟନ୍ତ ଦୁରୂହ ଓ କଷ୍ଟସାଧ୍ୟ। ଏଥିପାଇଁ କଠୋର ସାଧନା ଆବଶ୍ୟକ। ସାଧାରଣ ମଣିଷ ପାଇଁ ଏହି ଜାଗ୍ରତ ଦୈବୀ ଶକ୍ତିର ସର୍ବଦା ଆରାଧନା ଅନେକ ଫଳ ଦେଇଥାଏ। କାରଣ ମା ମହାମାୟା ସର୍ବମଙ୍ଗଳ ଦାୟିନୀ, ସର୍ବଲୋକ ଜନନୀ ତଥା ସର୍ବଲୋକର ନିୟନ୍ତ୍ରୀ ଅଟନ୍ତି।
ଆସନ୍ତୁ ପ୍ରଭୁଙ୍କର(ଶ୍ରୀଜଗନ୍ନାଥ ଙ୍କ )ରାଇ ଦାମୋଦର ରୂପ କୁ ଆରାଧନା କରିବା ଏବଂ ପ୍ରଥମେ ମାତୃ ରୂପ (ରାଇ, ରାଧା ସ୍ୱରୂପା )ଶ୍ରୀବିଦ୍ୟା ମନ୍ତ୍ରରେ ଉପାସନା କରିବା। ଏହାର ପ୍ରକୃତ ଵିଧି ହେଲା ଗୁରୁପାଦୁକାକୁ ମସ୍ତକରେ ଧାରଣ (ଅବା ନିଜ ମସ୍ତକକୁ ଗୁରୁଙ୍କ ପାଦରେ ଅର୍ପଣ )ଶ୍ରୀଚକ୍ରକୁ ହୃଦୟେ ସ୍ଥାପନ ପୂର୍ବକ ଶ୍ରୀବିଦ୍ୟା ମନ୍ତ୍ର ଉଚ୍ଚାରଣ “ଶ୍ରୀ ଗୁରୋ ପାଦୁକାଂ ମୁଦ୍ଧି ଶ୍ରଚକ୍ରଂ ହୃଦି ଦେବତା, ଶ୍ରୀଵିଦ୍ୟାଂ ଯସ୍ୟ ଜିହ୍ୱାଗ୍ରେ ସ ସାକ୍ଷାତ ପରମ ଶିବ “(ଶ୍ରୀଵିଦ୍ୟା ମଞ୍ଜରୀ )। ମହା ଶିବ ରୂପୀ ଆତ୍ମାଙ୍କୁ ସଦା ଜାଗ୍ରତ ରଖିଥିବା ସେହି ଦୈବୀ ଶକ୍ତି ପରଂବ୍ରହ୍ମ ଯୋଗମୟଙ୍କୁ ପୁଣି ପ୍ରଣାମ ଜଣାଉଛି।
ଜୟ ଜଗନ୍ନାଥ, (ଦ. ତ୍ରୀ. ଉବାଚ )
Comments are closed.