Latest Odisha News

ଭାଷା ଭାଗବତ : ସମୟ ସହିତ ସାହିତ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୪ 

ଋତୁ, ରୂପ, ସ୍ଥଳ ବର୍ଣନା
ଦେବୀ, ଦେବ, ପ୍ରଭୁ ବଂଦନା
ପ୍ରେମ, ଭକ୍ତି, ପୂଜା ମହତ୍ତ୍ୱ
ଇତ୍ୟାଦିରେ ଭରା ସାହିତ୍ୟ

କରିଛି କି ଲୋକଂକ ହିତ
ହୋଇ ବି ଏତେ ପ୍ରଚାରିତ ?
ଏ ପ୍ରଶ୍ନ ନିଜକୁ ପଚାରୁଁ
ତା’ପରେ ଲେଖାଲେଖି କରୁଁ

ବାସ୍ତବତାରୁ ହୋଇ ଚ୍ୟୁତ
ଯାହା ବି ହୋଇଛି ରଚିତ
ତାହାର କିଛି ଉପଯୋଗ
ଦେଇଛି କେବେ କି ସୁଯୋଗ ?

ସାହିତ୍ୟ ହେଲେ ଶବ୍ଦ ଖେଳ
କବି ଓ ଲେଖକ କେବଳ
ପାଆଂତି ସୀମିତ ଉଲ୍ଲାସ
ହୁଏନି ସମୂହ ବିକାଶ

ଏହି ସତ୍ୟକୁ ମନେ ରଖି
ବହୁ କଥା ପାରିବା ଲେଖି
ହେବା ମୂକଂକ ପ୍ରତିନିଧି
ଲଂଘିବା ସଂକୀର୍ଣ ପରିଧି

ଏବେ ବି କଳ୍ପନା ବିଳାସ
ହୋଇଛି ଆମର ଆଦର୍ଶ
ଏବେ ବି ଶବ୍ଦ ଆଡ଼ଂବର
ଦିଶୁଛି ଲେଖାରେ ଆମର

ଲୋକଂକ ସହ ହୋଇ ଯୋଡ଼ି
ପାରିବା ଆମେ ଆଗେ ବଢ଼ି
ଚଳିତ ସମୟରେ ରହି
ଏବର କଥା ଯାଉଁ କହି

ଅତୀତ ସ୍ମୃତିର ବିଷୟ
ତେଣୁ ଲାଗଇ ଲୋଭନୀୟ
କିଂତୁ ତହିଁରେ ଯିଏ ନାହିଁ
ଅଧିକ ଭାବିବ କିପାଇଁ ?

ଏବେ ଏଠାରେ ଥାଉଁ ରହି
ପାଖର କିଛି ନ ଦିଶଇ
ଦୃଷ୍ଟିଦୋଷ ବା ମନୋଭାବ
ବ୍ୟତୀତ ନ ହୁଏ ସଂଭବ

ନାହିଁ ପ୍ରତ୍ୟକ୍ଷ ଅନୁଭୂତି
ତେବେ ବି ଗଢ଼ାହୁଏ କୃତି
ତହିଁରେ ରହିଲେ ବିକୃତି
ହୁଏ ଭାଷାର ବହୁ କ୍ଷତି

ବାସ୍ତବତାରୁ ହୋଇ ଦୂର
ଦୁର୍ଦଶା ନ କଲେ ସ୍ବୀକାର
ହୋଇପାରେନି ଉପଚାର
ତେବେ ଏ ସାହିତ୍ୟ କାହାର ?

ଲୋକଂକ ଭାବନା ସହିତ
ଯଦି ଭାଷା ନ ହୁଏ ଯୁକ୍ତ
ଲୋକେ କି କରଂତି ଗ୍ରହଣ
ଆତ୍ମସମୀକ୍ଷା କରି ଜାଣ

Comments are closed.