ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । କରୁଣାମୟ ଶ୍ରୀ ଜଗନ୍ନାଥ, ନିଜ ମୁଖରେ ସ୍ୱୀକାର କରିଛନ୍ତି ଯେ “ଭକ୍ତିମାନ ଯ ସ ମେ ପ୍ରିୟ । ”
ତେବେ ଏ ଜଗତରେ ଭକ୍ତିମାନ କିଏ ? ଆମେ ଜାଣିଛେ ସାଧାରଣରେ ଯିଏ ଭକ୍ତ ସେହିଁ ଭକ୍ତିମାନ,ସିଏ ପ୍ରଭୁଙ୍କର ସେବକ, ପୂଜକ, ଦାସ, ଅଥବା ଅଂଶ ବି ହୋଇପାରନ୍ତି । କାରଣ ଭଗବାନ ତାଙ୍କର ସେବ୍ୟ, ପୂଜ୍ୟ, ପ୍ରଭୁ (ମାଲିକ )ତଥା ଅଂଶୀ ଅଟନ୍ତି । ଏଠି ସାଧାରଣ ଭକ୍ତଟିଏ ମାୟା ମୋହଛନ୍ନ ଅବସ୍ଥାରେ ପ୍ରଭୁଙ୍କ ପାଖରେ ପହଞ୍ଚେ, ଏବଂ ସାଂସାରିକ ବନ୍ଧନରେ ରହି ନିଜର ଭକ୍ତି ଜାହିର କରେ । ସେହି ଭକ୍ତି ତେଣୁ ନିଟୋଲ ଭକ୍ତି ବା ଶୁଦ୍ଧ ଭକ୍ତି ହୋଇନଥାଏ । ଏଠାରେ ସାଧାରଣ ଭକ୍ତଟିର ଶୁଦ୍ଧ ଭକ୍ତି ଅପେକ୍ଷା, ପ୍ରଭୁ ତାର ସମର୍ପଣର ନିଷ୍ଠାକୁ ପରଖନ୍ତି ଓ ତାକୁ ଶରଣ ଦେଇ ସର୍ବୋତ ଭାବେ ରକ୍ଷା କରନ୍ତି ।
ନୀଳାଦ୍ରି ମହୋଦୟରେ ତେଣୁ ବର୍ଣ୍ଣିତ ହୋଇଛି “କରୁଣାମ୍ଭୋନିଧେ ଦେବ ଭକ୍ତନୁଗ୍ରହ କାରକ, ତ୍ରାହିନଃ ଶରଣମ ପ୍ରାପ୍ତାନ ମୋହିତା ତବ ମାୟୟା।” ପ୍ରଭୁ ରକ୍ଷକ ହିସାବରେ ତାଙ୍କ କର୍ତ୍ତବ୍ୟ କଲେ । କିନ୍ତୁ ସାଧାରଣ ଭକ୍ତଟିଏ ଏହିଠାରେ ଭୁଲ କରିବସେ । ନିଜର ଆଶା ପୂରଣ ପରେ ସେ ଭଗବାନ ଙ୍କୁ ଭୁଲିଯାଏ । ଭୁଲି ଯାଏ ନିଜ କର୍ତ୍ତବ୍ୟ । କିନ୍ତୁ ପ୍ରକୃତ ଭକ୍ତିମାନ ଭକ୍ତଟି ପ୍ରଭୁଙ୍କୁ ମୁହୂର୍ତ୍ତଟିଏ ବି ଭୁଲେନାହିଁ । ଅହ ରହ ପ୍ରଭୁ ସେବା ଓ ଚିନ୍ତାରେ ଥାଏ । କାରଣ ତାଙ୍କର ଅସଲ ଆଶା ମୁକ୍ତି ବା ମୋକ୍ଷ ।
ଏଠି ପ୍ରଭୁ ବି ତାଙ୍କ ପ୍ରିୟ ଭକ୍ତକୁ ନିରାଶ କରନ୍ତିନି କି କରୁଣା ବାଣ୍ଟିବାରେ ହେଳା କରନ୍ତିନି । ନିଛକ ଭକ୍ତଙ୍କୁ କିନ୍ତୁ ପାଞ୍ଚସଖା ଯୁଗର ଅନ୍ୟତମ ଭକ୍ତ ଯଶୋବନ୍ତଙ୍କ ପରି ପାର୍ଥନା କରିବାକୁ ପଡେ :
“ବୋଲଇ ପ୍ରଭୁ ଜଗନ୍ନାଥ,
ତୁମ୍ଭ ଦର୍ଶନେ ମୁଁ ମୁକତ ।
ମୋର ସକଳ ପାପ କ୍ଷୟେ,
ଦେଖିଲି ପ୍ରଭୁ ଦେବରାୟ ।
ଦର୍ଶନ କଲି ବ୍ରହ୍ମ ରୂପ,
ଖଣ୍ଡିଲି କୋଟି ଜନ୍ମପାପ ।
ଏବେ କୁହନ୍ତୁ ଏଭଳି ମୁକ୍ତିକାମୀ ଭକ୍ତ କ’ଣ ସମସ୍ତେ ହୋଇ ପାରିବେ ? ନିଶ୍ଚୟ ହୋଇ ପାରିବେ ଯଦି ଦଶ ଗୁଣ ଲକ୍ଷଣକୁ ଧାରଣ କରିବେ। ଆଗାମୀ ସମୟରେ ଭକ୍ତ ପ୍ରମାଣ ଦଶ ଲକ୍ଷଣ ଜାଣିବା ଓ ଅଭ୍ୟାସ କରିବା । ଏବେ କିନ୍ତୁ ଶୁଦ୍ଧ ମନରେ ଡାକିବା ଓଁ ନମୋ ଭଗବତେ ବାସୁଦେବାୟ । ଜୟ ଜଗନ୍ନାଥ
Comments are closed.