Latest Odisha News

BREAKING NEWS

କୃଷି ଆଇନ୍ ପ୍ରତ୍ୟାହାର ଓ ତା’ପରେ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…

ଶେଷରେ ତିନି ବିବାଦୀୟ କୃଷି ଆଇନ୍‌କୁ ପ୍ରତ୍ୟାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଘୋଷଣା କରିଛନ୍ତି । ଆସନ୍ତା ଲୋକସଭା ଅଧିବେଶନରେ ନୀତିଗତ ଭାବେ ଆଇନ୍‌ ତିନୋଟିକୁ ପ୍ରତ୍ୟାହାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବିବାଦୀୟ କୃଷି ଆଇନ୍ ତିନୋଟି ହେଉଛି :

୧- କୃଷି ଉତ୍ପାଦ ବିକ୍ରିବଟା ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁଗମକରଣ) ଅଧ୍ୟାଦେଶ-୨୦୨୦,
୨- ଚାଷୀ ମାନଙ୍କୁ (ସଶକ୍ତୀକରଣ ଓ ସୁରକ୍ଷା) ମୂଲ୍ୟର ଭରସା ଓ କୃଷିସେବା ଅଧ୍ୟାଦେଶ-୨୦୨୦
୩- ଜରୁରୀ ସାମଗ୍ରୀ (ସଂଶୋଧନ) ଅଧ୍ୟାଦେଶ-୨୦୨୦

ବ୍ୟବହାରିକ ଦୃଷ୍ଟିରୁ ଦେଖିଲେ ଏହି ଆଇନ୍ ତିନୋଟିର ଅସଲ ନାମ ହେଉଛି :

୧- ଏ.ପି.ଏମ.ସି. ଅତିକ୍ରମଣ ଅଧ୍ୟାଦେଶ
୨- ଠିକାଚାଷ ଅଧ୍ୟାଦେଶ
୩- କୃଷି ବ୍ୟବସାୟ (ଖାଦ୍ୟ ଗଚ୍ଛିିତ ରଖିବାର ସ୍ୱାଧୀନତା) ଅଧ୍ୟାଦେଶ

ଚାଷୀମାନଙ୍କ ମତରେ ଏହି ଅଧ୍ୟାଦେଶ ଗୁଡ଼ିକ ଦ୍ୱାରା ଚାଷ କ୍ଷେତ୍ରକୁ କମ୍ପାନୀମାନଙ୍କର ପ୍ରବେଶ ଅବାଧ ହୋଇଯିବ ଓ କମ୍ପାନୀର ପୃଥୁଳ ପୁଞ୍ଜି ତଳେ ଚାଷୀ ପେଶି ହୋଇଯିବେ । ଏହି ଆଇନ୍‌ ତିନୋଟି ଦ୍ୱାରା ଚାଷୀମାନଙ୍କ ଦୁର୍ଦ୍ଦଶା ବଢ଼ିଥାନ୍ତା ଓ କମ୍ପାନୀମାନେ କୃଷିଜାତ ଦ୍ରବ୍ୟର କ୍ରୟ ବିକ୍ରୟରେ ପ୍ରବେଶ କରି ହଜାର ହଜାର କୋଟି ଟଙ୍କା ମୁନାଫା ଲୁଟିଥାନ୍ତେ । ଏମିତି ପୂର୍ବରୁ ଆମେରିକା ଓ ୟୁରୋପର ଅନ୍ୟାନ୍ୟ ଦେଶମାନଙ୍କରେ ହୋଇସାରିଛି । ସେଠାରେ ଆଉ କୌଣସି ଛୋଟ ଚାଷୀ ନାହାନ୍ତି । କେବଳ ବହୁତ ବଡ଼ ଜମି ମାଲିକ ଅଛନ୍ତି ନହେଲେ କମ୍ପାନୀ ହାତରେ ଚାଷ ଅଛି । ଏହି ଆଇନ୍ ତିନୋଟିକୁ ରଦ୍ଦ କରିବା ପାଇଁ ଦୀର୍ଘ ୧୪ ମାସ କାଳ ହେବ ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଆସୁଥିଲେ ।

ସ୍ୱାଧୀନତା ପରେ ଚାଷୀମାନଙ୍କର ଏହି ଆନ୍ଦୋଳନକୁ ସବୁଠାରୁ ବଡ଼ ଜନଆନ୍ଦୋଳନ କୁହାଯାଇପାରେ । ଲକ୍ଷ ଲକ୍ଷ ଚାଷୀଙ୍କର ଏହି ମହାନ ଆନ୍ଦୋଳନ ସତ୍ତ୍ୱେ ବି ସରକାର କ୍ଷମତାର ଅହଙ୍କାରରେ ମଗ୍ନ ରହି ଆଇନ୍ ତିନୋଟି କେବେ ବି ପ୍ରତ୍ୟାହାର ହେବ ନାହିଁ ବୋଲି ଦୃଢ଼ୋକ୍ତି କରିଆସୁଥିଲେ । ଏପରିକି ସାରା ଦେଶକୁ ଜଗେଇ ଦେଇଥିବା ଏହି ଆନ୍ଦୋଳନସ୍ଥଳୀକୁ ପ୍ରଧାନମନ୍ତ୍ରୀ କେବେ ବି ଯାଇନଥିଲେ କିମ୍ବା ଚାଷୀମାନଙ୍କ ସହିତ ଆଲୋଚନା ବିକରିନଥିଲେ । କିନ୍ତୁ ଶେଷରେ ଚାଷୀମାନଙ୍କର ନିଷ୍ଠା, ସଂକଳ୍ପବଦ୍ଧତା ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ବିଜୟ ହୋଇଛି । ସରକାର ଚାଷୀଙ୍କ ଦାବୀ ପାଖରେ ମୁଣ୍ଡ ନୁଆଁଇଛନ୍ତି । ଅବଶ୍ୟ ଏଥିପାଇଁ ଚାଷୀମାନଙ୍କୁ ବହୁତ ମୂଲ୍ୟ ଦେବାକୁ ପଡ଼ିଛି । ଏହି ଆନ୍ଦୋଳନରେ ପ୍ରାୟ ୭୦୦ରୁ ଅଧିକ ଚାଷୀ ମୃତ୍ୟୁବରଣ କରିଛନ୍ତି । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ କ୍ଷମତାଶାଳୀ ଲୋକମାନେ ଗାଡ଼ି ଚଢ଼େଇ ମାରିବା ପରି କୁକର୍ମ କରିଛନ୍ତି । ଚାଷୀମାନଙ୍କ ରାସ୍ତାରେ ସରକାର କଣ୍ଟା ପୋତିଛନ୍ତି । ଆନ୍ଦୋଳନ ଚାରିପଟେ ବାଡ଼ ଘେରାଇଛନ୍ତି । ଚାଷୀମାନଙ୍କ ଆନ୍ଦୋଳନକୁ ନିରୁତ୍ସାହିତ କରିବା ପାଇଁ ତଥା ଭାଙ୍ଗିବା ପାଇଁ ସରକାର ସମସ୍ତ ପ୍ରୟାସ କରିଥିଲେ ।

ଚାଷୀମାନଙ୍କୁ ଖଲିସ୍ତାନୀ, ଆତଙ୍କବାଦୀ କୁହାଯାଇଛି । ଦେଶଦ୍ରୋହୀର ମିଛ ନିନ୍ଦା ଦେଇ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚେଷ୍ଟା କରାଯାଇଛି । କେନ୍ଦ୍ରର କ୍ଷମତାସୀନ ଦଳ ବିଜେପି ଓ ତାର ଭକ୍ତମାନେ ଚାଷୀମାନଙ୍କୁ ନିନ୍ଦା କରିବାକୁ କୌଣସି ବି ସୁଯୋଗ ଛାଡ଼ିନଥିଲେ । କିନ୍ତୁ ଚାଷୀମାନେ ପଛକୁ ହଟିନଥିଲେ । ଖରା, ବର୍ଷା, ଶୀତ, କାକରରେ ବସି ଆନ୍ଦୋଳନ ଜାରି ରଖିଥିଲେ । ଯାହାର ଫଳ ସାରା ଦେଶକୁ ମିଳିଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ଶାନ୍ତିପୂର୍ଣ୍ଣ ଭାବେ, ସଂକଳ୍ପ ଓ ନିଷ୍ଠାର ସହିତ ଜନ ପକ୍ଷଧର ହୋଇ ଆନ୍ଦୋଳନ କଲେ କ୍ଷମତାର ଅହଂକାର ନିଶ୍ଚୟ ଧରାଶାୟୀ ହେବ ।

ଚାଷୀମାନଙ୍କ ଏହି ବିଜୟରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଆମ ଦେଶର ଚାଷୀମାନଙ୍କ ଦୁର୍ଦ୍ଦଶାକୁ କେବଳ ଚାଷୀମାନଙ୍କ ସଙ୍ଗଠିତ ଶକ୍ତି ହିଁ ଦୂର କରିପାରିବ । କୌଣସି ରାଜନୈତିକ ଦଳମାନେ ଚାଷୀଙ୍କ ସହିତ ନଥିଲେ କି ଆଜି ବି ନାହାନ୍ତି । ଚାଷୀଙ୍କ ଭବିଷ୍ୟତ କେବଳ ଚାଷୀଙ୍କ ହାତରେ ହିଁ ଅଛି ବୋଲି ପ୍ରମାଣିତ ହୋଇଗଲା । ରାଜନୈତିକ ଦଳଙ୍କ ଇସ୍ତାହାର କି ପ୍ରତିଶ୍ରୁତି ନୁହେଁ ସଙ୍ଗଠିତ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଦୀର୍ଘକାଳୀନ ଲଢ଼େଇ ହିଁ ଚାଷୀଙ୍କୁ କ୍ରମାଗତ ଦୁର୍ଦ୍ଦଶାରୁ ମୁକ୍ତି ଦେଇପାରିବ ।

ଚାଷୀମାନଙ୍କର ଧୈର୍ଯ୍ୟର ପରୀକ୍ଷା ନେଉଥିବା କେନ୍ଦ୍ର ସରକାର ହଠାତ୍ ଏପରି ଚାଷୀଙ୍କ ଦାବୀକୁ ମାନିନେଇ ଆଇନ୍ ତିନୋଟିକୁ ପ୍ରତ୍ୟାହାର କରିବା ପଛରେ ଅସଲ ଉଦ୍ଦେଶ୍ୟ ନିକଟ ଭବିଷ୍ୟତରେ ଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ବୋଲି କୁହାଯାଉଛି । ଯଦିଓ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଚାଷୀମାନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି, କିନ୍ତୁ ମୋଦିଙ୍କର ଏହି ଘୋଷଣା ପଛରେ ନିଶ୍ଚିତ ଭାବେ ଉତ୍ତର ପ୍ରଦେଶ ଓ ପଞ୍ଜାବ ନିର୍ବାଚନର ଗନ୍ଧ ରହିଛି । ନିକଟ ଅତୀତରେ ହିମାଚଳ ପ୍ରଦେଶ, ରାଜସ୍ଥାନ, ପଞ୍ଜାବରେ ହୋଇଥିବା ଉପନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ବିଜେପି ବୁଝିଯାଇଥିଲା ଯେ କୃଷି ଆଇନ୍ ତିନୋଟିକୁ ନେଇ ଚାଷୀମାନଙ୍କ ଭିତରେ ପ୍ରଚୁର ଅସନ୍ତୋଷ ରହିଛି, ଯେଉଁଥିପାଇଁ ସେମାନଙ୍କ ପରାଜୟ ସାମ୍‌ନା କରିବାକୁ ପଡ଼ିଲା ।

ଏତଦ୍‌ବ୍ୟତୀତ ୨୦୧୯ ନିର୍ବାଚନରେ ବିଜେପି ୪୪ ପ୍ରତିଶତ ଚାଷୀଙ୍କର ଭୋଟ୍ ପାଇଥିଲା । ଅନ୍ୟ ବାକି ବୃତ୍ତିର ଲୋକମାନଙ୍କର ୪୩ ପ୍ରତିଶତ ଭୋଟ ପାଇଥିଲା । ଅର୍ଥାତ ସର୍ବାଧିକ ଚାଷୀମାନଙ୍କର ଭୋଟ୍ କେବଳ ବିଜେପିକୁ ଯାଇଥିଲା । ଉପନିର୍ବାଚନରେ ପରାଜୟ ପରେ ବିଜେପିର ରଣନୀତିକାର ମାନେ ବୁଝିଯାଇଥିଲେ ଯେ, ଚାଷୀମାନଙ୍କୁ ଅସନ୍ତୁଷ୍ଟ କରି ଉତ୍ତର ପ୍ରଦେଶ, ରାଜସ୍ଥାନ, ପଞ୍ଜାବ ଏପରିକି ୨୦୨୪ ନିର୍ବାଚନ ଜିତି ହେବ ନାହିଁ । ତେଣୁ ଅନ୍ୟ ଶବ୍ଦରେ କହିଲେ ମୋଦିଙ୍କ ପାଖରେ କୃଷି ଆଇନ୍‌ ତିନୋଟିକୁ ପ୍ରତ୍ୟାହାର କରିବା ବ୍ୟତୀତ ଆଉ କୌଣସି ଉପାୟ ନଥିଲା । ଯାହାବି ହେଉ ସଂଘର୍ଷର ବିଜୟ ହେଲା ଓ କ୍ଷମତାର ଅହଙ୍କାର ହାର୍ ମାନିଲା । ସାମଗ୍ରିକ ଦୃଷ୍ଟିକୋଣରୁ ଦେଖିଲେ ଏହା ଗଣତନ୍ତ୍ରର ବିଜୟ । କିନ୍ତୁ କେନ୍ଦ୍ର ସରକାର ଚାହିଁଥିଲେ, ଆହୁରି ପୂର୍ବରୁ ଏପରି କରିପାରିଥାନ୍ତେ ବା ଆଇନ୍ ତିନୋଟିକୁ ଆଣିବା ପୂର୍ବରୁ ଚାଷୀ ଓ ଚାଷୀମାନଙ୍କ ସଙ୍ଗଠନ ସହିତ ବିଚାର ବିମର୍ଶ କରିପାରିଥାନ୍ତେ । ଏହା ଆହୁରି ଅଧିକ ଗଣତାନ୍ତ୍ରିକ ହୋଇଥାନ୍ତା ଓ ଆମ ଗଣତନ୍ତ୍ରର ପରିପକ୍ୱତାର ପରିଚୟ ଆହୁରି ପ୍ରସାରିତ ହୋଇଥାନ୍ତା ।

ବିବାଦୀୟ କୃଷି ଆଇନ୍ ତିନୋଟିର ପ୍ରତ୍ୟାହାର ଏକ ବିଜୟ ହୋଇପାରେ କିନ୍ତୁ ଏହା ଆରମ୍ଭ ମାତ୍ର । ଚାଷୀମାନଙ୍କୁ ନିଜର ଭାଗ୍ୟ ବଦଳେଇବା ପାଇଁ ଆହୁରି ଆଗକୁ ଯିବାକୁ ହେବ । କେବଳ ଏହି ଆଇନ୍ ତିନୋଟିର ପ୍ରତ୍ୟାହାର ନୁହେଁ, ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦନର ଉଚିତ୍‌ ମୂଲ୍ୟ ପାଇଁ ଲଢ଼େଇ କରିବାକୁ ହେବ । ସର୍ବନିମ୍ନ ସହାୟକ ମୂଲ୍ୟକୁ ଏକ ଯୁକ୍ତିଯୁକ୍ତ ନ୍ୟାୟପୂର୍ଣ୍ଣ ସ୍ତରକୁ ଆଣିବାକୁ ହେବ । ସବୁ ଜିନିଷର ମୂଲ୍ୟ ଆକାଶ ଛୁଉଁଥିବା ବେଳେ କୃଷିଜାତ ଦ୍ରବ୍ୟର ବି ନ୍ୟାୟପୂର୍ଣ୍ଣ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ହେବ । ଏଥିପାଇଁ ପ୍ରଥମେ ସର୍ବନିମ୍ନ ସହାୟକ ମୂଲ୍ୟକୁ ସାରା ଦେଶରେ କଡ଼ାକଡ଼ି କରିବାକୁ ହେବ । ଚାଷୀମାନଙ୍କୁ ଚାଷ କ୍ଷେତ୍ରରେ ବାହ୍ୟ ନିର୍ଭରଶୀଳତା କମ୍ କରିବାକୁ ହେବ । ପରିଣାମସ୍ୱରୁପ ଚାଷୀମାନେ ସ୍ୱାବଲମ୍ବନଶୀଳ ହୋଇପାରିବେ । ଏକ ସ୍ୱାବଲମ୍ବନଶୀଳ ଚାଷୀକୂଳ ହିଁ ସ୍ୱାବଲମ୍ବନଶୀଳ ଦେଶ ନିର୍ମାଣ କରିପାରିବେ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮
ମୋ-୯୪୩୮୪୬୮୪୭୪

Leave A Reply

Your email address will not be published.