Latest Odisha News

BREAKING NEWS

ପୁସ୍ତକ ପରିଚୟ : ଈଶ୍ୱରଙ୍କ ଭାଡ଼ି

ଈଶ୍ୱରଙ୍କ ଭାଡ଼ି
କବି : ବଳରାମ ପୂଜାରୀ
ପ୍ରକାଶକ : ପେନ ଇନ ବୁକ୍ସ
ଭୁବନେଶ୍ୱର
ପୃଷ୍ଠା : ୧୨୮
ମୂଲ୍ୟ : ୧୯୯

କବିତା ଯାହା ମନକୁ ଛୁଏଁ, ଯାହା ହୃଦୟରେ ଆବେଗ ଭରେ, ଯାହା ପ୍ରାଣକୁ ପୁଲକିତ କରେ, ଯାହା ସବୁ ଅନୁଭବରେ ଜୀବନ ଭରିପାରେ, ସେ ହିଁ ଯେ ନିର୍ଜୀବକୁ ବି ଦେଇପାରେ ମୋକ୍ଷ, ଭରିପାରେ ଅହରହ ଭାବନାର ଭରପୁର ଆଲୋଡନ, ଶବ୍ଦକୁ ଛନ୍ଦି କରିପାରେ ତରଙ୍ଗକୁ ଉନ୍ମାଦିତ । ଆଉ ସେ ଉନ୍ମାଦନା ପ୍ରତିଥର ଭିଡିନିଏ ପାଠକକୁ ଏକ ଅଫେରା ରାଇଜକୁ, ଭିଜେଇବା ପାଇଁ ତା’ର ଭାବନାର ବର୍ଷାରେ, ତା’ର ଅବ୍ୟକ୍ତିରେ ଟିକେ ଅବୟବ ଭରିବା ପାଇଁ ମାଦକତାରେ ଟିକେ ମଜ୍ଜି ଯିବା ପାଇଁ ।

“ଈଶ୍ଵରଙ୍କ ଭାଡି” କବିତା ସଙ୍କଳନର ରଚୟିତା କବି ବଳରାମ ପୂଜାରୀ ଆମ ଓଡିଶା ମାଟିର ସୁଦୂର ମାଲିକାନଗିରି ଜିଲ୍ଲାର କୁଡୁମୁଲୁଗୁମ୍ମା ଅଞ୍ଚଳର କବି। କବି ନୁହନ୍ତି ତ ସେହି ମାଟି ଦେଶର ପାହାଡ, ଜଙ୍ଗଲ, ମାଟି ଦେହରେ ଜୀବନ ଭରୁଥିବା ଏକ ନିଆରା ବ୍ୟକ୍ତିତ୍ୱ । ଯେମିତି ସେ ଶୁଣିପାରନ୍ତି ତାଙ୍କ ଛାତି ତଳର ଯନ୍ତ୍ରଣା, କୋହ, ଆବେଗ, କଥା ଓ ବ୍ୟଥାର ଅସ୍ପଷ୍ଟ ସ୍ବର, ଆଉ ଅନୁଭବ ବି କରିପାରନ୍ତି ତାଙ୍କ ମନର ଅଭିମାନକୁ ଆଉ ପରଖି ପାରନ୍ତି ସେ ନିର୍ଜୀବ ସତ୍ତାରେ ଉଲ୍ଲସିତ ହୋଇ ଉଠୁଥିବା ଆନନ୍ଦର ପ୍ରତିଟି ସ୍ଫୁଲିଙ୍ଗକୁ । ସେ ବି ବାରି ପାରନ୍ତି ତାଙ୍କ କ୍ରୋଧର କରାଳତାକୁ ଏବଂ ମାପି ପାରନ୍ତି ଉତକ୍ଷିପ୍ତତାର ତୀବ୍ରତାକୁ । ତାଙ୍କ ଶବ୍ଦ ହିଁ ଯଥେଷ୍ଟ କବିଙ୍କୁ ଆଦରିବା ପାଇଁ, ତାଙ୍କ ସମ୍ବନ୍ଧରେ ପଦ ବିନ୍ୟାସ ଯୋଡିବା ପାଇଁ । ସେ ଚିତ୍କାରରେ ହିଁ ଥାଏ ସେତିକି ସ୍ବର ସୁଦୂର ମାଲିକାନଗିରିର କଥାକୁ ପ୍ରକମ୍ପିତ କରିବା ପାଇଁ, ସେ ଆତୁରରେ ବି ଥାଏ ସେତିକି କୋହ ଆବେଗରେ ଭିଜେଇ ଦେବା ପାଇଁ ।

“ଈଶ୍ବରଙ୍କ ଭାଡି” କବିତା ସଙ୍କଳନଟି କବିଙ୍କର ଚତୁର୍ଥ ସଂସ୍କରଣ । କେବଳ ସଙ୍କଳନଟିଏ ନୁହେଁ : ଏ ପୁସ୍ତକର ସମଗ୍ର ନିର୍ଜାସ, ଫର୍ଦ୍ଦ ଫର୍ଦ୍ଦ କରି ଯୋଡିଛନ୍ତି ପଂକ୍ତିକୁ ଜୀବନ୍ୟାସ ଦେଇ, ପୃଷ୍ଠାର କାନଭାସ୍ ଉପରେ ମାଟି, ମଣିଷ ଏବଂ ପ୍ରକୃତିକୁ ତୋଳିଧରିଛନ୍ତି ଶବ୍ଦର ସପ୍ତରଙ୍ଗ ଭରି। ସେହି ଆଦିମ ମଣିଷଙ୍କ ସ୍ବର ଯାହା ଦିନେ ସ୍ପର୍ଦ୍ଧିତ ହୋଇପାରୁ ନଥିଲା, କବି ତାକୁ କରିଛନ୍ତି ଏକଜୁଟ୍ କରି ପ୍ରତିଧ୍ବନିତ କରିବାର ମାଧ୍ୟମଟିଏ ହୋଇ । ବେଶ ସ୍ପଷ୍ଟ ଭାବରେ ଶିଖୋଉଛନ୍ତି ଜୀବନ ଓ ଜଞ୍ଜାଳ ଭିତରେ ବି ବଞ୍ଚିବାର ମହାର୍ଘ୍ୟ ଆନନ୍ଦ। ଏଇତ ମାଟିଲେସା ଜୀବନ, ଯେଉଁଠି ନିଷ୍ପେଶିତ ସବୁ ଆଲୋଡନ ତଥାପି ବଞ୍ଚିଛି ସ୍ବପ୍ନ, ଆଦରିବା ପାଇଁ ଏକ ମୁହୁର୍ତ୍ତ। ଏହା ହିଁ ତ ଶିଖାଏ ସମୟ ପ୍ରକୃତିକୁ ଆମ ଆଗରେ ଥୋଇ ଦେଇ। ସବୁ ଝଡ ଝଞ୍ଜା ପରେ ବି ସେମିତି ନିଶ୍ଚଳ ଆଉ ନିର୍ବାକ୍ । ବୈଶାଖରେ ଝାଉଁଳି ପଡିଥିବା ସବୁଜିମା ନା କେବେ ପ୍ରତିବାଦ କରେ ନା ତା’ର ଯନ୍ତ୍ରଣାକୁ ପ୍ରକାଶ, ସେ ବ୍ୟଥାରେ ବି ସେ ଆନନ୍ଦ ଖୋଜେ, ପଥିକକୁ ଆଶ୍ରୟ ଦିଏ, କର୍ତ୍ତବ୍ୟକୁ ଆଦରେ, ପୁଣି ଆସେ ବସନ୍ତ, ଝଲସି ଉଠେ ତା’ର ଜୀବନ, ଆଉ ଚତୁର୍ଦିଗ ତା’ ଆନନ୍ଦର ସୁବାସରେ ମହ ମହ ହୋଇ ବାସେ।

ସେ ଲେଖୁଛନ୍ତି,
” ଜୀବନ ସବୁ ଦୌଡୁଥିଲେ,
ମୁଠା ମୁଠା ପରମାୟୁ ସନ୍ଧାନରେ,
ଦରମରା ଅୟୁତ ଆୟୁଷ୍ମାନଙ୍କ ଭିଡ ଭିତରେ,
ଖୋଜୁଥିଲେ ନିଜନିଜ ସୁରକ୍ଷିତ ସ୍ଥାନ,
କାକୁସ୍ଥ କରୁଥିଲା ସମୟର ଡାକ,
ତୋତେ ଛାଡି ଯିବାକୁ ହେବ ,
ଏ ପିଣ୍ଡ ।। ”

ଜୀବନର ମହତ୍ତ୍ବକୁ ଛନ୍ଦି ଦେଇଛନ୍ତି ଏଇ କେଇ ଧାଡି ପଂକ୍ତିର ଦେହରେ। ପରମାୟୁକୁ ଜାବୁଡି ଧରି କେତେ ଆଉ ସମୟର ସ୍ରୋତରେ ବହିପାରିବୁ । ନିଶ୍ଚେ ଫେରିଯିବାକୁ ହେବ ଦିନେ।

ସମୁଦାୟ ପଇଁଚାଳିଶଟି କବିତାରେ ପୂର୍ଣ୍ଣତା ପାଇଛି କବିତା ପୁସ୍ତକଟି। ପ୍ରତିଟି କବିତା ତା’ ମନର କଥାକୁ ଉଚ୍ଚାରିବା ପାଇଁ ଯେମିତି ବ୍ୟଗ୍ର। ଅନେକ ପ୍ରକାରର ଶବ୍ଦ ସମ୍ଭାରରେ ପଦଗୁଡିକ ହୋଇ ଉଠିଛନ୍ତି ପରିସ୍ଫୁଟ। କେବଳ ଆଳଙ୍କାରିକ ଶବ୍ଦ ନୁହେଁ, ଅନେକ ପ୍ରକାର ଦେଶଜ ତଥା ଆଧୁନିକ ଶବ୍ଦର ମିଳନ ଘଟିଛି କବିତାର ପୃଷ୍ଠଉପରେ । ତା’ସହ ପଂକ୍ତିକୁ ଆହୁରି ମନୋରମ କରିଛନ୍ତି ମଝିରେ ମଝିରେ ବ୍ୟବହାର କରାଯାଇଥିବା କିଛି କିଛି ସେହି ମାଟିଦେଶର ମାଟି ମଣିଷଙ୍କର ଚିରାଚରିତ ଶବ୍ଦ ପୁଞ୍ଜ। ଖୁବ୍ ଆଦରରେ ଜାବୁଡି ଧରିବା ପାଇଁ ସକ୍ଷମ ପାଠକକୁ ପଦର ଭାବରେ।
ଯେପରି “ମାଲ୍ୟବନ୍ତରେ ନବବର୍ଷ ” କବିତାରେ ଲେଖୁଛନ୍ତି –

“ଗୀତକୁଡିଆଣୀ କଣ୍ଠରେ ଜୀବନ ଭଗ୍ନାଂଶର ମହାମନ୍ତ୍ର,
ଧାଂଗଡି ବସାର ଲାଉ ଡଙ୍କରେ ଅଟକି ରହିଛି,
ଆଦିବାସୀ ଅଭିଧାନର ଅଭିନନ୍ଦନୀୟ ବାର୍ତ୍ତା,
ପୁରୁଷ ପୁରୁଷ ଧରି କୋଡକି ଥିବା ଡଙ୍ଗରର,
ପଟ୍ଟା ପାଉତିରେ ଲେଖାଅଛି, ଜୀବନ ଜୀବିକାର

ସେମିତି କିଛି ରସ ସିକ୍ତ ହୋଇ ଉଠିଛି ଆଉ କିଛି ପଂକ୍ତି
“ମାଟିମଣ୍ଡପ” ରେ

କଅଁଳିଆ ଚାଙ୍ଗୁଡିଏ ହଳଦିଆ ଖରା ଧରି,
ପାହାଡ ଖୋଲରୁ ଡେଇଁ ପଡିଛନ୍ତି ସକାଳୁଆ ସୂର୍ଯ୍ୟ,
ଭୂଜାଖିଆ ଚାଙ୍ଗୁଡିରେ ଖସି ପଡୁଛି,
ତଟକା ତଟକା ଖରାପିଠିଆ ତାରାଫୁଲ ମାନେ,
କେମିତି ଶିଆଡି ପତ୍ରର କଢିମାନେ,
ପାଲଟି ଯାଉଛନ୍ତି ରଙ୍ଗବେରଙ୍ଗର କବିତା?
ଲାଲ୍ ଲାଲ୍ ମାଙ୍କଡା ପଥରମାନେ,
ଆଙ୍କି ଚାଲିଛନ୍ତି ଭଳି କି ଭଳି ମୁରୁଜ

ସେହି ଆଦିମ ଶବ୍ଦ, ଆଜି ଖୁବ୍ ଅଶୁଣା ଆଉ ଅଜଣା ଅନେକଙ୍କ ପାଇଁ, କବି ତାକୁ ସାଉଣ୍ଟିବା ପାଇଁ ଚାହିଁଛନ୍ତି ତାଙ୍କ କବିତାର ପଦରେ। କହିବା ପାଇଁ ଚାହିଁଛନ୍ତି ସେ ଶବ୍ଦର ଅନ୍ତଃସ୍ବର । ଆଉ ବଖାଣିବା ପାଇଁ ଚାହିଁଛନ୍ତି ତା’ର ଭାବାର୍ଥ ।

କିଛି ପଂକ୍ତି ବି ହୋଇଉଠିଛନ୍ତି ଆଳଙ୍କାରିକ,
ଶବ୍ଦାଳଙ୍କାରରେ ହୋଇପଡିଛନ୍ତି ଚାତୁର୍ଯ୍ୟ
ଯେମିତି-
“ମାଟିମଗ୍ନା” କବିତାରେ ଲେଖୁଛନ୍ତି

“ବାଲିଗୋଡି ସାମ୍ରାଜ୍ୟର ନିରୁତ୍ତର ଉତ୍ତରଟିଏ,
ନିମଗ୍ନ ମଗ୍ନତାର ମଗ୍ନମୟ ପୂର୍ଣ୍ଣଗର୍ଭା,
ଜଳମୟ ଜଳୌତ୍ସବରେ ଆବଦ୍ଧ ଭୂଖଣ୍ଡ !
ପ୍ରକୃତି ପ୍ରଗଳ୍ଭା ଐଶ୍ବର୍ଯ୍ଯର ମେଦିନୀ, ଶୋଭାମୟୀ, ବିଭାମୟୀ

କେତେ କେତେ ଶବ୍ଦ ପୁଞ୍ଜଙ୍କର ଯେମିତି ଘଟିଛି ଏକ ମନୋଜ୍ଞ ସମାଗମ । କବିତାରେ ସେମାନଙ୍କ ଉପସ୍ଥିତି କରୁଛନ୍ତି ଭାବାର୍ଥକୁ ଋଦ୍ଧିମନ୍ତ ।
କବିତା “ଈଶ୍ବରଙ୍କ ଭାଡି ” ବାସ୍ତବରେ ଚେତେଇ ଦେଉଛନ୍ତି ସତ୍ୟାସତ୍ୟକୁ, ଈଶ୍ଵରଙ୍କର ସତ୍ତାକୁ,
“ଏଇଠୁ ଆରମ୍ଭ ହୁଏ ସୃଷ୍ଟିର ସର୍ଜନା,
ଆକାଶ, ପାତାଳ, ସ୍ବର୍ଗ, ମର୍ତ୍ତ୍ୟ ବୈକୁଣ୍ଠ,
ସବୁର ନାଭି କେନ୍ଦ୍ର ଏଇ ନଭଶ୍ଚୁମ୍ଭି ଚେତନା,
ସବୁ ପ୍ରତିଶୃତି ମାନେ ଏଇଠି ରୂପ ବଦଳାଇ,
ଉଭେଇ ଯାଆନ୍ତି ଗନ୍ତବ୍ୟ ପଥରେ????

ସତରେ କେତେ ବାସ୍ତବିକତାକୁ ବହନ କରୁଛନ୍ତି, ସାମଗ୍ରିକ ଚେତନାକୁ ଇଙ୍ଗିତ କରି । ତାଙ୍କ “ବର୍ତ୍ତମାନ”, “ଅତୀତ”, “ଭବିଷ୍ୟତ” ଯେମିତି ସମୟର ସ୍ବରୂପକୁ ଦର୍ଶାଇବା ପାଇଁ ଚେଷ୍ଟା କରୁଛନ୍ତି, ସେମିତି “ମାଟିମଗ୍ନା “, “ଚିତ୍ରକୋଣ୍ଡା ଘାଟି” , “ମାଟି ବୈକୁଣ୍ଠ” , “ବାରଡଙ୍ଗରରେ ବସନ୍ତ” ଆଦି କବିତା ସେହି ପ୍ରକୃତିର ସ୍ବରକୁ ଚିତ୍କାରୀ ଉଠିଛନ୍ତି । ସେପରି “ଅଗ୍ନିରୂପା”, “ଭୋକ” , “ଧୂଡୁ”, “ତ୍ରାହି” ଆଦି ହୋଇଉଠିଛନ୍ତି ଆବେଗସିକ୍ତ, ଭାବନାକୁ କରିବା ପାଇଁ ସକ୍ଷମ ଆବେଗିକ।

କବିଙ୍କ କଲମ ନିସୃତ ଏଭଳି କୌଣସି ପଦ ନାହିଁ, ଯାହା ମନରେ ଏକ ଅମଳିନ ରେଖା ଟାଣିବା ପାଇଁ ସମର୍ଥ ନୁହେଁ । ସବୁଥିରେ ରହିଛି କିଛି ନା କିଛି ସାମାଜିକ ବାର୍ତ୍ତା । ଚିରାଚରିତ ମନୋରଞ୍ଜନ ଧର୍ମୀ କବିତା ଅପେକ୍ଷା ଏକ ଭିନ୍ନ ସ୍ବାଦର ଏକ ଅଭିନବ ପରିବେଷଣ । ପାଠକକୁ ବାନ୍ଧି ରଖିପାରିବାର ଏକ ମହାର୍ଘ୍ୟ ମିଳନ। ଶବ୍ଦ ସମ୍ଭାରରେ ଋଦ୍ଧିମନ୍ତ ପଂକ୍ତି ପ୍ରକୃତିର ଗାଥା ବଖାଣିବା ସହ ଶିଖେଇ ଦେଉଛନ୍ତି ଜୀବନ, ଜଞ୍ଜାଳର ଅନେକ କଥା ତଥା ସମାଜୋପଯୋଗୀ ମହତ୍ୱପୂର୍ଣ୍ଣ ବାର୍ତ୍ତା ।

ଜ୍ୟୋତିର୍ମୟୀ ସାହୁ 
ସହକାରୀ ଶିକ୍ଷାୟତ୍ରୀ
ସରକାରୀ ଉଚ୍ଚ ବିଦ୍ୟାଳୟ
ଡିଙ୍ଗର

Leave A Reply

Your email address will not be published.