Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୮

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଛି, ଏଠାରେ ପ୍ରଶ୍ନ ଉଠେ ମହାପ୍ରଭୁ ତ ପ୍ରତିଦିନ ସ୍ନାନ କରନ୍ତି, ତେବେ ଏ ସ୍ୱତନ୍ତ୍ର ସ୍ନାନ ଉତ୍ସବ କଣ ପାଇଁ ? ଏଇଠି ଗୋଟିଏ କଥା ଆପଣଙ୍କ ଗୋଚରାର୍ଥେ ଜଣାଉଛି ଯେ ପ୍ରଭୁଙ୍କର ପ୍ରତିଦିନର ସ୍ନାନ ପ୍ରତ୍ୟକ୍ଷ ସ୍ନାନ ନୁହେଁ ଏହା ମନ୍ତ୍ର ସ୍ନାନ ବା ବିମ୍ବ ସ୍ନାନ. କିନ୍ତୁ ଆଜି ମହାପ୍ରଭୁ ପ୍ରତ୍ୟକ୍ଷ ସ୍ନାନ କରିବେ।

ସେଥିପାଇଁ ଯାତ୍ରା ଭାଗବତରେ ଉଲ୍ଲେଖ ଅଛି

“ଜ୍ୟେଷ୍ଠମାସି ସିତେ ପକ୍ଷେ ପୌର୍ଣମ୍ୟାଂ ଜଗଦୀଶ୍ଵରମ୍  ସ୍ନାପୟେତୀର୍ଥ ତୋୟେନ ସର୍ବମଙ୍ଗଳ ସିଦ୍ଧୟେ । ”

ଅତି ପୁରାତନ କାଳରେ କାଠ ନିର୍ମିତ ମଣ୍ଡପରେ ମହାପ୍ରଭୁଙ୍କୁ ଅଧିଷ୍ଠିତ କରାଇ ଭାରତବର୍ଷର ବିଭିନ୍ନ ତୀର୍ଥ ଜଳରେ ସ୍ନାନ କରାଯାଉଥିଲା । କାଳକ୍ରମେ ସ୍ନାନ ମଣ୍ଡପ ନିର୍ମିତ ହୋଇଛି, ଓ ବିଭିନ୍ନ ତୀର୍ଥ ଜଳ ଆଣିବା ଅସୁବିଧା ହେବାରୁ ମନ୍ଦିର ମଧ୍ୟସ୍ଥ ‘ସୁନା କୂପ ‘ରୁ ୧୦୮ ଗରା ଜଳ ସଂଗ୍ରହ କରାଯାଇ ସ୍ନାନ କରାଯାଉଛି । କଥିତ ଅଛି ସ୍ନାନ ଯାତ୍ରା ସମୟରେ ଭାରତ ର ସମସ୍ତ ତୀର୍ଥ ଏହି କୂପରେ ଅବସ୍ଥାନ କରନ୍ତି. ଏହି କୂପ ବର୍ଷ ସାରା ଆବୃତ ହୋଇ ରହେ ଓ ସ୍ନାନ ପୁର୍ଣିମା ପୂର୍ଵ ଦିନ ଏହା ଖୋଲାଯାଏ ଓ ଏହାର ଜଳକୁ ଚୁଆ, ଚନ୍ଦନ, କର୍ପୁର ଆଦି ପକାଇ ଅଧିବାସ କରାଯାଏ । ସମୁଦାୟ ୧୦୮ ଗରା ଜଳରୁ ଶ୍ରୀଜଗନ୍ନାଥ ୩୫ ଗରା, ଶ୍ରୀବଲଭଦ୍ର ୩୩ ଗରା, ମା ସୁଭଦ୍ରା ୨୨ ଓ ଶ୍ରୀସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରନ୍ତି । ସ୍ନାନ ପରେ ଗଜାନନ ବେଶ ହୁଅନ୍ତି, ଏହାର ବିଷଦ ବିବରଣୀ କାଲିକୁ ଜାଣିବା, ଆଜି ଆକୁଳ କଣ୍ଠରେ ପ୍ରାର୍ଥନା କରିବା ।

” ଚାଲ ସଖି ଆମେ ଦର୍ଶନ କରିବା ନୀଳଗିରି କାଳିଆଙ୍କୁ,
କେଉଁ ସୁରପତି ବେଶ କରିଅଛି, ଗିରିବର ତୋଳିଆଙ୍କୁ । “

ଜୟ ଜଗନ୍ନାଥ.

Comments are closed.