ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୮
ମୂଳ ହିନ୍ଦୀ: ଯଶପାଲ
କର୍ଫ୍ୟୁଜାଲ ସାରା ସହରଟାକୁ ଗୋଟାପଣେ ଆବୋରି ବସିଥିଲା । ଚାରିଆଡ଼େ ଅନ୍ଧାର ଓ ନୀରବତା ବିରାଜମାନ କରୁଥିଲା । ଗଙ୍ଗୁ-କୀ-ଗଳିର ଦୁଇକଡ଼େ ଠିଆ ହୋଇଥିବା ଦୁଇ ତିନିମହଲା କୋଠାଘରଗୁଡ଼ିକର କବାଟ ଫାଙ୍କରୁ କେଉଁଠୁ ହେଲେ ଆଲୋକର କ୍ଷୀଣ ରେଖାଟିଏ ସୁଦ୍ଧା ଦିଶୁ ନ ଥିଲା । ଏପରିକି କାଁ ଭାଁ କେଉଁଠି ହେଲେ ଜୀବନର ସତ୍ତା ଥିବାପରି ଲାଗୁନଥିଲା । ଚାରିଦିନ ତଳେ ଏଇ ଗଳିରେ ନିଆ ଲାଗି ସବୁ ବିଜୁଳିତାର ଓ ବତିଖୁଣ୍ଟରେ ଖଞ୍ଜା ଯାଇଥିବା ବଲ୍ବସବୁ ନଷ୍ଟ ହୋଇ ଯାଇଥିଲା । ଏବେ ଚାରିଆଡ଼େ କେବଳ ଅନ୍ଧାର ଆଉ ନୀରବତା ବିରାଜମାନ କରୁଥିଲା । ରାସ୍ତା ଦି’କଡ଼େ ଠିଆ ହୋଇଥିବା ଅଗ୍ନିଦଗ୍ଧ ଘରଗୁଡ଼ିକ ସେ ଅନ୍ଧାର ଓ ନୀରବତାକୁ ଆହୁରି ଭୟଙ୍କର ଓ ଅସହ୍ୟ କରି ପକାଉଥିଲେ । କେବଳ ଏଇ ଗଳି ନୁହେଁ, ଗଳି ଆଗର ସୟିଦ୍ ମିଠା ବଜାରଟା ସାରା ବି ଏମିତି ଅନ୍ଧାର ଓ ଜନଶୂନ୍ୟ ଲାଗିଥିଲା । ଏ ବଜାରରେ କାଁ ଭାଁ କେଉଁଠି ଜଳୁଥିବା ଛୋଟ ଛୋଟ ବିଜୁଳିବତି ପରିବେଶକୁ ଆହୁରି ଗମ୍ଭୀର ଓ ଭୟଙ୍କର କରି ତୋଳୁଥିଲା ।
ଲାହୋର ସହର ସମସ୍ତଙ୍କ ନିକଟରେ ପରିଚିତ ତା’ର ମନଲୋଭା ଫୁଲବଗିଚା ଓ ଜନଗହଳି ଲାଗି । ହେଲେ ଦେଶ ବିଭାଜନ ପରେ ଏବେ ଏ ସହରଟା ସାରା ଯେମିତି ଭୟ ଓ ଘୃଣା ଭରିଯାଇଥିଲା । ଗୋଟିଏ ସମ୍ପ୍ରଦାୟର ମନରେ ଅନ୍ୟ ସମ୍ପ୍ରଦାୟ ପ୍ରତି ସୃ୍ଷ୍ଟି ହୋଇଥିବା ଘୃଣା । ସେଇ ଘୃଣା ଏବେ ସତେକି ସହରଟାକୁ ଗୋଟାପଣେ ଧ୍ୱଂସ କରିପକାଇଥିଲା । ଯେଉଁଆଡ଼େ ଚାହିଁବ ସେଇ ଘୃଣାର କ୍ଷତ ଜଳଜଳ ହୋଇ ଦିଶୁଥିଲା । ଏପରି ଧ୍ୱଂସର ତାଣ୍ଡବଲୀଳାକୁ ରୋକିବାକୁ ସରକାରଙ୍କ ପକ୍ଷରୁ ଏବେ ସହରରେ କର୍ଫ୍ୟୁ ଜାରି କରାଯାଇଥିଲା ।
କର୍ଫ୍ୟୁଲଗା ସହରଟା ରାତିକୁ ଆହୁରି ଜାନ୍ତବ ଓ ଅସହ୍ୟ କରିପକାଉଥିଲା । ନୀରବ ନିଃସ୍ପନ୍ଦ ସହରଟାର ଆକାଶ ଉପରେ କଳା ବାଦଲସବୁ ଏମିତି ଜମାଟ ବାନ୍ଧିଥିଲେ ଯେ କେଉଁଠି ଗଛପତ୍ର ସୁଦ୍ଧା ହଲୁ ନ ଥିଲା । ତେର ତାରିଖ ବେଳକୁ ଗଙ୍ଗୁ କୀ ଗଳିରେ ଥିବା ସବୁ ହିନ୍ଦୁ ପରିବାର ସେ ଗଳି ଛାଡ଼ି ଅନ୍ୟତ୍ର ପଳାଇ ସାରିଥିଲେ । କେବଳ ସେଇ ଜଣେ ବୁଢ଼ୀ ମୁଲନ୍ ତାଇ ଯାହା ତା’ଘର ଛାଡ଼ି ଏପର୍ଯ୍ୟନ୍ତ ଯାଇ ନ ଥିଲା । ଯେଉଁ କେତେଜଣ ମୁସଲମାନ ଲୋକ ପ୍ରାୟ ସବୁଦିନ ଆସି ବଜାରର ଛୋଟ ଛୋଟ ଦୋକାନ ଆଗରେ ଥିବା ପିଣ୍ଡି ଉପରେ ବସୁଥିଲେ ସେମାନେ ଅଗଷ୍ଟ ମାସ ଆରମ୍ଭରୁ ଆଉ ଏ ଗଳି ମାଡ଼ି ନ ଥିଲେ । ସେମାନଙ୍କ ଭିତରେ ଥିଲେ ଦରଜୀ ନିୟାମତ୍, ପଥୁରିଆ ରସିଦ୍, ଜରିକାମକରା ନକ୍କୁ, ଛାପାଖାନା ମାଲିକ ଲତିଫ୍ ଆଦି । କେବଳ ରଙ୍ଗକାମକରା ଫଜ୍ଜୟ ଯାହା ଏ ଗଳି ଭିତରେ ଥିଲା ।
କାହିଁକିନା ବଜାରର କୋଣମୁଣ୍ଡକୁ ତା’ର ଖଣ୍ଡିଏ ଛୋଟ ଦୋକାନ ଥିଲା । ଫଜ୍ଜୟ ସାଥିରେ ତା’ପୁଅ ନସ୍ରୁ ବି ରହିଯାଇଥିଲା । ଏମାନଙ୍କୁ ଅଗତ୍ୟା ଏଠାରେ ରହିବାକୁ ଯାହା ପଡ଼ିଥିଲା । ଛଅଫୁଟ ଲମ୍ବ ଓ ଚାରିଫୁଟ ଓସାରର ଏଇ ଦେକାନ ଘରଟି ଥିଲା ବାପପୁଅଙ୍କ ଘର ଆଉ ଦୋକାନ । ଦୋକାନ ଆଗରେ ଲମ୍ବା ଲମ୍ବା ଦଉଡ଼ିସବୁ ବନ୍ଧା ହୋଇଥିଲା । ନୁଆଁଣିଆ ଓ ସରୁ ଦେକାନଟି ଆଗରେ ଲମ୍ବିଥିବା ଏ ଦଉଡ଼ିଗୁଡ଼ିକ ବି ଏବେ ପାପରା ହୋଇସାରିଥିଲା । ଯେତେବେଳେ ସହରରେ ସାମ୍ପ୍ରଦାୟିକ ଦଙ୍ଗା ଆରମ୍ଭ ହୋଇନଥିଲା ସେତେବେଳେ ଫଜ୍ଜୟ ଓ ନସରୁଙ୍କ ଦେକାନ ବେଶ୍ ଭଲ ଚାଲିଥିଲା । ଦିନ ତମାମ ବାପପୁଅ ମିଶି ସେଇ ଦଉଡ଼ିରେ ସେମାନଙ୍କ ଗ୍ରାହକମାନଙ୍କ ପଗଡ଼ି, ଶାଢ଼ି କିମ୍ବା ଚୁନ୍ନି ରଙ୍ଗକରି ସେସବୁକୁ ଶୁଖାନ୍ତି । ସେଥିରେ ଅଭ୍ରକ ଓ ଅଠାଦେଇ ପବନରେ ଶୁଖେଇଥାନ୍ତି । ତାଙ୍କର ସେଇ ଛୋଟ ଦେକାନ ଘରଟି ଭିତରେ ଆସବାବପତ୍ର କହିଲେ କବାଟ ନ ଥିବା ଗୋଟିଏ ଆଲମାରି ।
ସେଇଥିରେ ରଙ୍ଗପୁଡ଼ା ଓ ଅଭ୍ରଡବାସବୁ ସଜା ହୋଇ ରହିଥିବ । କୋଠରିର ଗୋଟିଏ କୋଣକୁ ବାପପୁଅ ରୋଜଗାର କରିଥିବା ସବୁ ସମ୍ପତ୍ତି ଠୁଳ ହୋଇ ରହିଥିବ । ଆଉ ସେ ସମ୍ପତ୍ତି ହେଲା – ଗୋଟିଏ ରସ ଢାଳ, ଯାହାର ଲମ୍ବା ନାଡ଼ଟି ଉପରକୁ ଅନେଇଥିବ; ଗୋଟିଏ ରସ ହାଣ୍ଡି ଓ ଆଉ କେଇଖଣ୍ଡ ପ୍ଲେଟ ଓ କପ୍ । ବାପପୁଅ ପିନ୍ଧୁଥିବା କେଇଟା ମଇଳା କୁର୍ତ୍ତା ଓ ପାଇଜାମା ସପ ଖଣ୍ଡିଏ ଉପରେ ଲୋଚାକୋଚା ହୋଇ ପଡ଼ିଥିବ । ରଙ୍ଗ ଓ ଅଠା ଗୋଳେଇବା ଲାଗି ଯେଉଁ ତିନୋଟି ହାଣ୍ଡି ସେମାନେ ବ୍ୟବହାର କରନ୍ତି ସେଗୁଡ଼ିକୁ ସେମାନେ ବାରଣ୍ଡାରେ ପଡ଼ିଥିବା ବେଞ୍ଚ୍ତଳେ ରାତିରେ ଉଗୁଡ଼େଇ ଦେଇଥାଆନ୍ତି । ଦୋକାନ ବାହାରେ କାନ୍ଥକୁ ଲାଗି ପାଣିଭରା ସୁରେଇଟିଏ ବର୍ଷ ତମାମ ଥୁଆ ହୋଇଥାଏ । କେବଳ ବର୍ଷା କି ଶୀତଦିନକୁ ଛାଡ଼ି ବାପପୁଅ ଅନ୍ୟବେଳେ ପଦାରେ ଶୁଅନ୍ତି । ନସ୍ରୁ ରାସ୍ତା ଉପରେ ପଟିଟିଏ ପକେଇ ଶୋଇଯାଏ ଓ ଫଜ୍ଜୟ ଦୋକାନ କଡ଼ ଚଉତରା ଉପରେ ଗଡ଼ିପଡ଼େ । ନସ୍ରୁକୁ ଏ ଗଳିରେ ସମସ୍ତେ ଚିହ୍ନନ୍ତି, ତେଣୁ ତା’ଶେଯକଡ଼ ଦେଇ ସେମାନେ ଯା’ଆସ କରନ୍ତି । ଅନେକବେଳେ ରାତି ଅଧରେ ଶେଯ ଉପରେ ବସି ନସରୁ ‘ହୀର୍’ଅବା ସେମିତି ଆଉ କିଛି ଗୀତ ବଡ଼ପାଟିରେ ସ୍ୱରକରି ଗାଏ । ଗୀତ ବୋଲିବା କି ‘ହୀର୍’ ସୁର ଲମ୍ବେଇବାରେ ନସ୍ରୁ ଓ ରମେଶ ଦୁହେଁ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ।
ଫଜ୍ଜୟର ଦୋକାନଠାରୁ କେଇଟା ଘର ଛାଡ଼ି ରାସ୍ତା ଆରକଡ଼କୁ ରମେଶର ଘର । ଦି’ମହଲା କୋଠାଟିଏ । ରମେଶ ଯେତେବେଳେ ତାଙ୍କ ଘର ଝର୍କା ପାଖରେ ବସେ, କାନ ପାଖରେ ହାତଦେଇ ସେ ଉଚ୍ଚସ୍ୱରରେ ତା’ ଗୀତର ସୁର୍ ମେଲିଦିଏ । ନସ୍ରୁ ବି ରାସ୍ତା ଉପରେ ତା’ ପଟି ଖଣ୍ଡିକ ଉପରେ ବସିପଡ଼ି ରମେଶ ସାଙ୍ଗରେ ତାଳ ମିଳାଏ । ଦି’ଆଖି ବୁଜି, କାନ ପାଖରେ ହାତକୁ ରଖି ଓ ରମେଶର ଝର୍କା ଆଡ଼କୁ ମୁହଁକରି ସେ ଯେତେବେଳେ ସୁର୍ ଲମ୍ବେଇଦିଏ ସେତେବେଳେ ନିର୍ଜନ ରାତି ସତେକି
ପ୍ରାଣବନ୍ତ ହୋଇଉଠେ । ଆଉ ବେଳେବେଳେ ଦି’ଜଣଯାକ ସାଙ୍ଗ ରମେଶଙ୍କ କୋଠାଘର ବାଲକୋନିରେ ଏକାଠି ବସି ଗୀତ ଗାଆନ୍ତି ।
୧୯୪୭ ମସିହା ଜୁଲାଇ ମାସ ଶେଷ ବେଳକୁ ହିନ୍ଦୁମାନେ ସୟିଦ୍ ମିଠାବଜାର ଉପରେ ନିଜର ନିୟନ୍ତ୍ରଣ ଜମାଇ ସାରିଥାନ୍ତି । ଯେଉଁ କେତେଜଣ ମୁସଲମାନ ସେ ବଜାରରେ ରହୁଥିଲେ ସେମାନଙ୍କୁ ହତ୍ୟା କରାଯାଇ ସାରିଥାଏ । ଏବେ ଯେହେତୁ ସେଠାକୁ ଆଉ କୌଣସି ମୁସଲମାନ ଗ୍ରାହକ ଆସୁନଥିଲେ, ଗଙ୍ଗୁ-କୀ- ଗଳିର ମୁସଲମାନ ଦୋକାନୀମାନେ ବି ସେମାନଙ୍କ ବେଉସା ଛାଡ଼ି ଅନ୍ୟ ପଳାଇ ସାରିଥିଲେ । କେବଳ ଯାହା ଫଜ୍ଜୟ ଓ ନସ୍ରୁ ଏ ଗଳି ଛାଡ଼ି ଯାଇ ନ ଥାନ୍ତି । ଏସବୁ ସାମ୍ପ୍ରଦାୟିକ ଦଙ୍ଗାରେ ଆଦୌ ବିବ୍ରତ ନୁହେଁ ବୋଲି ଛଳନା କରି ସେ ମନେମନେ ଆଲ୍ଲା, ରାମ ଆଉ ଅନ୍ୟ ଦିଅଁ ଦେବତାଙ୍କୁ ଡାକୁଥିଲା । ସେଇମାନେ ହିଁ ତାକୁ ରକ୍ଷା କରିବେ । ନିଶ୍ଚୟ ରକ୍ଷା କରିବେ । ଗଲା ଚାଳିଶ ବର୍ଷ ଧରି ସେ ଏଇ ଗଳିରେ ରହି ଆସୁଥିଲା । ଏ ଗଳିର ସବୁ ଲୋକ ତାକୁ ସ୍ନେହ କରନ୍ତି, ସମ୍ମାନ ଦିଅନ୍ତି । ଆଜି ଗୋଟିଏ ଦିନ ଭିତରେ କ’ଣ ସେମାନେ ଏତେ ଦିନର ସମ୍ପର୍କକୁ ଭୁଲିଯିବେ? ଏ ଗଳିର ପିଲାମାନେ, ଝିଅବୋହୂମାନେ ତାକୁ ପରା ମାମୁ ବୋଲି ଡାକନ୍ତି । ଏ ଗଳିର କେଉଁ ଝିଅବୋହୂ ଭଲା ସେମାନଙ୍କ ଶାଢ଼ି, ଚୁନ୍ନି ରଙ୍ଗ କରିବାକୁ ତାକୁ ଦେଇ ନାହାନ୍ତି? କେଉଁ ଲୋକଙ୍କ ମୁଣ୍ଡ ପଗଡ଼ିର କପଡ଼ାକୁ ସିଏ ରଙ୍ଗ କରିନି? ଯଦି ସେମାନଙ୍କ କପଡ଼ାରେ ରଙ୍ଗ ଟିକିଏ ଊଣା ହୋଇଥିବ ସେମାନେ ତା’ସାଙ୍ଗରେ ଝଟାପଟା ଝଗଡ଼ା ବି ଲଗାନ୍ତି । ଆଉ ଗଳିର ସବୁ ସାନ ସାନ ପିଲା ସେମାନଙ୍କ ଫଟୋଗୁଡ଼ିକୁ ସଜାଡ଼ିବା ଲାଗି ତା’ ଦେକାନ ଭିତରେ ପଶି ଚୁପ୍ଚାପ୍ ଟିକିଏ ଅଠା ଧରି ପଳାନ୍ତି ।
ଫଜ୍ଜୟ ଏ ସବୁକୁ ମନଭରି ଉପଭୋଗ କରେ ଓ ବାଡ଼ ପାଖରେ ଡାକ ଛାଡ଼େ, ‘ଧର୍, ନସ୍ରୁ ଧର୍, ସେ ଚୋରଗୁଡ଼ାଙ୍କୁ । ବଦମାସଗୁଡ଼ାକ ଅଠା ଚୋରି କରି ପଳାଉଛନ୍ତି ।’ ଲୁଗା ଶୁଖେଇବା ଲାଗି ବ୍ୟବହାର କରୁଥିବା ବାଡ଼ି ଖଣ୍ଡକ ସେ ଉଠେଇଲା ଆଗରୁ ପିଲାମାନେ କିଳିକିଳା ରଡ଼ି ଛାଡ଼ି କିଏ କୁଆଡ଼େ ପଳେଇ ସାରିଥିବେ । ଫଜ୍ଜୟ ସବୁ ପିଲାଙ୍କ ନାଁ ଜାଣିଥାଏ । ସେମାନେ କାହା ପୁଅ, କାହା ଭାଇ, ସେସବୁ ତାକୁ ମାଲୁମ ଥାଏ । ଏ ଗଳିର କେଉଁ ଲୋକ, ଝିଅବୋହୂ, ପିଲା କି ବୁଢ଼ା, କାହାକୁ ଭଲା ସେ ନ ଚିହ୍ନିଛି ? ଆଉ ଆଜି ଏମିମତିକା ଦଙ୍ଗାଗୋଳ ବେଳେ ସେ ତା’ର ପରିଚିତ ଗଳିକୁ ଛାଡ଼ି ଯିବ କୁଆଡ଼େ? ଏ ଗଳିକୁ ଛାଡ଼ିଲେ ତା’ପାଇଁ ଅବା ନିରାପଦ ସ୍ଥାନ ଅଛି କେଉଁଠି ?
ଗଙ୍ଗୁ-କୀ-ଗଳିରୁ ମୁସଲମାନ ଲୋକମାନେ ପିଲାଛୁଆ ଧରି ପଳେଇଯିବା ଘଟଣାକୁ ହିନ୍ଦୁମାନଙ୍କ ବିଜୟ ବୋଲି ସେମାନେ ଭାବୁଥିଲେ । କିନ୍ତୁ ଫଜ୍ଜୟ ଯେହେତୁ ଗଳି ଛାଡ଼ି ଏପର୍ଯ୍ୟନ୍ତ ଯାଇ ନ ଥିଲା, ତା’ର ଜିଦକୁ ହିନ୍ଦୁମାନେ ଭଲରେ ଗ୍ରହଣ କରିପାରୁ ନ ଥିଲେ । ସତେ ଯେମିତି ସିଏ ହିନ୍ଦୁମାନଙ୍କ ସହ ଏକାକୀ ଟକ୍କର ଦେବାକୁ ବସିରହିଥିଲା! କରମଚାନ୍ଦ୍, ତା’ର ସଦ୍ୟ ଗଜୁରୁଥିବା ନିଶକୁ ମୋଡ଼ି ଦିନେ ଫଜ୍ଜୟକୁ ସିଧାସଳଖ ପଚାରିଲା – ‘ଆଉ ମିଆଁ, ତୋର ଯୋଜନା କ’ଣ? କେବେ ଏ ଗଳି ଛାଡୁଛୁ ?’
ଫଜ୍ଜୟ ଦି’ହାତ ଯୋଡ଼ି, କାକୁତି ହେଲାଭଳି କହିଲା, ‘ବାବୁ, ମାଲିକ୍, ମୁଁ ତୁମରି କଥା ମାନିବି, ତୁମରି ପରାମର୍ଶ ଗ୍ରହଣ କରିବି । ଚାଳିଶ ବର୍ଷ ଧରି ମୁଁ ଏଇ ଗଳିରେ ରହିଆସିଛି । ମୋର ତ ଆଉ କେଉଁଠି ଘରଦ୍ୱାର ବୋଲି କିଛି ନାହିଁ । ଆଉ ଆଜି ଯଦି ତୁମେମାନେ ମତେ ଏଠୁ ତଡ଼ିଦେବ ତା’ହେଲେ ମୁଁ କାଇଁକି ଅବା ପ୍ରତିବାଦ କରିବି? ହେଲେ ଯିବି କୁଆଡ଼େ? ମୋ ବାଦ୍ଶା’! ଏମିତିକା ଅଦିନିଆ ଝଡ଼ ଆସେ ଓ ପୁଣି ଚାଲିଯାଏ । କାଇଁକି ଭଲା ଆଉ ଅଧିକ ଦୁଃଖ ନିଜ ଉପରକୁ ଆଣିବା?’
ହରିଚରଣ ବୋଲି ଆଉ ଜଣେ ବେପାରୀ କଥା ମଝିରେ କହିଉଠିଲା, ‘ଆରେ ତାକୁ ଛାଡ଼ିଦିଅ । ସିଏତ କାହାରି କିଛି ଅନିଷ୍ଟ କରିନି । ସିଏ ଯଦି ପଳେଇବ ଆମ ଝିଅବୋହୂଙ୍କ ଶାଢ଼ି ଓଢ଼ଣି ରଙ୍ଗ କରିବ କିଏ?’ ହେଲେ କରମଚାନ୍ଦର ସାନଭାଇ ଧରମଚାନ୍ଦ, ଆଉ ରମେଶର ସାନଭାଇ ରାକେଶ ସେମାନଙ୍କ ମନର ରାଗକୁ ଚପାଇ ରଖିପାରୁ ନ ଥିଲେ । କେଇଟା ଢେଲାମାରି ସେମାନେ ଫଜ୍ଜୟର ଦେକାନ ବାହାରେ ଥୁଆ ହୋଇଥିôବା ସୁରେଇଟାକୁ ଢୋ’କରି ଫଟେଇଦେଇ ନିଜ ରାଗ ଶାନ୍ତ କଲେ ।
ଯଦି ଏଇ ଘଟଣା ମାତ୍ର ପନ୍ଦରଟା ଦିନ ଆଗରୁ ଏ ଗଳିରେ ଘଟିଥାନ୍ତା, ତା’ହେଲେ ପିଲାମାନଙ୍କୁ ସେମାନଙ୍କ ବାପାମା’ମାନେ ଭଲ କରି ଆକଟ କରିଥାଆନ୍ତେ । କିନ୍ତୁ ଆଜି ସେମାନଙ୍କର ଏମିତିକା କାଣ୍ଡକୁ ଦେଖି ସୁଦ୍ଧା କେହି କିଛି ନ କହି ଚୁପ୍ ରହିଥିଲେ । ନସ୍ରୁ କିନ୍ତୁ ତୁନି ପଡ଼ିବା ଜନ୍ତୁ ନୁହଁ । ସୁରେଇଟା ଭାଙ୍ଗିବା ଦେଖି ତା’ ରକ୍ତ ସତେକି ଟକମକ ହୋଇ ଫୁଟି ଉଠିଲା ।
କାଫେର୍ ହିନ୍ଦୁଗୁଡ଼ାକ ତା’ ଆଖି ଆଗରେ ତା’ଦୋକାନ ଉପରକୁ ଢେଲାମାରି କ୍ଷୟକ୍ଷତି କରିବେ, ଆଉ ସେ ଏସବୁ ଦେଖି ସହିଯିବ! ତା’ର ବି ଇଚ୍ଛା ହେଉଥିଲା ସହରର ଅନ୍ୟ ମୁସଲମାନମାନେ ଯାହାସବୁ ଘଟାଇ ଚାଲିଛନ୍ତି ସିଏ ସେଇଆ ଆରମ୍ଭ କରିଦେବ । ପାକିସ୍ତାନ ସୃଷ୍ଟି ହେବାଲାଗି ଚାଲିଥିବା ଧର୍ମଯୁଦ୍ଧରେ ସିଏ ବି ତା’ ଭାଇମାନଙ୍କ ସାଥିରେ ଯୋଗଦେବ । ହେଲେ ତା’ର ଆବ୍ବାଜାନ୍ ସବୁ କଥାରେ ତାକୁ ବାରଣ କରୁଥିଲେ । ଏପର୍ଯ୍ୟନ୍ତ ତାକୁ ବାହାରକୁ ସୁଦ୍ଧା ଛାଡ଼ି ନ ଥିଲେ । କେମିତି ଭଲା ବୁଢ଼ା ବାପକୁ ଇଏ ହିନ୍ଦୁଗଳି ଭିତରେ ଏକୁଟିଆ ଛାଡ଼ିଦେଇ ସିଏ ବାହାରକୁ ପାଦ ବଢ଼େଇବ ? ତେଣୁ ୟେ’ଗଳି ଛାଡ଼ି ପଳେଇ ଯିବାକୁ କେଇଦିନ ତଳେ ସିଏ ବାପାକୁ ଢେର୍ ବୁଝେଇଥିଲା । ଆଜି କରମଚାନ୍ଦର ଏମିତିକ କଥା ଓ ଦେକାନର ପାଣି ସୁରେଇ ଭଙ୍ଗା ଘଟଣା ଦେଖି ସିଏ ରାଗ ତମତମ ହୋଇ ଫଜ୍ଜୟ ଆଡକୁ ବୁଲିପଡ଼ି ଚିଲ୍ଲେଇ ଉଠିଲା ‘ଶଳା ଇଏ କାଫେର୍ଗୁଡ଼ାଙ୍କ ମା’ମାନଙ୍କୁ…’ ଆଉ ଅଧିକ ସମୟ ୟେ’ଗଳିରେ ରହିବା ଆମ ଲାଗି ନିରାପଦ ନୁହେଁ । ଯଦି ଆମକୁ ରହିବା ଲାଗି କେଉଁଠି ଘର ନ ମିଳେ, ତା’ହେଲେ ଆଖପାଖ କୌଣସି ଦରଘା କି ମସଜିଦରେ ମୁଣ୍ଡ ଗୁଞ୍ଜି ରହିଯିବା ।’ ଫଜ୍ଜୟ କିନ୍ତୁ ଚାପା ସ୍ୱରରେ ପୁଅକୁ ଆକଟ କରିଥିଲା – ‘ଚୁପ୍ କର୍ । ସୁଅର୍ କା ବଚ୍ଚା । ଜରି ଖାଁ ଭଳିଆ ବାହାଦୁରୀ ଦେଖେଇବା ଦରକାର ନାହିଁ ।
ମଣିଷ ମଣିଷ ଭିତରେ ସଦାବେଳେ ଏମିତି ଝଗଡ଼ା ଲାଗେ । ତେଣୁ ଏମିତି ମୂର୍ଖଙ୍କ ଭଳିଆ କଥାବାର୍ତ୍ତା କରନା… ତୋ ବାପା ଏ ଦୋକାନକୁ ଏଇଠି ଖୋଲିଥିଲା । ଏଇ କୋଠରିରେ ତୁ ଜନ୍ମ ହେଇଥିଲୁ । ତୋ ମା’କୁ ଏଇ ଗଳିର ଲୋକମାନେ ତା’ଦୁର୍ଦିନରେ ସାହାଯ୍ୟ କରିଥିଲେ । ଏଇ କୋଠରିରେ ଦିନେ ସେ ମରିଥିଲା । ଏଇ ଗଳି ଆମକୁ ଏତେ ବର୍ଷ ଧରି ଆଶ୍ରୟ ଦେଛି, ବଞ୍ଚିବାକୁ ରୋଜିରୁଟି ଯୋଗଇ ଆସିଛି । ଧୈର୍ଯ୍ୟ ଧର୍, ଦେଖିବୁ, ପୁଣି ଆପେ ଆପେ ସବୁ ଠିକ୍ ହେଇଯିବ!’
ଅଗଷ୍ଟ ମାସ ଦ୍ୱିତୀୟ ସପ୍ତାହ ଶେଷ ଆଡ଼କୁ ସୟିଦ୍ ମିଠା ବଜାରରେ ହଠାତ୍ ନାଟକୀୟ ପରିବର୍ତ୍ତନ ଘଟିବାରେ ଲାଗିଲା । ଏ ବଜାର ଉପରେ ଦି’ ଦି’ଥର ପଞ୍ଝାଏ ଲେଖାଏଁ ମୁସଲମାନ ଚଢ଼ଉ କରିସାରିଥାଆନ୍ତି । ହିନ୍ଦୁମାନଙ୍କ ଅଧିକାଂଶ ଦେକାନ ଓ ଘର ସେତେବେଳକୁ ପୋଡ଼ିଜଳି ସାରିଥାଏ । ହେଲେ ଗଙ୍ଗୁୁ-କୀ-ଗଳିରେ ଥିବା ହିନ୍ଦୁମାନଙ୍କ ଘର ଉପରେ ସେ ପର୍ଯ୍ୟନ୍ତ କୌଣସି ପ୍ରକାର ଆକ୍ରମଣ ହୋଇନଥାଏ । କିନ୍ତୁ ଲାହୋର ସହର ଛାଡ଼ି ୟା’ଭିତରେ ହଜାର ହଜାର ହିନ୍ଦୁ ଅନ୍ୟତ୍ର ପଳାଇ ସାରିଥାଆନ୍ତି । ସହରର ଅନ୍ୟ ଇଲାକାରୁ ବାହାର ଲୋକମାନେ ଆସି ପହଞ୍ଚୁଥାନ୍ତି ବୋଲି ଜାଣିବା ପରେ ସୁଦ୍ଧା ଗଙ୍ଗୁ-କୀ-ଗଲୀର ହିନ୍ଦୁ ଲୋକମାନେ ଅଣ୍ଟା ବାନ୍ଧି ରହିଥିଲେ । କୌଣସି ମତେ ସୁଦ୍ଧା ସେମାନେ ଏ ଇଲାକା ଛାଡ଼ିବେ ନାହିଁ – ‘ଆରେ ଅତୀତରେ ଆଉରଙ୍ଗଜେବ୍ ନାଦିର ଶାହା ତ ଆମକୁ ଏଠାରୁ ହଟେଇ ପାରିନି । ଆଉ ଆଜି ଆସି ମୁସଲିମ୍ ଲିଗ୍ କହିଦେଲେ ଆମେ କ’ଣ ଆମ ଘରଦ୍ୱାର ଛାଡ଼ିଦେବୁ? ଆମେ ଆମ ଧର୍ମ ଛାଡ଼ିବୁନି କି ଘର ଛାଡ଼ିବୁନି ।’
କିନ୍ତୁ ସୟିଦ୍ ମିଠା ବଜାରରେ ଦିନକୁ ଦିନ ପୋଡ଼ାଜଳା, ଲୁଟତରାଜ, ହତ୍ୟା ଆଦି ଘଟଣା ବଢ଼ିଚାଲିବା ପରେ, କିଛି ହିନ୍ଦୁ ପରିବାର କାହାକୁ କିଛି ନ କହି ଚୁପ୍ଚାପ୍ ସେ ଇଲାକା ଛାଡ଼ିଦେଲେ । ଅନ୍ୟମାନେ ବି ସେ ଇଲାକା ଛାଡ଼ିବାର ଯୋଜନାରେ ଲାଗିଥିଲେ । ହେଲେ ମୁଲନତାଈ ଥିଲା ଅବିଚଳିତ । ତା’ ମୁଣ୍ଡରେ ଘର ଛାଡ଼ି ଯିବା କଥା ଢୁକୁ ନ ଥିଲା ।
ଆଜକୁ ପ୍ରାୟ ଛବିଶ ବର୍ଷ ତଳେ ମୁଲନତାଈ ତା’ସ୍ୱାମୀକୁ ହରାଇ ବିଧବା ହୋଇଥିଲା । ଭଗବାନ ତା’କୋଳରେ ତିନି ତିନିଟି ଝିଅ ଦେଇଥିଲେ । ମୁଲନର ସ୍ୱାମୀ ନିଜ ଭାଇମାନଙ୍କ ଭିତରେ ପରିବାରର ସବୁ ସମ୍ପତ୍ତି ସମାନ ଭାବେ ବାଣ୍ଟି ଦେଇଥିଲେ । ଯେତେବେଳେ ହିନ୍ଦୁମାନେ ଏ ଗଳି ଛାଡ଼ି ପଳେଇବାକୁ ଆରମ୍ଭ କଲେ, ମୁଲନ ସବୁ ଦେଖି ନ ଦେଖିଲାଭଳି ରହିଲା । ସତ କହିଲେ, ଏ ଘରଦ୍ୱାର କି ଧନଦୌଲତ ଛାଡ଼ି ଚାଲିଯିବାକୁ ତା’ର ଆଦୌ ମନ ବଳୁ ନ ଥିଲା । ଯାହା ହେବ ହେଉ ପଛେ, ସେ ତା’ ଘର ଛାଡ଼ି କୁଆଡ଼େ ଯିବନି । କେବଳ ଠାକୁରଜୀଙ୍କ ଛାଡ଼ିଦେଲେ ଦୁନିଆରେ ସିଏ ଆଉ କାହାକୁ ଡରେନି । କାହା ପ୍ରତି ତା’ର ଭୟ ବି ନାହିଁ । ବରଂ ସମସ୍ତଙ୍କ ଉପରେ ତା’ର ସନ୍ଦେହ । ତା’ର ଏଭଳି ବିଚିତ୍ର ସ୍ୱଭାବକୁ ଦେଖି ଗଳିର ଅନ୍ୟ ଲୋକମାନେ ପରସ୍ପର ଭିତରେ କଥାବାର୍ତ୍ତା ହେଉଥିଲେ – ‘ଇଏ ବୁଢ଼ୀ ଏତେ ଟଙ୍କା ସଞ୍ଚିଛି କାହା ଲାଗି? କିଏ ସେ ସମ୍ପତ୍ତି ଭୋଗ କରିବ? ଶେଷକୁ ତା’ଟଙ୍କାରେ ବୁଢ଼ୀ ନିଜ ନାଁରେ ମନ୍ଦିର କି ଧର୍ମଶାଳା ତୋଳେଇବ । ସହରରେ ଏମିତି ଦଙ୍ଗା ଲାଗିଥିବା ବେଳେ ବୁଢ଼ୀର ପୁରୁଣା କୋଠାଟି ଭିତରେ ମୁଲନତାଈ ଏକୁଟିଆ ପଡ଼ି ରହିଥିଲା । କେବଳ ଠାକୁରଜୀ ହିଁ ତା’ର ସାହା ଭରସା । ଯେମିତି ନସ୍ରୁ ଭରସାରେ ସେଇ ଗଳିର ଛୋଟ ଦୋକାନଘରଟି ଭିତରେ ଫଜ୍ଜୟ ପଡ଼ି ରହିଥିଲା ।
ଦଙ୍ଗା ଆରମ୍ଭ ହେବା ଆଗରୁ ଗଙ୍ଗୁ-କୀ-ଗଲୀର ପ୍ରତ୍ୟେକ ପରିବାର ସହ ଫଜ୍ଜୟର ବେଶ୍ ଭଲ ସମ୍ପର୍କ ଥିଲା । ମୁଲନତାଈର ତୃତୀୟ ଝିଅର ବାହାଘର ସରିବା ପରେ ଫଜ୍ଜୟ ସହ ତା’ର କେବଳ ସମ୍ପର୍କ ଥିଲା ଜଣେ ଘର ମାଲିକାଣୀ ଓ ଭଡ଼ାଟିଆର ସମ୍ପର୍କ । ଫି ମାସ ଆରମ୍ଭରେ ମୁଲନ୍ ନିଜେ ଯାଇ ତା’ଘରେ ଭଡା ରହୁଥିବା ଦୋକାନୀମାନଙ୍କ ଠାରୁ ଭଡ଼ା ଅସୁଲ କରି ଆଣେ । ଅଧିକାଂଶ ମାସରେ ଫଜ୍ଜୟକୁ ତା’ ଦୋକାନଭଡ଼ା ଦେବାଲାଗି ଅନେକ ଥର ମନେପକାଇବାକୁ ପଡ଼େ । ଯେତେବେଳେ ମୁଲନତାଈ ଫଜ୍ଜୟଠାରୁ ଠିକ୍ ସମୟରେ ତା’ ଘରଭଡ଼ା ପାଏନି, ସିଏ ତା’ ଘରରର ବାଲକୋନି ଉପରୁ ଠାକୁରଜୀଙ୍କ ବିଗ୍ରହକୁ ଆଣି ସେଇଠି ବସି ଠାକୁରଙ୍କ ନାମ ଜପେ ଓ ତା’ସାଥିରେ ଯେଉଁମାନେ ତା’ ଘରଭଡ଼ା ଦେଇ ନ ଥାନ୍ତି ସେମାନଙ୍କ ଉପରେ ଗାଳି ବର୍ଷଣ କରିଚାଲେ ।
ଯେଉଁଦିନ ଫଜ୍ଜୟ ଦେଖିଲା, ତା’ର ପଡ଼ୋଶୀ ହିନ୍ଦୁମାନେ ଜିନିଷପତ୍ର ଲଦି ଅନ୍ୟତ୍ର ଯିବାକୁ ବାହାରିଲେଣି, ସେ ଦୁଃଖରେ ଦୀର୍ଘଶ୍ୱାସଟିଏ ଛାଡ଼ି କହିଥିଲା, ‘ହେ ଆଲ୍ଲା! ଇଏ କି ଦୁର୍ଦିନ ଆସି ପହଞ୍ଚିଲା ! ଶେଷକୁ ଏମାନଙ୍କୁ ବି ଘରଦ୍ୱାର ଛାଡ଼ିବାକୁ ପଡ଼ିଲା । ତା’ହେଲେ ମୁଁ ଆଉ କାହା ସାହା ଭରସାରେ ଏ ନିର୍ଜନ ଗଳିରେ ରହିବି?’ କିନ୍ତୁ ଭେଣ୍ଡା ଟୋକା ନସ୍ରୁ ଯେତେବେଳେ ଦେଖିଲା ଯେ କାଫେର୍ ହିନ୍ଦୁଗୁଡ଼ାକ ସେମାନଙ୍କ ଘରଦ୍ୱାର ଛାଡ଼ି ପଳେଇ ଯାଉଛନ୍ତି, ସିଏ ମନେ ମନେ କୁରୁଳି ଉଠିଲା । ରାଗରେ ଦାନ୍ତ କଡ଼ମଡ଼ କରି କହିଉଠିଲା, ‘ଏ ଜାରଜଗୁଡ଼ାକ କୁଆଡ଼େ ଯାଇ ମରନ୍ତୁ ।’ ପାକିସ୍ତାନରେ ଏ କାଫେରଗୁଡ଼ାଙ୍କର ସ୍ଥାନ ନାହିଁ ।’
ପ୍ରତିଦିନ ଯେଉଁ ଲୋକମାନେ ଘରଦ୍ୱାର ଛାଡ଼ି ପଳାଉଥାଆନ୍ତି, ଫଜ୍ଜୟ ସେମାନଙ୍କ ସଂଖ୍ୟା ମନେ ମନେ ଗଣି ଚାଲିଥାଏ ଓ ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଗଳି ଛାଡ଼ି ନ ଥିଲେ ସେମାନଙ୍କ ହାଲ୍ ବୁଝୁଥାଏ । ଶେଷରେ ଅଗଷ୍ଟ ତେର ତାରିଖ ଦିନ ସକାଳେ ସାଧୁରାମ ଓ ଯମୁନାଦାସ ପରିବାର ଗଙ୍ଗୁ-କୀ-ଗଲୀ ଛାଡ଼ିଲେ । ସେମାନଙ୍କର ଯିବା ଦେଖି ଫଜ୍ଜୟ ନସରୁ ଆଡ଼େ ଚାହିଁ କହିଲା, ‘ଏବେ କେବଳ ୟେ’ ଗଳିରେ ମୁଲନତାଈ ହିଁ ରହିଲା ।’
ଆବ୍ବାଜାନ୍ର ଏମିତି ଅଯଥା ମନଦୁଃଖ ଦେଖି ନସ୍ରୁ ଛିଗୁଲେଇ ହୋଇ କହିଲା, ‘ସିଏ ବୁଢ଼ୀ ଡାହାଣୀ ଭଲା ଯିବ କୁଆଡ଼େ? ତା’ ସୁନାରୁପାକୁ ଜଗି ସେମିିତି ପଡ଼ିରହିବ । ତା’ଘର ଭିତରେ ସିଏ ଢେର୍ ଟଙ୍କାପଇସା, ଅଳଙ୍କାର ପୋତିଛି । ସାପ ଭଳିଆ ତାକୁ ଜଗି ବସିଛି। ତେଣୁ ତାକୁ ଛାଡ଼ି ସିଏ କୁଆଡ଼େ ଯିବ ? ସେଇଦିନ ପଞ୍ଝାଏ ମୁସଲମାନ ଗୁଣ୍ଡା ହୀରାମଣ୍ଡି ବଜାର ଆଡ଼ୁ ଆସି ସୟିଦ୍ ମିଠା ବଜାର ଉପରେ ଅଚାନକ ଚଢ଼ଉ କଲେ । ସେତେବେଳକୁ ଅବଶ୍ୟ ହିନ୍ଦୁ ବ୍ୟବସାୟୀମାନେ ସେମାନଙ୍କ ଦୋକାନରେ ବଡ଼ ବଡ଼ ତାଲା ପକେଇ ବନ୍ଦ୍ କରିସାରିଥିଲେ । କିନ୍ତୁ ସେ ଗୁଣ୍ଡାମାନେ ‘ପାକିସ୍ତାନ ଜିନ୍ଦାବାଦ୍’, ‘ଆଲ୍ଲା ହୁ ଆକବର୍’, ‘ସଲତାନତ୍- ଇସଲାମୀ ଜିନ୍ଦାବାଦ୍’ ଧ୍ୱନି ଲଗେଇ ଚାଲିଥାଆନ୍ତି । ଅଳ୍ପ ସମୟ ଭିତରେ ଦୋକାନର ତାଲାସବୁ ଭଙ୍ଗାଯାଇ ଲୁଟତରାଜ ଆରମ୍ଭ ହୋଇଗଲା । କିଏ ସିଲ୍କ ଲୁଗା ଗଣ୍ଠିଲି ଧରି ପଳାଇଲା ତ ଆଉ କାହା ଭାଗରେ ପଡ଼ିଲା ସୂତା ଓ ରେଶମୀ ଲୁଗା । ଚାହୁଁ ଚାହୁଁ ଲୁଗାଦୋକାନସବୁ ଖାଲି ହୋଇଗଲା । ଆଉ କେଇଜଣ ତେଜରାତି ଦୋକାନ ଭିତରେ ପଶି ପିସ୍ତାବାଦାମ, କିସ୍ମିସ୍ ଓ ଅନ୍ୟ ଶୁଖିଲା ଫଳ, ଅଟା, ଚିନି, ସୁଜି ଧରି ଏକମୁହାଁ ଧାଇଁଲେ । ପୁଣି କେତେଜଣ ଗୋଟିଏ ଆଲୁମିନିୟମ୍ ବାସନକୁସନ ଦୋକାନକୁ ଭାଙ୍ଗି ସବୁ ଲୁଟିନେଲେ ।
ଗଳି ଭିତରେ ଏମିତି ହୋହଲ୍ଲା ଓ ଗୋଳ ଶୁଣି ଫଜ୍ଜୟ ଓ ନସ୍ରୁ ଗଳିର କଣମୁଣ୍ଡରେ ଠିଆହୋଇ ଯାହା ସବୁ ଘଟି ଚାଲିଥିଲା ସେସବୁକୁ ଲକ୍ଷ୍ୟ କରୁଥିଲେ । ଏକଥା ଦେଖି ସତେ ଯେମିତି ନସ୍ରୁ ପାଟିରୁ ଲୋଭରେ ଲାଳ ଗଡ଼ିବାକୁ ଆରମ୍ଭ କଲା ଓ ସେ ଆବ୍ୱାଜାନକୁ ନେହୁରା ହୋଇ କହିଲା, ‘ଆବ୍ବା, ମୁଁ ବି ଯାଇ ଗଣ୍ଠିଲିଏ ଲୁଗା କି ବସ୍ତାଏ ଚିନି ଉଠେଇ ଆଣିବି?’
ଫଜ୍ଜୟ ରାଗିପାଚି ଚିଲ୍ଲେଇ ଉଠିଲା, ‘ଚୁପ୍ କର୍, ସୁଅର୍ କା ବଚ୍ଚା!’ ନସ୍ରୁ ଆବ୍ବାଜାନ ସାଙ୍ଗରେ ଯୁକ୍ତି କରିବାକୁ ଚେଷ୍ଟା ବି କଲା : ‘କାଇଁକି, ସମସ୍ତେ ତ ଲୁଟି ନେଉଛନ୍ତି । ଜିହାଦ୍ର ବକ୍ସିସ୍ ଭଳି ସେମାନେ ଏମିତି ଲୁଟତରାଜ କରୁଛନ୍ତି ।’
ଫଜ୍ଜୟ ଆହୁରି ରାଗିଗଲା ଓ ବଡ଼ପାଟିରେ ଚିତ୍କାର କରିଉଠିଲା : ‘ସତରେ ତୁ ଗୋଟାଏ ସୁଅର୍ କା ବଚ୍ଚା! କୋଉ ଧର୍ମରେ ତାଲା ଭାଙ୍ଗିବା, କି ପର ଘର ଭିତରେ ପଶି ଲୁଟତରାଜ କରିବା ଭଲ କଥା ବୋଲି ଲେଖାଯାଇଛି କହିଲୁ? କହିଲା କ’ଣ ନା ଜିହାଦ୍! ସେଗୁଡ଼ାକ ହେଲେ ଗୋଟାପଣେ ଅମଣିଷ!’
ନସ୍ରୁ ମନକୁ ଏ ଚିନ୍ତା ଏତେ ମାତ୍ରାରେ ଗ୍ରାସ କରି ସାରିଥିଲା ଯେ ତା’ବାପାର ଗାଳିଫଜିତ୍ କିମ୍ବା ଆକଟ ତା’ ଉପରେ କୌଣସି ପ୍ରଭାବ ପକାଇପାରିଲା ନାହିଁ । ସିଏ ଏକମୁହାଁ ଦୌଡ଼ିଲା ସେଇ ଲୁଟତରାଜକାରୀଙ୍କ ଆଡ଼କୁ ଓ ଆଖି ପିଛୁଡ଼ାକେ ସେମାନଙ୍କ ଭିତରେ କୁଆଡ଼େ ହଜିଗଲା । ଏବେ ଦଙ୍ଗାକାରୀମାନେ ମାଡ଼ି ଚାଲିଲେ ଲୋହାରୀ ମଣ୍ଡି ଆଡ଼େ । ବେଳକୁ ବେଳ ନସ୍ରୁ ଭିତରେ ସୁପ୍ତ ଥିବା ମୌଳବାଦୀ ଅଜଗରଟି କଡ଼ ଲେଉଟାଇ ଜାଗି ଉଠୁଥିଲା । ଦଙ୍ଗାକାରୀମାନେ ବାଟରେ ତିନିଟା ହିନ୍ଦୁ ଲୋକଙ୍କ ଶବକୁ ଅତିକ୍ରମ କରିଗଲେ । ଏପରି ଜିହାଦରେ ସାମିଲ ହୋଇ ନସ୍ରୁ ନିଜକୁ ଧନ୍ୟ ମଣୁଥାଏ । ଚାହୁଁ ଚାହୁଁ ସାରା ଲାହୋର ସହରକୁ ଦଙ୍ଗା ଗୋଟାପଣେ ଗ୍ରାସ କରି ପକାଇଲା । ପରିସ୍ଥିତି ଏପରି ଅଣାୟତ୍ତ ଅବସ୍ଥାକୁ ଆସିଗଲାଯେ, ଶେଷରେ ସରକାରଙ୍କୁ ବାଧ୍ୟ ହୋଇ ସେଠାକୁ ଟ୍ରକ୍ ଟ୍ରକ୍ ଫଉଜ ପଠାଇବାକୁ ପଡ଼ିଲା । ଶାନ୍ତିଶୃଙ୍ଖଳା ଫେରାଇ ଆଣିବା ଲାଗି ସୈନିକମାନଙ୍କୁ ଗୁଳି ଚଳାଇବାକୁ ପଡ଼ିଲା । ଫଜ୍ଜୟ ତା’ ଦୋକାନ ଆଗ ବାରଣ୍ଡାରେ ବସି ମୁଖ୍ୟ ବଜାରରେ ଚାଲିଥିବା ଏପରି ଅଘଟଣକୁ ଲକ୍ଷ୍ୟ କରିଚାଲିଥିଲା । ହଠାତ୍ ତା’ ନଜରରେ ପଡ଼ିଲା କିଏ ଜଣେ ଦି’ହାତରେ ବଡ଼ ଆଲୁମିନିୟମ୍ ପ୍ଲେଟଟିଏ ଧରି ଗଳି ଭିତରେ ତା’ରି ଆଡକୁ ଦୌଡ଼ି ଦୌଡ଼ି ଆସୁଛି । ହଠାତ୍ ଲୋକଟା ଆର୍ତ୍ତ ଚିତ୍କାର କରି ସେଇ ରାସ୍ତା ଉପରେ କଚାଡ଼ି ହୋଇପଡ଼ିଲା । ଠିକ୍ ସେଇ ସମୟରେ ଗଳିର ଚାରିଆଡ଼ୁ ଗୁଳି ଫୁଟିବା ଶବ୍ଦରେ କମ୍ପିଉଠିଲା ଓ ପରେ ପରେ ଆଲୁମିନିୟମ୍ ପ୍ଲେଟଟା ତଳେ ପଡ଼ିଯିବାର ଶବ୍ଦ । ଫଜ୍ଜୟ ଭୟରେ କାଠ ପାଲଟିଗଲା । ତା’ପାଟିରୁ ବାହାରି ଆସିଲା, ‘ହାୟ ଆଲ୍ଲା, ନସ୍ରୁ!’
ବଜାର ସାରା ଚାରିଆଡ଼େ ରାଇଫଲଧାରୀ ସୈନିକ ପଇଁତରା ମାରୁଥିଲେ । ସହରସାରା ଏବେ କର୍ଫ୍ୟୁ ଜାରି ହୋଇଥିଲା । ତିନିଜଣ ଲୋକ ଏକାଠି ପରସ୍ପର ଭିତରେ କଥାବାର୍ତ୍ତ ହେବାକୁ ବି ମନା । ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଉଥିଲା – ‘ସୂର୍ଯ୍ୟାସ୍ତ ପରେ ଓ ରାସ୍ତା କଡ଼ରେ ବତି ଜଳିବା ପରେ ଯଦି କେହି ସଡ଼କରେ ଚାଲବୁଲ କରୁଥିବାର ଦେଖାଯାଏ ତେବେ ତା’ ଉପରେ ଦେଖିବା ମାତ୍ରେ ଗୁଳି ଚଳାଯିବ ।’
କର୍ଫ୍ୟୁ ଲାଗୁ ହୋଇଥିବାରୁ ନସ୍ରୁ ଘରକୁ ଫେରିପାରି ନ ଥିଲା । ଭୟ ଓ ଆଶଙ୍କା ଭିତରେ ଫଜ୍ଜୟ ତାକୁ ଅଶ୍ରୁଳ ଆଖିରେ ରାତିସାରା ଅପେକ୍ଷା କରି ରହିଥିଲା । ମଝିରେ ମଝିରେ ପୁଅକୁ ଗାଳି ବି ଦେଉଥାଏ- ‘ବେକୁବ୍, … ଟୋକାଟାର ମୁଣ୍ଡ ବିଗିଡ଼ି ଯାଇଛି । କାଇଁକି ଭଲା ଯାଉଥିଲା ?’
ଶେଷକୁ ବହୁ କଷ୍ଟରେ ସନ୍ଧ୍ୟା ପୂର୍ବରୁ ନସ୍ରୁ ଆସି ଝରେ ପହଞ୍ôଚଲା । ତାକୁ ଦେଖି ଫଜ୍ଜୟ ଆଶ୍ୱସ୍ତିର ଦୀର୍ଘଶ୍ୱାସଟିଏ ଛାଡ଼ିଲା । ରାଗରେ ତା’ଉପରେ ଗୁଡ଼ାଏ ଗାଳି ବର୍ଷାକରି କହିଲା, ‘ଯା’, ଭିତରକୁ ଯା’ ଜଲଦି । ଆଉ ଥରେ ଯଦି ଘରୁ ପଦାକୁ ଗୋଡ଼ କାଢ଼ିଚୁ ତା’ହେଲେ ତୋ ଗୋଡ଼ ବାଡ଼େଇ ଭାଙ୍ଗିଦେବି । ଫଉଜଙ୍କ ବନ୍ଧୁକରୁ ଗୋଟିଏ ଗୁଳି ଆସି ଦିହରେ ବାଜିଗଲେ ତୋର ସବୁ ଫାଜିଲାମୀ ତୁଟିଯିବ… ।’
ନସ୍ରୁ ମନ କିନ୍ତୁ ଭିତରେ ଭିତରେ କୁଣ୍ଢେମୋଟ । ଯେତେହେଲେ ତା’ ଧର୍ମର ଲୋକମାନେ ଏବେ ସହରରେ ପ୍ରଭାବ ବିସ୍ତାର କରି ଚାଲିଛନ୍ତି । ସିଏ ବି ସେମାନଙ୍କ ସାଥିରେ ମିଶି ଲୋହରୀମଣ୍ଡିଠାରେ ଛୁରୀଟିଏ ଧରିଥିଲା । କାଳେ ତା’ ବୁଢ଼ାବାପ ଏକଥା ଜାଣିଲେ ରାଗିବ ସେଇଥିଲାଗି ସିଏ ତାକୁ ତେହମଦ୍ ଭିତରେ ଲୁଚେଇ ରଖିଥିଲା ।
ସନ୍ଧ୍ୟା ସାତଟାବେଳେ ସାଇରନ୍ ବାଜିବା ସହ ସହରରେ କର୍ଫ୍ୟୁ ଲାଗୁ ହୋଇଗଲା । ଫଜ୍ଜୟ ଓ ନସ୍ରୁ ଏ ଶବ୍ଦ ଶୁଣି ଦେକାନ ଭିତରେ ପଶି କବାଟ କିଳିଦେଲେ । ଆଉ କିଛି ରୋଷେଇ କରିବାକୁ ଫଜ୍ଜୟର ଇଚ୍ଛା ହେଉ ନ ଥାଏ । ନସ୍ରୁ ପେଟରେ ବି ଭୋକ ନାହିଁ । ଧର୍ମର ଉଗ୍ରବାଦ ଏବେ ତା’ମନକୁ ଗୋଟାପଣେ ଆବୋରି ବସିଥାଏ । ବାପ-ପୁଅ ନ ଖାଇ ନ ପିଇ ଚଟାଣରେ ପଟି ଖଣ୍ଡି ବିଛେଇ ତା’ରି ଉପରେ ଶୋଇ ପଡ଼ିଲେ । ଗଳିଟାସାରା ଅନ୍ଧାରରେ ଭରପୂର ଓ ଦୋକାନ ଭିତରେ ବି ତା’ଠାରୁ ଆହୁରି ଅଧିକ ଅନ୍ଧାର । ଚାରିଆଡ଼ ଶୂନଶାନ୍ । ଆକାଶସାରା ଶୁଖିଲା କଳା ବାଦଲ ଭର୍ତ୍ତି । ଅସମ୍ଭବ ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି । ତା’ ସାଙ୍ଗକୁ ଏମିତିକା ଦଙ୍ଗା । ସତେ ଯେମିତି ସହରଟା ଏସବୁ ଦେଖି ଗୋଟାପଣେ ତଟସ୍ଥ ହୋଇପଡ଼ିଛି! କେଉଁଠି ଗଛପତ୍ରଟିଏ ହଲିବାର ସୁଦ୍ଧା ଲାଗୁନଥିଲା ।
ସେଇ ଗରମ ଭିତରେ ବାପପୁଅ ଛୋଟ ଦୋକାନ ଘରଟି ଭିତରେ ନିସ୍ତବ୍ଧରେ ପଡ଼ିରହିଥାଆନ୍ତି । ଝାଳରେ ଦିହିଁକି ଦିହେଁ ସେତେବେଳକୁ ଗାଧୋଇ ସାରିଥାଆନ୍ତି । ଫଜ୍ଜୟ ତା’କୁର୍ତ୍ତା ଓ ତେହମଦ୍କୁ ଓହ୍ଲେଇ ରଖିଦେଇଥାଏ । ନସ୍ରୁ ବି ତା’ କୁର୍ତ୍ତା ଓହ୍ଲାଇଦେଲା । ଅଣ୍ଟା ପର୍ଯ୍ୟନ୍ତ ତେହ୍ମଦ୍ଟାକୁ ଗୁଡ଼େଇ ଆଣି ଜାକି ଦେଇଥାଏ । କର୍ଫ୍ୟୁ ଲାଗୁ, ଗରମ ଓ ଗୁଳୁଗୁଳି ତାକୁ ସତେକି ଅସ୍ତବ୍ୟସ୍ତ କରିପକାଉଥାଏ । ହେଲେ ବାପ-ପୁଅ କାହାରି ତୁଣ୍ଡରେ ପଦେ ହେଲେ କଥା ନ ଥାଏ । ତାଳପତ୍ର ପଙ୍ଖାଟି ଧରି ଫଜ୍ଜୟ ବିଞ୍ଛି ହେଉଥାଏ ଓ ମଝିରେ ମଝିରେ ନସ୍ରୁକୁ ବିଞ୍ଛି ଦେଉଥାଏ । କିଛି ସମୟ ବିଞ୍ଛିବା ପରେ ତା’ହାତ ଅବଶ ହୋଇପଡ଼ିଲା ଓ ସିଏ ପଙ୍ଖାଟିକୁ ନସ୍ରୁ ଛାତି ଉପରେ ଥୋଇଦେଲା ।
ତା’ପରେ ନସ୍ରୁ ପଙ୍ଖାଟି ଧୀରେ ବିଞ୍ଛିଚାଲିଲା । ବାପପୁଅ ପରସ୍ପର ଉପରେ ଏତେ ବିରକ୍ତ ହୋଇଉଠିଥାଆନ୍ତି ଯେ ନିରବରେ ବିଞ୍ଚି ହେବା ଛଡ଼ା କାହାରି ମୁହଁରୁ କଥା ପଦେ ହେଲେ ଶୁଭୁ ନଥାଏ । ନିଦ ବୋଧହୁଏ ସେମାନଙ୍କ ରାଗକୁ ଶାନ୍ତ କରିପାରିଥାନ୍ତା, ହେଲେ ଦିହିଁଙ୍କ ଆଖିରୁ ନିଦ ହଜି ସାରିଥିଲା । ଏ ଗରମରେ ଅବା ନିଦ ଆସନ୍ତା କୁଆଡ଼ୁ? ବରଂ ଉଭୟଙ୍କ ମନ ବେଳକୁ ବେଳ ଅଧିକ ଆଶଙ୍କା ଓ ଉତ୍କଣ୍ଠାରେ ଭରି ଉଠୁଥିଲା । ବଜାରସାରା ବିରାଜମାନ କରୁଥିବା ନିରବତାକୁ ରହି ରହି ଭଙ୍ଗ କରୁଥାଏ ବନ୍ଧୁକଧାରୀ ସୈନିକମାନଙ୍କ ଭାରୀ ବୁଟ୍ର ଶବ୍ଦ । ସେମାନେ ଘୂରି ବୁଲୁଥାଆନ୍ତି ।
ସେମାନଙ୍କ ଉପସ୍ଥିତି ଘର ଭିତରେ କବାଟକିଳି ରହିଥିବା ଲୋକମାନଙ୍କ ମନରେ ସାହସ ଓ ଆଶ୍ୱସ୍ତି ସୃଷ୍ଟି କରିବା ପରିବର୍ତ୍ତେ ଅଧିକ ଭୟ, ଆଶଙ୍କା ଓ ତିକ୍ତତା ଜନ୍ମାଉଥିଲା । ସେତେବେଳକୁ ରାତି ଘଡ଼ିଏ ଗତ ହେବାକୁ ବସିଲାଣି । କିନ୍ତୁ ଫଜ୍ଜୟ କି ନସ୍ରୁ କାହାରି ଆଖିରେ ନିଦ ନାହିଁ । ନସରୁର ପିଠି ଗୋଟାପଣେ ଝାଳରେ ଭିଜି ପଟିଟା ଦେହରେ ଅଠାଳିଆ ହୋଇ ଲାଗିଯାଇଥିଲା । ଶେଷରେ ସିଏ ତା ଆବ୍ବାଜାନ ଆଡ଼କୁ ପଙ୍ଖାଟି ବଢ଼େଇଦେଇ ଉଠିପଡ଼ିଲା ଓ ବାହାରର ହାୱା ଟିକେ ଦିହରେ ବାଜିବା ଆଶାରେ କବାଟ ପାଖରେ ବସିପଡ଼ିଲା ।
ଏତିକିବେଳେ କାହାର ଧୀର ପାଦଶବ୍ଦ ତା’କାନରେ ପଡ଼ିଲା । ମନେ ମନେ ସେ ସାମାସ୍ୟ ଶଙ୍କିଗଲା । ଯେଉଁ ଦିଗରୁ ଶବ୍ଦ ଆସୁଥିଲା ସେଇ ଆଡ଼କୁ ବୁଲିପଡ଼ି ସେ କବାଟ ଫାଙ୍କ ଦେଇ ଚାହିଁବାକୁ ଚେଷ୍ଟା କଲା । ତା’ଆଖିରେ ପଡ଼ିଲା ମୁଲନତାଈ ଉପରେ । ବେଡସିଟ୍ ଖଣ୍ଡିଏ ଘୋଡ଼େଇ ହୋଇ ପାଦ ଚିପିଚିପି ବଜାର ଆଡ଼େ ମୁହାଁଇଥିଲା । ନସ୍ରୁ ଉଠିପଡ଼ି ତା’ଆବ୍ବାଜାନ୍ କାନରେ ଫିସ୍ଫିସ୍ କରି କହିଲା, ‘ଏଇ ଦେଖ, ମୁଲନ୍ ବୁଢ଼ୀ, ରାତିଅଧଟାରେ ଏ ଗଳି ଛାଡ଼ି ଲୁଚି ପଳଉଛି ।’
ଫଜ୍ଜୟ ନସ୍ରୁ କଥା ପ୍ରତି କୌଣସି ଗୁରୁତ୍ୱ ନ ଦେଇ ସେମିତି ବିଞ୍ôଚ ହେଉ ହେଉ କହିଲା, ‘ବିଚାରୀ ଯାଉ … ଏତେ ବଡ଼ ଗଳିଟା ଭିତରେ ଏକୁଟିଆ ପଡ଼ି ରହିଥିଲା । ଡରି ଡରି ଆଉ କେତେ ଦିନ ରହିଥାନ୍ତା? ଆଲ୍ଲା ତା’ର ମଙ୍ଗଳ କରନ୍ତୁ ।’ ନସ୍ରୁ ପୁଣି ଯାଇ କବାଟ ଫାଙ୍କରେ ଆଖି ଗୁଞ୍ଜି ମୁଲନ ତାଈକୁ ଲକ୍ଷ୍ୟ କଲା । ବୁଢ଼ୀ ଗୋଟିଏ ଗୋଟିଏ ପାଦ ଆଗକୁ ବଢ଼ାଇ ବଜାର ଆଡ଼େ ଚାଲିଥାଏ । ନସ୍ରୁ ମନେ ମନେ କହିହେଲା, ‘କାଫେରଟା ତା ଟଙ୍କାପଇସା ସୁନାରୁପା ଧରି ପଳେଇ ଯାଉଛି …’ ତା’ ତୁଣ୍ଡରୁ ଏଇ କଥା ପଦକ ବାହାରିଛି କି ନାହିଁ, ନସ୍ରୁ ଅନୁଭବ କଲା ତା’ଦେହସାରା ଜିହାଦ୍ର ଏକ ବିଚିତ୍ର ଶିହରଣ । ସେଥିରେ ପ୍ରତିହିଂସା ଓ ପ୍ରତିଶୋଧ ଭରି ରହିଥିଲା ।
ଫଜ୍ଜୟ ଶେଯରେ ଶୋଇରହି ନସ୍ରୁକୁ ବାରଣ କରି କହିଲା, ‘ତାକୁ ଯିବାକୁ ଦେ’… । ତୋର କ’ଣ ଅଛି ସିଏ ଯୁଆଡ଼େ ଗଲା? ଆଲ୍ଲା ମେହରବାନ୍ ।’ ଫଜ୍ଜୟର ମନ ଭିତରେ ମୁଲନତାଈ ଲାଗି ଅସମ୍ଭବ ସମ୍ବେଦନା ।
ସେତେବେଳକୁ ନସ୍ରୁ କବାଟ ଖୋଲି ଯାଇ ସାରିଥିଲା । ଏକଥା ଦେଖି ଫଜ୍ଜୟ ଶେଯରୁ ଧଡ଼ପଡ଼ ହୋଇ ତା’ପଛରେ ଦୌଡ଼ିଲା । ହେଲେ ରାସ୍ତା ଉପରେ ସେ ବିଞ୍ଛିବା ଆଗରୁ ନସ୍ରୁ ଯାଇ ପହଞ୍ଚି ସାରିଥିଲା ମୁଲନ ତାଈ ପାଖରେ । ରାସ୍ତାକଡ଼ ବତୀଖୁଣ୍ଟ ପାଖରେ ସେ ମୁଲନ ତାଈ ପିଠିରେ ତା’ତୀକ୍ଷ୍ଣ ଛୁରୀଟାକୁ ଭୁସିଦେଲା ଓ ବୁଢ଼ୀ କାଖରେ ଜାକିଥିବା ପୁଡ଼ାଟିକୁ ଭିଡ଼ିଆଣିଲା । ଫଜ୍ଜୟ ନସ୍ରୁ ପାଖରେ ପହଞ୍ôଚ ତା’ହାତଟାକୁ ଧରି ଭିଡ଼ି ଭିଡ଼ି ଆଣି ଦୋକାନରେ ପୂରାଇଦେଲା । ନସ୍ରୁ ମୁଣ୍ଡରୁ କିନ୍ତୁ ସେ ପର୍ଯ୍ୟନ୍ତ କ୍ରୋଧର ଭୂତ ଓହ୍ଲାଇ ନ ଥିଲା । ସେ ରାଗରେ ଧରି ଥରି କହି ଚାଲିଥାଏ, ‘ବଦମାସ ବୁଢ଼ୀ, ଭାବିଥିଲା ସମସ୍ତଙ୍କ ଆଖିରେ ଧୂଳି ଫିଙ୍ଗି ଧନଦଉଲତ ଧରି ଖସି ପଳେଇବ!’ ଏତିକି କହି ସେ ପୁଡ଼ାଟିକୁ ଖୋଲି ବସିଲା ।
ଏସବୁ ଦେଖି ଫଜ୍ଜୟ ତା’ ମୁଣ୍ଡଟାକୁ ଧରି ତଳେ ବସିପଡ଼ିଲା । ହଠାତ୍ ଏତେ ବାଟ ଦୌଡ଼ାଦୌଡ଼ି ଆସିଥିବାରୁ ସେ ଧଇଁସଇଁ ହୋଇଯାଉଥିଲା । ବୁଢ଼ୀଟାକୁ ସଦ୍ୟ ଛୁରୀ ମାରି ତା’ଠାରୁ ଛଡ଼ାଇ ଆଣିଥିବା ପୁଡ଼ାଟିକୁ ନ ଖୋଲିବା ଲାଗି ସିଏ ନସ୍ରୁକୁ ବାରଣ କରିବାକୁ ବି ତା’ର ଜୁ’ ପାଉନଥିଲା । ତା’ର ଇଚ୍ଛା ହେଉଥିଲା ନସ୍ରୁଠାରୁ ସେ ପୁଡ଼ାଟିକୁ ନେଇ ରାସ୍ତା ଉପରେକୁ ଫିଙ୍ଗିଦେବ! ନସ୍ରୁ ପୁଡ଼ାଟିକୁ ଖୋଲି ତାକୁ ଡିବିରି ଆଲୁଅ ପାଖରେ ଦେଖିଲା । ତା’ପାଟିରୁ ବାହାରି ଆସିଲା, ‘କାଫେରଟା ପୁଡ଼ା ଭିତରେ ତା’ ପଥର ଦିଅଁକୁ ନେଇ ପଳାଉଥିଲା ।’ ଏତିକି କହି ସେ ହୋ ହୋ ହୋଇ ହସି ଉଠିଲା ।
ଫଜ୍ଜୟର ଆଖି ରାଗରେ ଜଳିଉଠିଲା । ନସ୍ରୁ ରାସ୍ତା ଉପରୁ ନିରାପଦରେ ଫେରିଆସିଛି ବୋଲି ଅନୁଭବ କରିବା ପରେ ସିଏ ତାକୁ ଗାଳିଦେଇ ଚାଲିଲା – “ସୁଅର୍ କା ବଚ୍ଚା! ନିରୀହ ବୁଢ଼ୀଟାକୁ ଏମିତି ନିର୍ଦୟ ଭାବେ ମାରି ପକେଇଲୁ! ତତେ ଆଲ୍ଲା କଦାପି ମାଫ୍ କରିବେନି । କାଫେର୍ ହେଲେ ବି ସିଏ ତା’ଠାକୁର ମୂର୍ତ୍ତିକୁ ନେଇ ଯାଉଥିଲା । ତା’ର ଯଦି ବଳ ଥାଆନ୍ତା, ସେଇ ପଥର ମୂର୍ତ୍ତିରେ ସିଏ ତୋ ମୁଣ୍ଡକୁ ଛେଚି ଚୂରମାର କରିଦେଇଥାଆନ୍ତା । ତୁ ନିଜକୁ ନିଜେ ମସ୍ତବଡ଼ ଗାଜୀ ବୋଲି ଅନୁଭବ କରୁଛୁ। ତୋ ଆଲ୍ଲାଙ୍କୁ ରକ୍ଷା କରିଦେଇଛୁ ବୋଲି ଭାବୁଛୁ … ।”
ଅନୁସୃଜନ: ସୁଭାଷ ଶତପଥୀ