Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୬

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅପାର ବିଭୁତିର ବର୍ଣ୍ଣନା ପୂର୍ବରୁ ଶ୍ରୀମଦଭାଗବତର ଅମୁଲ୍ୟ ପଦକୁ ଧ୍ୟାନ ଦେବା

” ଯେତେ ଏ ଦାନ ବ୍ରତ ତ୍ୟାଗ,
ଧର୍ମ ଆଚାର ସଖ୍ୟ ଯୋଗ
ଏ ମୋତେ ନ ପାରନ୍ତି ଧରି,
ନାନା ପ୍ରକାରେ ବଶ କରି ।
ଭକତ ଜନେ ବଶ ମୁହିଁ,
ତାର ରକ୍ଷଣେ ମୋର ଦେହୀ ।”

ଏଠାରେ ମନରେ ପ୍ରଶ୍ନ ଉଠେ ଯଦି କେବଳ ଭକ୍ତି ହିଁ ଭଗବାନଙ୍କ ପ୍ରିୟ ବସ୍ତୁ, ତେବେ ନିଟୋଳ ଭକ୍ତି ଦ୍ୱାରା ଧର୍ମ ଆଚରଣ କରାଯାଇ ପାରିବ କି ନାହିଁ ? କାରଣ କେବଳ ଧର୍ମ ଧନ ହିଁ ଆମର ଇହକାଳ ଓ ପର କାଳର ସାଥି ହୋଇ, ଆତ୍ମା ସହ ରହିଥାଏ । କିନ୍ତୁ ସାମ୍ପ୍ରତିକ ପରିସ୍ଥିତି ରେ ଧର୍ମ ନାମରେ ବିଭିନ୍ନ ମତର ପ୍ରାବଲ୍ୟ, ପ୍ରକୃତ ଧର୍ମ କଣ ତାହାକୁ ଜାଣିବା କଷ୍ଟସାଧ୍ୟ କରିଦିଏ । ଶାସ୍ତ୍ର କହେ “ଧର୍ମ ମୂଳଂ ହି ଭଗବାନ ସର୍ବବେ୍ଦୋମୟ ହରିଃ ।”

ଏହା ସମ୍ପୂର୍ଣ୍ଣ ଭାବରେ କହିଲା ଯେ ଭଗବାନଙ୍କ ଭାବ ବା ସ୍ୱୟଂ ଭଗବାନ ହିଁ ସର୍ବ ଧର୍ମର ମୂଳ, ପୁନଶ୍ଚ ସବୁ ବେଦର ଅଧିକାରୀ ମଧ୍ୟ ଭଗବାନ (ଶ୍ରୀଜଗନ୍ନାଥ )। ଏହାକୁ ଆଉ ଟିକିଏ ସହଜ କରିଦେଲେ ମହର୍ଷି ମନୁ, ଯଥା : “ବେଦ ସ୍ମୁତିଃ ସଦାଚାର ସ୍ୱସ୍ୟଚ ପ୍ରିୟା ମାତ୍ମନଃ, ଏତ ଚତୃବିଧଂ ପ୍ରlହୁଃ ସାକ୍ଷାତ ଧର୍ମସ୍ୟ ଲକ୍ଷଣମ । “

ଅର୍ଥାତ ବେଦ, ସ୍ମୃତି (ଧର୍ମଶାସ୍ତ୍ର ), ସଦାଚାର ଓ ନିଜର ଏକାନ୍ତ ପ୍ରିୟତା (ଭକ୍ତି ଭାବ ), ଏହି ଚାରୋଟି ବିଭବ ପ୍ରକୃତ ଧର୍ମର ଲକ୍ଷଣ. ଏହି ପ୍ରକାର ଭାବରେ ଧର୍ମର ଆଚରଣ ଜୀବନକୁ ଧନ୍ୟ କରେ । କିନ୍ତୁ ଯଦି ବିଭିନ୍ନ ଧାରା ବା ମତକୁ ପାଥେୟ କରି ତଦନୁରୂପ ଧର୍ମ ଆଚରଣ କରିବା ତେବେ ନାନାଦି ଆତ୍ମକନ୍ଦଳ ସୃଷ୍ଟି ହେବ, ବିଭିନ୍ନ ନାମ, ଗୋଷ୍ଠୀ, ସମ୍ପ୍ରଦାୟ ସୃଷ୍ଟି ହୋଇ ଧର୍ମ ଆଚାରଣରେ ବାଧା ସୃଷ୍ଟି କରିବ। ଶାସ୍ତ୍ର ମତରେ “ବେଦୋଆଖିଳୋ ଧର୍ମ ମୂଲମ । ” ଅର୍ଥାତ ବେଦ ହିଁ ଧର୍ମର ମୂଳ ଆଧାର ଏହାକୁ ବିବେଚନା କରି, ସେଥିରେ ସଦାଚାର, ଓ ଅତ୍ମୀୟତା (ନିରୋଳା ଭକ୍ତି )ସନ୍ନିହିତ କଲେ ଧର୍ମ ଆଚରଣର ପ୍ରକୃତ ଉପଲବ୍ଧି ହେବ।

ଆମ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ ସେଥିପାଇଁ ଏକ ଅମୃତମୟ, ରସମୟ ଧାରା ଆମପାଇଁ ସୃଷ୍ଟି କରିଛନ୍ତି, ତାହାହେଲା ଶ୍ରୀଜଗନ୍ନାଥ ସଂସ୍କୃତି (ଧର୍ମବି କୁହାଯାଇପାରେ ), କେବଳ ମନର ଶୁଦ୍ଧତା ଓ ସାତ୍ଵିକତା ଆଧାରରେ ଆମେ ସେ ଅମୃତର ସ୍ୱାଦ ଆସ୍ଵାଦନ କରିପାରିବl. ସମସ୍ତେ (ଜାତି, ବର୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ସେ ଅମୃତର ସ୍ୱାଦ ଚାଖିବାର ସୁଯୋଗ ଦେଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । କିନ୍ତୁ ସେ ସୁଯୋଗ ମଧ୍ୟ ଅନେକ ନେଇ ପାରନ୍ତିନି, କାରଣ ସେମାନଙ୍କ ପାଖରେ ସେ ପ୍ରକାର ଶୁଦ୍ଧ ମନ ବା ଆଚରଣ ନଥାଏ । ଆଉ ଏକ ବଡ଼ କଥା ଏଥିପାଇଁ ମହାପ୍ରଭୁଙ୍କ ଅନୁଗ୍ରହ ମଧ୍ୟ ନିତ୍ୟାନ୍ତ ପ୍ରୟୋଜନ। ସେହି ଅନୁଗ୍ରହ କେବଳ ଓ କେବଳ ପ୍ରଭୁଙ୍କର ଭକ୍ତ ହିଁ ପାଇଥାନ୍ତି । ଏଥିରୁ ବୁଝିଲେ ତ ପ୍ରଥମରୁ ଭକ୍ତି ଭାବ ସବୁଠାରୁ ଉତ୍ତମ ବୋଲି କାହିଁକି କୁହାଗଲା ।

ଏବେ ଆସନ୍ତୁ ସେ ଭକ୍ତି ଭାବ ନେଇ ମହାପ୍ରଭୁଙ୍କୁ ଡାକିବା ।
“ତମେବ ଶରଣଂ ଗଛ ସର୍ବ ଭାବେନ ଭାରତ, ତତପ୍ରସାଦlତ ପରାଂ ଶାନ୍ତି ସ୍ଥାନଂ ପ୍ରାପସ୍ୟସି ଶାଶ୍ୱତମ୍ “(ଗୀତା )

ଅର୍ଥାତ ତୁମେ ସମସ୍ତେ ମନପ୍ରାଣ ଦେଇ ସର୍ବୋତ ଭାବେ ଶ୍ରୀଜଗନ୍ନାଥ (ଭଗବାନ )ଙ୍କ ଶରଣ କୁ ଯାଅ, କେବଳ ତାଙ୍କରି ଅନୁଗ୍ରହରୁ ପରମ ଶାନ୍ତି ଓ ଶାଶ୍ୱତ ଧାମ ପ୍ରାପ୍ତ ହେବ। ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Comments are closed, but trackbacks and pingbacks are open.