ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୬୬
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଚେତନାର ଅନେକ ଦିଗ ଆଲୋଚନା କଲେଣି ଓ ଅନେକ ଦିଗ ପୁଣି ଆଲୋଚନା କରିବାକୁ ବାକି ଅଛି। କାରଣ ଏ ଓଡ଼ିଆ ଜାତିର ପ୍ରାଣ ହିଁ ଶ୍ରୀଜଗନ୍ନାଥ। ଇତିହାସ କହେ ୧୦୭୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଓଡ଼ିଶା ଧର୍ମଧାରାରେ କୌଣସି ସ୍ଥାୟୀ ଧର୍ମର ପ୍ରଭାବ ନଥିଲା। କିନ୍ତୁ ଶ୍ରୀଜଗନ୍ନାଥଙ୍କ ସ୍ଥାନ ଥିଲା ସ୍ୱତନ୍ତ୍ର । କୁହାଯାଏ ଗଙ୍ଗବଂଶୀ ରାଜା ମାନେ ଓଡ଼ିଆଙ୍କ ପ୍ରାଣରେ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ଗଭୀର ଶ୍ରଦ୍ଧା ଓ ଭକ୍ତିକୁ ଅନୁଶୀଳନ କରି ସ୍ୱତନ୍ତ୍ର ଭାବେ ଶ୍ରୀଜଗନ୍ନାଥ ସଂସ୍କୃତିର ବିକାଶ କରିଥିଲେ। କିନ୍ତୁ ମୂଳତଃ ଗଙ୍ଗବଂଶୀ ରାଜାମାନେ ଶୈବ ଥିଲେ ।
ତେଣୁ ଶୈବ ଧାରାର ବିଲୟ ଘଟାଇ ହରି ହର ଉପାସନାର ପରିପ୍ରକାଶ କଲେ। ତାଙ୍କ ପରେ ସୂର୍ଯ୍ୟ ବଂଶର ରାଜା କପିଳେନ୍ଦ୍ର ଦେବ ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ଓଡ଼ିଶାର ଅଧ୍ୟ୍ୟlତ୍ମିକ ପ୍ରାଣ ଭାବରେ ପ୍ରତିଷ୍ଠା ଦେଇଥିଲେ। ଭୋଇ ବଂଶର ରାଜା ରାମଚନ୍ଦ୍ର ଦେବ ନିଜେ ରାଜବଂଶୀ ନଥିବାରୁ ଶ୍ରୀଜଗନ୍ନାଥଙ୍କୁ ନିଜର ତଥା ଓଡ଼ିଆ ଜାତିର ସର୍ବସ୍ବ ବୋଲି ସ୍ୱୀକାର କରି ଶ୍ରୀଜଗନ୍ନାଥ ସଂସ୍କୃତିରେ ଅନେକ ସଂସ୍କାର ଆଣିଲେ।
ଓଡ଼ିଶାକୁ ଶାସନ କରିଥିବା ସମସ୍ତ ରାଜା, ବିଶେଶତଃ, ପୁରୁଷୋତ୍ତମଦେବ, ଚୋଡ଼ଗଙ୍ଗ ଦେବ, ଦିବ୍ୟସିଂହଦେବ , ଯଯାତି କେଶରୀ ପ୍ରଭୃତି ଗଜପତିମାନେ ଓଡ଼ିଶାରେ ଶ୍ରୀଜଗନ୍ନାଥ ସଂସ୍କୃତିର ସମନ୍ୱୟ ଭାବକୁ ଅକ୍ଷୁର୍ଣ୍ଣ ରଖି ନିଜର ଶାସନ ସୁଚାରୁ ରୂପେ କରିଥିଲେ। ଏଭଳି ଭାବରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ବିଶେଷ ଭାବରେ ଶ୍ରୀଜଗନ୍ନାଥ ଦେଶ ଭାବରେ ପରିଗଣିତ ହେଲା।
ଭାରତର ଦୁଇଜଣ ପ୍ରସିଦ୍ଧ ଆଚାର୍ଯ୍ୟ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିର ସମନ୍ୱୟ ଭାବକୁ ସ୍ୱୀକାର କରିଛନ୍ତି । ଆଚାର୍ଯ୍ୟ ଶଙ୍କର ନବମ ଶତାବ୍ଦୀରେ ସାରା ଭାରତ ଭ୍ରମଣ କରି ଯେତେବେଳେ ଏହି ଜଗନ୍ନାଥ ଦେଶରେ ପହଞ୍ଚିଲେ ଓ ପ୍ରଭୁଙ୍କର ଦର୍ଶନ କଲେ, ଭାବରେ ଗାଇଲେ
“ନୈବ ଯାଚେ ରାଜ୍ୟଂ ନ ଚ କନକ ମାଣିକ୍ୟ ବିଭବମ. ନ ଯାଚେ ଅହଂ ରମ୍ୟଂ ସଂକଳ ଜନ କାମ୍ୟାଂ ବରବଧୁମ । ଅହୋ ଦୀନନାଥଂ ନିହିତ ମଚଳଂ ନିଶ୍ଚିତ ପଦମ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ।”
ଏଠାରେ ଏତିକି ଆଶ୍ଚର୍ଯ୍ୟ ଲାଗେ ସ୍ୱୟଂ ଶଙ୍କରଙ୍କ ଅବତାର ଭାବେ ପରିଚିତ, ପରମ ଶୈବ କାହିଁକି ଶ୍ରୀଜଗନ୍ନାଥ ଙ୍କୁ ନିଜର ନୟନ ମଣି କଲେ? ଏଠି ମଧ୍ୟ ସେହି ଗୋଟିଏ ଗୁଣ ଶ୍ରୀଜଗନ୍ନାଥଙ୍କ ପାଖରେ ବା ଶ୍ରୀଜଗନ୍ନାଥ ସଂସ୍କୃତିରେ ଶଙ୍କର ଉପଲବ୍ଧି କରିଥିଲେ, ତାହା ହେଉଛି ସର୍ବ ଧର୍ମ, ସର୍ବ ମତର ସମନ୍ୱୟ ଭାବ। ତାଙ୍କ ପରେ ଏକାଦଶ ଶତାବ୍ଦୀରେ ଆସିଥିଲେ ଆଚାର୍ଯ୍ୟ ରାମାନୁଜ ସେ ମଧ୍ୟ ନିଜ ମତ ଓ ପଥକୁ ପ୍ରାଧାନ୍ୟ ନଦେଇ ଶ୍ରୀଜଗନ୍ନାଥଙ୍କୁ ସମନ୍ୱୟର ଦେବତା ଭାବରେ ଗ୍ରହଣ କରି ମୁକ୍ତ କଣ୍ଠରେ ସ୍ୱୀକାର କଲେ “ନ ଜାତି କାରଣଂ ଲୋକଗୁଣଃl କଲ୍ୟାଣ ହେତବେ ।” ଅର୍ଥାତ କୌଣସି ଜାତି ବା ସମ୍ପ୍ରଦାୟ ମଣିଷର କଲ୍ୟାଣ କରିପାରେନି, କେବଳ ଗୁଣ ହିଁ ସମସ୍ତ କଲ୍ୟାଣର ମୂଳ କାରଣ।
ଏଠାରେ ଶ୍ରୀଜଗନ୍ନାଥ ଙ୍କ ସାମ୍ୟବାଦ, ସମନ୍ୱୟ, ଭକ୍ତବାତ୍ସଳ ଗୁଣ ହିଁ ଜଗତ ର କଲ୍ୟାଣ ସାଧନ କରୁଛି । ତେଣୁ ଅନେକ ଜାତି, ଅନେକ ଧର୍ମ, ଅନେକ ମତ ଓ ପଥ, ଅନେକ ସମ୍ପ୍ରଦାୟ ତଥା ଗୋଷ୍ଠୀରେ ପୂର୍ଣ୍ଣ ଏହି ପୃଥିବୀରେ ଅକୁଣ୍ଠିତ ଭାବରେ ଶ୍ରୀଜଗନ୍ନାଥ ସଂସ୍କୃତିର ବିକାଶ ଓ ବିଜୟ ଯାତ୍ରା ଅବ୍ୟାହତ ରହିଛି, ରହିଥିବ ମଧ୍ୟ। ଆଗାମୀ ଦିନରେ ଶ୍ରୀଜଗନ୍ନାଥ ଚେତନାର ଏହି ସାମ୍ୟବାଦ ଓ ସମନ୍ୱୟ ଚିନ୍ତାଧାରା ଭାରତକୁ ପୃଥିବୀରେ ବିଶ୍ଵଗୁରୁ କରାଇବ। (ଦ. ତ୍ରୀ ଉବାଚ)
ଜୟ ଜଗନ୍ନାଥ
Comments are closed.