Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସାମ୍ୟବାଦ ସଂସ୍କୃତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସାମ୍ୟବାଦ ସଂସ୍କୃତିର ପ୍ରଚାର ପ୍ରସାରରେ ଓଡ଼ିଶାର ମହାରାଜା ଓ ଗଜପତିମାନଙ୍କ ଭୂମିକା ଯେତିକି, ତା’ଠାରୁ ଶ୍ରୀଜଗନ୍ନାଥଙ୍କ ଭାବରେ ବନ୍ଧା ଭକ୍ତଙ୍କ ଭୂମିକା ମଧ୍ୟ କୌଣସି ଗୁଣରେ କମ ନୁହେଁ। ଯବନ ଭକ୍ତ ସାଲବେଗ, କବିର ହୁଅନ୍ତୁ, ନାରୀ ଭକ୍ତା କର୍ମାବାଇ କି ମୀରାବାଈ ହୁଅନ୍ତୁ ଅଥବା ପଞ୍ଚସଖା ବଳରାମ ଦାସ ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ, ଶିଶୁ ଅନନ୍ତ ଦାସ, ଓ ଜଗନ୍ନାଥ ଦାସ ସମସ୍ତେ ନିଜ ନିଜ ଭାବରେ ପ୍ରଭୁଙ୍କୁ ବାନ୍ଧିପାରିଥିଲେ ଓ ପ୍ରଭୁଙ୍କର ମହିମା ପ୍ରଚାରରେ ଜୀବନ ସମର୍ପିତ କରିଥିଲେ। ଭକ୍ତଙ୍କ ତାଲିକା ପ୍ରସ୍ତୁତ କଲେ ଏକ ପୋଥି ହେବ।

କାରଣ ପ୍ରତ୍ୟେକ ଜାତି, ବର୍ଣ୍ଣ ସମ୍ପ୍ରଦାୟର ଭକ୍ତ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆପଣାର କରିଥିଲେ। ପ୍ରଭୁ ମଧ୍ୟ ନିଜର ସମନ୍ୱୟ ଓ ସାମ୍ୟବାଦର ଧ୍ବଜା ଉଡାଇ ପତିତତାରଣ ସ୍ୱରୂପକୁ ବିସ୍ତାରିତ କରି ଭକ୍ତମାନଙ୍କୁ ଆପଣେଇ ଥିଲେ। ଏବେବି ଆପଣାର କରୁଛନ୍ତି । ଆଗକୁ ମଧ୍ୟ୍ୟ ଆପଣାର କରିବେ। ପ୍ରଭୁଙ୍କର ଏହି ସ୍ଵଭାବକୁ ଭକ୍ତଟିଏ ଜାଣିଛି ବୋଲି ବା ହୃଦୟଙ୍ଗମ କରି ଗାଏ।

“ନ ଧନଂ ନ ଜନଂ ନ ସୁନ୍ଦରୀଂ କବିତାଂ ଜଗଦୀଶ କାମେୟମମ ଜନ୍ମନି ଜନ୍ମନିଶ୍ୱରେ, ଭଗବଦ ଭକ୍ତିରହୈତୁକି ତ୍ବୟି । “

ଅର୍ଥାତ ହେପରମେଶ୍ୱର, ହେ ଜଗନ୍ନାଥ, ମୁଁ ଆପଣଙ୍କ ଠାରୁ ଧନ, ଜନ, ସୁନ୍ଦରୀ ସ୍ତ୍ରୀ ବା ସାଂସାରିକ ବିଳାସ ଚାହେଁନି, କେବଳ ତୁମ ଚରଣରେ ମୋର ଜନ୍ମ ଜନ୍ମାନ୍ତର ପାଇଁ ଅହୈତୁକି ଭକ୍ତି ଭାବ ରହିଥାଉ। କାରଣ ପ୍ରଭୁଙ୍କ ଭକ୍ତିଭାବରେ ଯିଏ ଥରେ ବୁଡିଛି ସେ ଜାଣିଛି ଭାବବିନୋଦିଆ ଶ୍ରୀଜଗନ୍ନାଥ ତାର ସବୁ ଇଛା ନିଶ୍ଚୟ ପୁରଣ କରିବେ। ଭାବ ବିନୋଦିଆ ଶ୍ରୀଜଗନ୍ନାଥ ମଧ୍ୟ ଜାଣିଛନ୍ତି ତାଙ୍କର ଭକ୍ତର ଇଚ୍ଛା କ’ଣ ?

ଭକ୍ତ ବଳରାମ ଦାସ ତାଙ୍କ ରଚିତ “ଜଗମୋହନ ରାମାୟଣ “ରେ ବର୍ଣ୍ଣନା କଲେ
“ଦାରା, ସୁତ, ଧନ, ଜନ, ସୁଖ ଭୋଗ ଶିରୀ,
ଅଳପେ ଆପଣ ଦେଇଛନ୍ତି ତାହା ହରି।
ଏ ମର୍ତ୍ତ୍ୟ ଲୋକେ ମୁଁହିଁ ଜଗନ୍ନାଥ ସେବି,
ଇଛା ହୋଇଲେ ମୁଁ ବୈକୁଣ୍ଠ ଯିବି। “

ସେ ଭକ୍ତ ବଳରାମ ଦାସ ତେଣୁ ବୈକୁଣ୍ଠ ଯିବାର ଇଛା ଜାହିର କରିଛନ୍ତି, କିନ୍ତୁ ତୁମ ଆମ ପରି ସାଧାରଣ ଭକ୍ତଟିଏ ବେଶୀ ନହେଲେ ବି ଏଇ ମର୍ତ୍ତ୍ୟ ବୈକୁଣ୍ଠ ନୀଳାଚଳ ଧାମରେ ବାସ କରି ଶ୍ରୀଜଗନ୍ନାଥଙ୍କ ସେବା କରିବାର ଇଛା ତ ରଖି ପାରୁଛେ।
ମୁଁ ମନକୁ ମନ ଶ୍ରୀକ୍ଷେତ୍ରକୁ ମର୍ତ୍ତ୍ୟବୈକୁଣ୍ଠ କହୁନାହିଁ। ଶାସ୍ତ୍ର ପ୍ରମାଣ ବି ଅଛି, ଯେଉଁଠି ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିବାସ ତାହା ବୈକୁଣ୍ଠ ନୁହେଁ ତ ଆଉ କଣ ?

କପିଳ ସଂହିତା କହେ
“ସାକ୍ଷାତ ବୈକୁଣ୍ଠ ସ୍ୱରୂପଂ ତତକ୍ଷେତ୍ର ଶ୍ରୀପୁରୁଷୋତ୍ତମମ୍,
କ୍ଷେତ୍ରlଣାଂ ମଣିକ୍ଷେତ୍ରଂ ଚ ତୀର୍ଥlନାମପି ଯଦ ବରାମ। “

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଉପସ୍ଥିତି, ସର୍ବଧର୍ମ ଓ ମତର ପ୍ରଚାରକଙ୍କ ଅସ୍ଥାନ (ମଠ, ଆଶ୍ରମ ପ୍ରଭୃତି )ର ପ୍ରବଲ୍ୟତା, ତଥା ତୀର୍ଥମାନଙ୍କ (ବିଶେଷ ଭାବରେ ତୀର୍ଥରାଜ ମହୋଦଧି ଙ୍କ )ଉପସ୍ଥିତି ଏହି ଶ୍ରୀକ୍ଷେତ୍ର କୁ ଧର୍ମଧାରଣାର ମହା ମିଳନ ସ୍ଥଳ ଅବା ଏକ ବାକ୍ୟରେ କହିଲେ ଧାର୍ମିକ ଅମୃତକୁଣ୍ଡରେ ପରିଣତ କରିଛି। ଆସନ୍ତୁ ତେବେ ସେ ଅମୃତଧାରା ଆଶ୍ବଦାନ କରି ପ୍ରଭୁଙ୍କ ପାଦପଦ୍ମ ରେ ମନ ଲଗେଇବା :

“ମଯ୍ୟେବ ମନ ଆଧାତସ୍ୱ ମୟି ବୁଦ୍ଧିଂ ନିବେଶୟ, ନିବସିସ୍ୟସି ମଯ୍ୟେବ ଅତ ଉର୍ଦ୍ଧଂ ନ ସଂଶୟଃ”(ଗୀତା୧୨/୮ )।

ଅର୍ଥାତ ତୁମେ ମୋଠାରେ ମନ ଲଗାଅ, ମୋଠାରେ ହିଁ ବୁଦ୍ଧି ଲଗାଅ। ତେବେ ତୁମେ ମୋ ପାଖରେ ହିଁ ନିବାସ କରିବ, ଏଥିରେ ସନ୍ଦେହ ନାହିଁ। (ଦ. ତ୍ରୀ. ଉବାଚ )

 

Comments are closed.