Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୬ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ ପଞ୍ଚ ଦେବ ଉପାସନାର କ୍ରମ ଅନୁସାରେ ଆମେ ଭାସ୍କର (ସୂର୍ଯ୍ୟ ନାରାୟଣ )ଙ୍କ ପୂର୍ବରୁ ଅମ୍ବିକାଙ୍କ ନାମ ନେଉଛେ ଅମ୍ବିକାଙ୍କୁ ଆଦିଶକ୍ତି ମା ଯୋଗମାୟା ରୂପେ ତତ୍ତ୍ୱତଃ ବିଚାର କରିବା ସମୟରେ ମୂର୍ତ୍ତି ବା ବିଗ୍ରହ ହିସାବରେ ସୁଭଦ୍ରାଙ୍କୁ ପ୍ରକୃତି ସ୍ୱରୂପିଣୀ (ସ୍ତ୍ରୀ ଲିଙ୍ଗ ) ହିସାବରେ ବିବେଚନା କରୁ।।ଏହା ସତ୍ୟ ଯେ ପରଂବ୍ରହ୍ମଙ୍କ ପାଖରେ ଲିଙ୍ଗ ଭେଦ ନାହିଁ। ସେଥିପାଇଁ ତ ଅନେକ ଶାସ୍ତ୍ରରେ ସୁଭଦ୍ରାଙ୍କୁ ସୃଷ୍ଟିକର୍ତ୍ତା ବ୍ରହ୍ମl ଭାବରେ ଚିତ୍ରଣ କରାଯାଇଛି।

ସୃଷ୍ଟି ତତ୍ତ୍ୱକୁ ସଠିକ ଭାବରେ ବୁଝିବାକୁ ଏହି ଲିଙ୍ଗ ଭେଦର ଉପସ୍ଥାପନା ହୋଇଛି। ଗୋଟିଏ ପ୍ରକୃତି (ଯୋଗମାୟା )ଏବଂ ପୁରୁଷ (ପୁରୁଷୋତ୍ତମ ବା ପରଂବ୍ରହ୍ମ )ଅପୂର୍ଵ ବୀକ୍ଷଣ ଓ କ୍ଷୋଭଣ କ୍ରିୟା ଦ୍ୱାରା ସୃଜନ କ୍ରିୟା ସମ୍ପାଦିତ କରନ୍ତି। ଅନ୍ୟ ପ୍ରକାରେ କହିଲେ ପରଂବ୍ରହ୍ମଙ୍କ ଅଧ୍ୟକ୍ଷତାରେ ପ୍ରକୃତି ସଚରାଚର ଜଗତକୁ ସୃଜନ କରନ୍ତି। ଏହି ହେତୁ ଜଗତରେ ସର୍ବଦା ପରିବର୍ତ୍ତନ ବା ବିବର୍ତ୍ତନ ସମ୍ଭବ ହୁଏ। ତେଣୁ ଗୀତା କହେ, “ମାୟାଧ୍ୟକ୍ଷେଣ ପ୍ରକୃତି ସୂୟତେ ସଚରାଚରମ, ହେତୁନlନେନ କୌନ୍ତେୟ ଜଗଦ ବିପରିବର୍ତ୍ତତେ “(ଗୀତା ୯/୧୦). ଏଠାରେ ଲକ୍ଷ କରିବା କଥା ପରଂବ୍ରହ୍ମଙ୍କ ପାଖରେ ପ୍ରକୃତି ଓ ପୁରୁଷ ଏକ ଓ ଅଭିନ୍ନ, ସେଥିପାଇଁ ତାଙ୍କୁ ଲିଙ୍ଗ ଭେଦରୁ ଉର୍ଦ୍ଧ୍ଵରେ ରଖାଯାଏ। କିନ୍ତୁ ସୃଷ୍ଟିର ମୂଳ ହେତୁ (କାରଣ )ଉଭୟ ମାତୃ ସ୍ୱରୂପ (ଆଧାର ବା ଡ଼ିମ୍ବ )ଓ ପିତୃ ସ୍ୱରୂପ (ବୀଜ)। ସେଥିପାଇଁ ତ ଆମେ ପରଂବ୍ରହ୍ମଙ୍କୁ କହିଥାଉ “ତୁମେବ ମାତା ଶ୍ଚ ପିତା ତୁମେବ “. ଅବା “ମୂଳ ପ୍ରକୃତିରିଶ୍ୱର “ ଶ୍ରୀମଦ ଭାଗବତ ଗୀତା ଏହା ମଧ୍ୟ ବର୍ଣ୍ଣନା କରିଛି “ବୀଜଂ ମାଂ ସର୍ବଭୂତାନାଂ ବିଦ୍ଧି ପାର୍ଥ ସନାତନମ୍ । ” ଅର୍ଥାତ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସୃଷ୍ଟି ତତ୍ତ୍ୱ ବୁଝାଇବାକୁ ଯାଇ କହୁଛନ୍ତି, ହେ ପାର୍ଥ ସର୍ବଭୂତ ରେ ବୀଜ ଭାବରେ ମୁଁ ହିଁ ସୃଷ୍ଟି ସର୍ଜନାର କାରଣ. (ଗୀତା ୭/୧୦)।କେବଳ ସେତିକି ନୁହେଁ ମୁଁ ପ୍ରକୃତିଙ୍କୁ ସ୍ଵ ଅଧୀନରେ ରଖି ପୁନଃ ପୁନଃ ସୃଷ୍ଟି ସର୍ଜନା କାର୍ଯ୍ୟ ଜାରି ରଖିଥାଏ। ସେହି କାରଣରୁ ଜଗତରେ ଜନ୍ମ ମୃତ୍ୟୁର ପ୍ରକ୍ରିୟା ସର୍ବଦା ଚାଲି ଆସୁଛି। ପୁନଶ୍ଚ ଗୀତାରେ କହିଲେ : “ପ୍ରକୃତିଂ ସ୍ୱାମବଷ୍ଟଭ୍ୟ ବିସୃଜାମି ପୁନଃ ପୁନଃ “(ଗୀତା ୯/୮)। ଏଥିରୁ ସମ୍ପୂର୍ଣ ରୂପେ ଜାଣିହେଲା ଯେ ପରଂବ୍ରହ୍ମ ଉଭୟ ପ୍ରକୃତି ଓ ପୁରୁଷ ସ୍ୱରୂପରେ ଉଭୟ ଅନାଦି ଓ ଅଭିନ୍ନ। ଗୋଟିଏ ସ୍ୱରୂପ ନିର୍ଗୁଣ, ନିର୍ଲିପ୍ତ ଏବଂ ଗୋଟିଏ ସ୍ୱରୂପ ସଗୁଣ ଓ ସମସ୍ତ କାର୍ଯ୍ୟ ତଥା କାରଣର ମୂଳ ଆଧାର ଆଦିଶକ୍ତି। ସବୁଠାରୁ ବଡ଼ କଥା କାର୍ଯ୍ୟ ଓ କାରଣ ସମ୍ପାଦିତ ହୁଏ ପ୍ରକୃତି ସ୍ୱରୂପରେ। କିନ୍ତୁ ସମସ୍ତ କାର୍ଯ୍ୟ ଓ କାରଣର ଫଳ ପ୍ରଦାନ କରନ୍ତି ସ୍ୱୟଂ ପରମପୁରୁଷ ପରଂବ୍ରହ୍ମ ଶ୍ରୀଜଗନ୍ନାଥ।ଉଭୟ ସ୍ୱରୂପ ସର୍ବଦା ଏକ ବୋଲି ବା ଏକତ୍ରିତ ଭାବରେ ଉପସ୍ଥାପନ କଲେ ମଧ୍ୟ ଏମାନେ ସ୍ୱତନ୍ତ୍ର, ସ୍ୱୟଂଚାଳିତ ଓ ପରସ୍ପରର ଅନୁପୂରକ ବା ପରିପୂରକ ଅଟନ୍ତି।

ଆସନ୍ତୁ ସେହି ପରମ ପୁରୁଷ,ପୁରୁଷୋତ୍ତମ,ପରଂବ୍ରହ୍ମ, ପବିତ୍ର, ପରମଧାମ, ଆଦି ଦେବ, ଆଦିଶକ୍ତି, ମାତୃ ରୂପୀ ଓ ପିତୃ ରୂପୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହୃଦୟରେ ଧାରଣ କରିବା “ପରଂବ୍ରହ୍ମ ପରଂଧାମ ପଵିତ୍ରଂ ପରମ ଭବାନ, ପୁରୁଷଂ ଶାଶ୍ୱତଂ ଦିବ୍ୟମାଦିଦେବମଜ୍ଂ ବିଭୂମ ।”

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

 

Leave A Reply

Your email address will not be published.