Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୬୦

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ମାହାତ୍ମ୍ୟ ଆଲୋଚନା ଜାରି ରଖିବା ପାଇଁ ଆଜି ଏହି ନାମ କିପରି ମନ୍ୟୁଷକୁ ଭବରୋଗରୁ ମୁକ୍ତି ଦିଏ ଏବଂ ଏହା କିଭଳି ଓ କେଉଁ ପ୍ରକାର ଜପ କରି ହୁଏ ସେ ବିଷୟରେ ଜାଣିବା। ଆଗରୁ ଆମେ ଜାଣିଛେ କୃଷ୍ଣ (ଶ୍ରୀଜଗନ୍ନାଥ )ନାମ ଅତ୍ୟନ୍ତ ମଧୁର ଓ ଅମୃତ ତୁଲ୍ୟ ତଥା ମୁକ୍ତି ପ୍ରଦାନ କାରି। ଏବେ ଶାସ୍ତ୍ର କହେ ଏହା ଏକ ଜୀବନ ପ୍ରଦାନକାରି ଔଷଧ। ଯଥା : ଇଦଂ ଶରୀରଂ ପରିଣାମପେଶଳଂ ପତତ୍ୟବଶ୍ୟଂ ଶତସନ୍ଧିଜର୍ଜରମ କିମଔଷଧଂ ପୃଛସି ମୂଢ଼ଦ୍ରୁମତେ ନିରାମୟଂ କୃଷ୍ଣ ରସାୟନଂ ପିବ “(ମୁକୁନ୍ଦ ମାଳା ସ୍ତୋତ୍ର )। ଆଜିର ଏହି ବିଜ୍ଞାନ ଯୁଗରେ ମଧ୍ୟ ଏହାର ପ୍ରୟୋଗ ଦେଖାଯାଏ। ଯେତେ ଔଷଧ ଖାଇଲେ ମଧ୍ୟ ଈଶ୍ୱରଙ୍କ ନାମ ରୂପୀ ରସାୟନକୁ ଶେଷ ଭରଷା ବୋଲି ବିବେଚନା କରାଯାଏ। କାରଣ ଯଥାର୍ଥରେ ଜୀବ ଓ ଜୀବନର ଏକମାତ୍ର ଅମୃତ ସ୍ୱରୂପ ବିଧାନ ବା ଭୂଷଣ । “ବିଭୁ ନାମ ଗାନ “ଜୟତି ଜୟତି ନାମାନନ୍ଦ ରୂପଂ ମୂରାରେ ବିରମିତ ନିଜ ଧର୍ମଧ୍ୟାନ ପୂଜାଦି ଯତ୍ନମ, କଥମପି ସକୃଦାତ୍ତଂ ମୁକ୍ତିଦଂ ପ୍ରାଣିନାଂ ଯତ, ପରମମମୃତ ମେକଂ ଜୀବନଂ ଭୂଷଣଂ ମେ” “(ଶ୍ରୀବୃହଭଗବତାମୃତ )ଆପଣ ଧର୍ମ, ଧ୍ୟାନ, ପୂଜା, ଏପରିକି ବର୍ଣ୍ଣlଶ୍ରମ ପାଳନର ସମସ୍ତ ଫଳ କେବଳ ଶୁଦ୍ଧ ନାମ କୀର୍ତ୍ତନରେ ପାଇପାରିବେ।

ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଶୁଦ୍ଧ ନାମ କୀର୍ତ୍ତନର ଉପାୟ କ’ଣ ? ଏହା କିପରି ଓ କେଉଁଠି ନିଆଯିବ ? ଆସନ୍ତୁ ଶାସ୍ତ୍ର କଣ କହୁଛି ଦେଖିବା ଯଥା :

“ଭୋଜନ, ଶୟନ ନିଦ୍ରା ରତିସୁଖେ ରସ, ଯହିଁ ଥାଇ ନାମକୁ ଜପିଲେ ନାହିଁ ଦୋଷ,
ଏଠାରେ ସେଠାରେ ବୋଲି ନକରି ବକତା, ନାମ ରତ୍ନ ବୋଲି ପାର୍ଥ ସ୍ଵଛନ୍ଦ ମୁକୁତା *
ଶୁଭ ଯେ ଅଶୁଭ ଯହିଁ ଯୋଗ ଲଗ୍ନ ନାହିଁ, ଯେତେବେଳେ ପାଉ ନାମ ତେତେବେଳେ କହି । “(ନାମରତ୍ନ ଗୀତା )

ଏଥିରେ ଆଉ ଅବୁଝା କିଛି ନଥିବ, ସ୍ଥାନ, କାଳ, ପାତ୍ର, ତଥା ଯୋଗ ଲଗ୍ନ ନିରୂପଣର ଆବଶ୍ୟକତା ନାହିଁ। ତେବେ ଆବଶ୍ୟକ କ’ଣ? ଶୁଦ୍ଧ ମନରେ, ଉତ୍ତମ ଭକ୍ତିର ସହ ନାମ ଉଚ୍ଚାରଣ ବା ସ୍ମରଣ। ସତସଙ୍ଗରେ ମିଶି ନାମ ସଂକୀର୍ତ୍ତନ ତ ସବୁଠାରୁ ଉତ୍କୃଷ୍ଟ । ଆଉ ଡେରି କାହିଁକି, ପ୍ରଭୁ ନାମ ଭଜନ କରନ୍ତୁ।

“ଆହେ ନୀଳଶଇଳ, ପ୍ରବଳ ମତ ବାରଣ,
ମୋ ଆରତ ନଳିନୀ ବନକୁ କର ଦଳନ,
ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ,
ଚକ୍ରପେଶି ନକ୍ର ନାଶି ଉଦ୍ଧାରିଳ ଆପଣ “(ସାଲବେଗ ରଚନା )

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.