ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୬୪
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ସ୍ମରଣ କରି ବିପଦରୁ ରକ୍ଷା ପାଇଥିବା ପ୍ରାଣୀଙ୍କ ବିଷୟରେ ଚିନ୍ତା କରିବା ମାତ୍ରେ ଦୁଇଟି ଜୀବ ଆମ ମନକୁ ଆସନ୍ତି। ଗଜ ଓ ମୃଗୁଣୀ। ଓଡ଼ିଆ ମାନଙ୍କ କଣ୍ଠରେ ନିନାଦିତ ସଙ୍ଗୀତ :
“ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ,
ଚକ୍ରପେଶି ନକ୍ରନାଶି ଉଦ୍ଧାରିଲ ଆପଣ
ଆହେ ନୀଳ ଶୈଳ ପ୍ରବଳ ମତ୍ତ ବାରଣ “(ସାଲବେଗ )।
ଏହି ଉପାଖ୍ୟାନଟି ଏହିପରି, ଗଭୀର ଜଳରେ ପଦ୍ମ ତୋଳିବା ସମୟରେ କୁମ୍ଭୀର ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଶୁଣ୍ଢରେ ପଦ୍ମଫୁଲକୁ ତୋଳି ଧରି, ତାହାକୁ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ ପୂବର୍କ, ଆକୁଳ ପାର୍ଥନା କରନ୍ତେ, ନାରାୟଣ (ଶ୍ରୀଜଗନ୍ନାଥ ) ଚକ୍ର ପେଶି, ନକ୍ର (କୁମ୍ଭୀର )ନାଶି, ଗଜକୁ ଉଦ୍ଧାର କରିଥିଲେ। ଓଡ଼ିଆ ଭାଗବତର ବର୍ଣ୍ଣନା ମଧ୍ୟ ଅତୀବ ସୁନ୍ଦର। ଏଠାରେ ଗଜ ଶ୍ରୀଜଗନ୍ନାଥ ଙ୍କୁ ଚିନ୍ତା କରି ସ୍ତୁତି କରୁଛନ୍ତି ।
“ମୁନିଏ କହିଛନ୍ତି ମୋତେ, ଆତଙ୍ଗ କାଳେ ଜଗନ୍ନାଥେ ଆତଙ୍ଗ ନାଶନ ତୋ ବାନା, ବାରେ ହୁଅ ତୁ ବଜ୍ର ସେହ୍ନା, ଶରଣ ରକ୍ଷଣ ମୁରାରୀ, ବାରେକ ନେବାକ ଉଦ୍ଧାରି, ଗୋବିନ୍ଦ ଗୋବିନ୍ଦ ଗୋସାଇଁ, ତୋ ବିନୁ ଅନ୍ୟ ଆଶ୍ରା ନାହିଁ “ କି ଆକୁଳ ପାର୍ଥନା କି ଆତ୍ମ ସମର୍ପଣ, ଏହାହିଁ ପ୍ରଭୁ ଚାହାଁନ୍ତି ଗଜ ପରି ମୃଗୁଣୀ ମଧ୍ୟ ସ୍ତୁତି କରିଥିଲା
“ମୁଁ ସ୍ତୁତି ଜପ ହୋମ ଭାବନା,
କରିବାରେ ଅଟେ ଶକ୍ତି ବିହୀନା
ତେଣୁ ତୁମ ପାଦ ପଦ୍ମେ ଶରଣ ଯାଉ ଅଛି ଆହେ ନାରାୟଣ,
ରଖ ବା ନରଖ ଆଉ ଆଶ୍ରା ନାହିଁ କଞ୍ଜମୁଖ (ମୃଗୁଣୀ ସ୍ତୁତି, ଜଗନ୍ନାଥ ଦାସ )
ଏହାକୁ ସଂସ୍କୃତରେ କବି କହିଲେ : ଆଦିଷ୍ଠେ ନାମମରଭୁଭୃତା ଗର୍ଜିତେ ମେଘମାଳେ, ଘୋର ନୀରେ ବହତି ମରୁତା ଖଣ୍ଡିତା ଜାଲମାଳା, ସର୍ପlଘାତେ ନିହିର୍ତ୍ତ ଶବରଃ ଶ୍ଵାନୟୋ ବଜ୍ରପୀଡା, ମନ୍ଦଂ ମନ୍ଦଂ ଚଲିତ ହରିଣୀ ସାଧୁ ସାଧୁ ବିଧାତା ।” ଅର୍ଥାତ ମୃଗୁଣୀର ଆକୁଳ ପାର୍ଥନାରେ ବିଚଳିତ ଶ୍ରୀଜଗନ୍ନାଥ, ଘୋର ବର୍ଷା କରି ଅନଳ ନିର୍ବିପାତ କରିଛନ୍ତି। ପବନରେ ଜାଲ ଚିଣ୍ଡାଇ ଦେଇଛନ୍ତି, ସର୍ପଦଂଶନ ରେ ବ୍ୟାଧ ପ୍ରାଣ ହରାଇଛି, ଶ୍ୱlନ ଉପରେ ବଜ୍ର ପଡିଛି। ସମସ୍ତ ବିପଦ ଟଳିବା ପରେ ମୃଗୁଣୀ ପ୍ରଭୁଙ୍କର ଗୁଣ ସୁମରି ମନ୍ଦ ମନ୍ଦ ଗତିରେ ଚାଲିଯାଇଛି। ଭକ୍ତ ସାଲବେଗ ଅତି ସଂକ୍ଷେପରେ କହିଲେ
“ଘୋର ବନେ ମୃଗୁଣୀକି ପଡିଥିଲା କଷଣ,
ଏଡ଼େ ବଡ଼ ବିପତ୍ତି ରୁ ଉଦ୍ଧାରିଲ ଆପଣ –
ଆହେ ନୀଳଶୈଳ ପ୍ରବଳମତ୍ତ ବାରଣ ।
ଆଜି ମଧ୍ୟ ଆମେ ସେହି ଜୀବମାନଙ୍କ ପରି ନିଜକୁ ସମର୍ପିତ ଭାବରେ ଏତିକି କହିବା “ମୋ ଆରତ ନଳିନୀ ବନକୁ କର ଦଳନ, ଆହେ ନୀଳଶୈଳ ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.