ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୬୮
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ମଧ୍ୟ ପୁରୁଷୋତ୍ତମ କ୍ଷେତ୍ର ଏବଂ ପରମ ପାବନ କ୍ଷେତ୍ର। ଏହା ପରଂବ୍ରହ୍ମଙ୍କ ଲୀଳା କ୍ଷେତ୍ର। ଏହି କ୍ଷେତ୍ରର ଅନନ୍ୟ ମାହାତ୍ମ୍ୟ ଏହିକିଯେ ଏଠାରେ ମୃତ୍ୟୁ ସହ ମୁକ୍ତି ଜଡିତ ହୋଇ ରହିଛି। ଅବଶ୍ୟ ମୃତ୍ୟୁଲାଭ କରୁଥିବା ଜୀବ ଟିର ଆତ୍ମ ସମର୍ପଣ ଭାବ ତାହାର ମୁକ୍ତି ପାଇଁ ପଥ ପ୍ରସ୍ତୁତ କରେ। କୁହାଯାଏ ଏହି କ୍ଷେତ୍ରରେ ବାସ କରୁଥିବା ସମର୍ପିତ ପ୍ରାଣଟିଏ। ମୃତ୍ୟୁ ସମୟରେ ସ୍ୱୟଂ ପରଂବ୍ରହ୍ମ ବିଷ୍ଣୁଙ୍କଠାରୁ “ବ୍ରହ୍ମଜ୍ଞାନ “ଲାଭ କରେ। କେହି କେହି ମୋହ ଶୂନ୍ୟ ଅବସ୍ଥାରେ ପରଂବ୍ରହ୍ମଙ୍କ ଦର୍ଶନ କରି ବ୍ରହ୍ମଲୀନ ହେବାର ସୌଭାଗ୍ୟ ଲାଭ କରନ୍ତି। ଏହାର ପ୍ରମାଣ “ସ୍କନ୍ଦ ପୁରାଣ “ରେ “ଯ ପ୍ରାଣାଂ ସ୍ତ୍ୟଜତେ ତସ୍ୟ ଆତ୍ମ ଜ୍ଞାନଂ ପ୍ରକାଶତେ, ଦୀନlର୍ତ୍ତହରଣ ଶ୍ରୀଶୋ ମ୍ରିୟମାଣସ୍ୟ ତତ୍ର ବୈ। କର୍ଣ୍ଣମୂଳେ ବ୍ରହ୍ମବିଦ୍ୟାଂ କଥୟେନ୍ନାତ୍ର ସଂଶୟଃ, ତୟା ବିନାଶି ମୋହୋ ଅସୌ ସାକ୍ଷାତ ପଶ୍ୟତି ତଂ ବିଭୂମ । “
କେବଳ ସମର୍ପିତ ପ୍ରାଣୀ ନୁହନ୍ତି ; ଏହି କ୍ଷେତ୍ରରେ ଦେବତାମାନେ ମୁକ୍ତି ସଂଯୁକ୍ତ ମୃତ୍ୟୁ ଆଶା ମଧ୍ୟ ପୋଷଣ କରନ୍ତି। ସେହି ସ୍କନ୍ଦ ପୁରାଣ କହେ “ଦେବାମରଣମିଛନ୍ତି ଯତ କ୍ଷେତ୍ରେ ମୁମୂକ୍ଷଵଃ, ଆତ୍ମ ସାକ୍ଷାତ କୃତୌ ମୁକ୍ତିସ୍ତତ କ୍ଷେତ୍ରେ ମରଣାଦଥ । “
ଏହି ଉକ୍ତିର ସମର୍ଥନରେ ନୀଳଗିରିନାଥ ଜଗନ୍ନାଥ ଙ୍କ ମହିମା ବର୍ଣ୍ଣନା ସହ ପୁରୁଷୋତ୍ତମ କ୍ଷେତ୍ର ର ପ୍ରଶସ୍ତି “ନୀଳାଦ୍ରି ମହୋଦୟ “ଗ୍ରନ୍ଥରେ ଏହିପରି ଭାବରେ ବର୍ଣିତ ହୋଇଛି – “ଯମାକର୍ଣୟ ଭୋକ୍ଷେତ୍ରଂ ପାବନଂ ପୁରୁଷୋତ୍ତମମ୍, ଅତ୍ରତ୍ୟାଗାଛରିରlଣା ମୁକ୍ତିରେବ ନ ସଂଶୟଃ । ଅର୍ଥାତ ଶ୍ରୀକ୍ଷେତ୍ର ଅଧିଶ୍ବରୀ ମା ମହାଲଷ୍ମୀଙ୍କ ଧର୍ମରାଜ ଯମଙ୍କୁ ଆଦେଶ ଅଛି ଏହି କ୍ଷେତ୍ରରେ ମୃତ୍ୟୁ ଇଛା କରୁଥିବା ଜୀବ ନିଶ୍ଚୟ ମୁକ୍ତି ପାଇବା ସହ ଯମ ଦଣ୍ଡରୁ ମୁକ୍ତ ହେବ। ଆହୁରି ମଧ୍ୟ କହିଛନ୍ତି “ତଥା ଚ ସୂର୍ଯ୍ୟ -ଜାତ୍ର ମହାକ୍ଷେତ୍ରେ ସୁକୃତସ୍ନାତ୍ୱା ମହାଦଧୌ, ବିଷ୍ଣୁ ପଶ୍ୟନ୍ତି ଯେ ଭକ୍ତ୍ୟା ତେଷୁତେ ଅଧିକୃତିର୍ନ ବୈ । “ ଅର୍ଥାତ ଯେଉଁ ପ୍ରାଣୀ ଶ୍ରୀକ୍ଷେତ୍ର ଆସି ମହୋଦଧିରେ ଥରେ ମାତ୍ର ସ୍ନାନ କରି ଭକ୍ତିର ସହ ପରଂବ୍ରହ୍ମ ଶ୍ରୀବିଷ୍ଣୁ (ଶ୍ରୀଜଗନ୍ନାଥ )ଙ୍କୁ ଦର୍ଶନ କରେ।
ସେମାନେ ମଧ୍ୟ ଯମ ଦଣ୍ଡରୁ ମୁକ୍ତି ପାଆନ୍ତି। କେବଳ ମୃତ୍ୟୁ ପରେ ମୁକ୍ତି ନୁହେଁ ; ଅହରହ ଚିନ୍ତା ଓ ସଂସାର ଜଞ୍ଜାଳରେ ଥକି ପଡ଼ିଥିବା ମନ ଓ ଶରୀର ମଧ୍ୟ ଏହି କ୍ଷେତ୍ରରେ ପରମ ଶାନ୍ତି ଲାଭ କରେ। ଦୂରରେ ଥିବା ଭକ୍ତ ଟିଏ ବ୍ୟାକୁଳ ହୁଏ ଶ୍ରୀକ୍ଷେତ୍ରରେ ପାଦ ଥାପିବା ପାଇଁ, ଆଉ ଗାଇ ଉଠେ : “ଥକା ମନ ଚାଲ ଯିବା /ଚକା ନୟନ ଦେଖିବା / ଶଙ୍ଖ ନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା “(ସାରିଆ ଭିକ ଭଜନ )।
ଆଗାମୀ ଅଧ୍ୟାୟରେ ଶ୍ରୀକ୍ଷେତ୍ରକୁ ଶଙ୍ଖନାଭି ମଣ୍ଡଳ କାହିଁକି କୁହାଗଲା ତାହା ଆଲୋଚନା କରିବା। ଆସନ୍ତୁ ଏବେ ଆରାଧନା କରିବା :
“ଜଗନ୍ନାଥ ରୂପେ ହରି ବିଜୟ କରିବେ
କଳି ଯୁଗେ ନରଙ୍କର ଦୁସ୍କୃତି ହରିବେ ।”
ଜୟ ଜଗନ୍ନାଥ, (ଦ. ତ୍ରି. ଉବାଚ )
Comments are closed.