Latest Odisha News

BREAKING NEWS

ହାଇକୋର୍ଟରେ ଏଏସଆଇ ସତ୍ୟପାଠ: ପୁରୀ ଐତିହ୍ୟ ପ୍ରକଳ୍ପ ବିନା ଅନୁମତିରେ ଚାଲିଛି, ମନ୍ଦିରକୁ କ୍ଷତି ପହଞ୍ଚାଇପାରେ

କଟକ: ପୁରୀ ଐତିହ୍ୟ ପ୍ରକଳ୍ପ ତିଆରି ନାଁରେ ଯେଉଁସବୁ ଦିଗକୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି ବୋଲି ଅଭିଯୋଗ ହେଉଥିଲା ତାହା ସତ ବୋଲି ପ୍ରମାଣିତ ହୋଇଛି। ସୋମବାର ହାଇକୋର୍ଟରେ ଏଏସଆଇ ଏକ ସତ୍ୟପାଠ ଦାଖଲ କରି କହିଛି, ଶ୍ରୀମନ୍ଦିର ଚାରିପାଖରୁ ମାଟି କାଢ଼ିବା ଓ ଖୋଳିବା ପରେ ପୁରୀରେ ଥିବା ୧୦୦୦ ବର୍ଷ ପୁରୁଣା କୀର୍ତ୍ତିରାଜିକୁ ଦୁର୍ବଳ କରି ଦେଇଥାଇପାରେ। ଅର୍ଥାତ୍ ମନ୍ଦିରର ସୁରକ୍ଷା ପ୍ରତି ବିପଦ ଥାଇପାରେ।

ରାଜ୍ୟର ଶାସକ ଦଳ ବିଜେଡିର ଅନେକ ଯୋଜନା କରିଛି । ଏଥିମଧ୍ୟରେ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ ହେଉଛି ଅନ୍ୟତମ । କିନ୍ତୁ ସତ୍ୟପାଠରେ ଯେଉଁସବୁ ସାଂଘାତିକ ତଥ୍ୟ  ଏଏସଆଇ ଉଲ୍ଲେଖ କରିଛି ତାହା ଏବେ କାଳିଆ ପ୍ରେମୀଙ୍କ ନିରାଶ କରିଛି। ଯାହାକୁ ନେଇ ସୋଶିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ନିକଟରେ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ବେଆଇନ କହି ଖନନ କାମରେ ଏଏଏସଆଇ କିମ୍ବା ଜାତୀୟ ସ୍ମାରକୀ ପ୍ରାଧିକରଣର(ଏନଏମଆଇ) ଅନୁମୋଦନ ନାହିଁ ବୋଲି କହିବା ପରେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଥିଲା। ସଂସଦରେ ମଧ୍ୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ରାଜ୍ୟ ସରକାର ନିଜ ତରଫରୁ ଅପରାଜିତା ଷଡ଼ଙ୍ଗୀଙ୍କ ଉକ୍ତିକୁ ଖଣ୍ଡନ କରିବା ସହ ଐତିହ୍ୟ କାମ ପାଇଁ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଉପଯୁକ୍ତ ଅନୁମତି ରହିଛି ବୋଲି କହିଥିଲେ।

ଏଏସଆଇ କିନ୍ତୁ ସତ୍ୟପାଠରେ କହିଛନ୍ତି ଯେ ସଂରକ୍ଷିତ ସ୍ମାରକୀର ନିଷିଦ୍ଧ ଏବଂ ନିୟନ୍ତ୍ରିତ ଅଞ୍ଚଳ ମଧ୍ୟରେ ଖନନ ହୋଇଛି ଯାହା ଏନଏମର ସ୍ପଷ୍ଟ ଉଲ୍ଲଂଘନ। ସତ୍ୟପାଠରେ ଆହୁରି କୁହାଯାଇଛି ଯେ କାର୍ୟ୍ୟକାରୀ ସଂସ୍ଥା ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି)ର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏନ୍ଏମ୍ଏ କର୍ତ୍ତୃପକ୍ଷଙ୍କ ଅନୁମତି ନାହିଁ। ୨୦୨୧ ଜୁଲାଇ ୧୫ରେ ଏନଏମଏ ଦାଖଲ କରିସାରିଥିବା ପ୍ଲାନ୍ ଓ ଏଲିଭେସନ୍ ସହିତ ପ୍ରୋଜେକ୍ଟ ଡିଜାଇନରେ ବିଭ୍ରାଟ ରହିଛି। ସଂଶୋଧିତ ପ୍ରସ୍ତାବରେ ବିଭିନ୍ନ ଢାଞ୍ଚାର ପରିବର୍ତ୍ତନ ହୋଇଇଛି। ପ୍ରକଳ୍ପ ଆରମ୍ଭ ପୂର୍ବରୁ କୌଣସି ଐତିହ୍ୟ ପ୍ରଭାବ ଆକଳନ ଅଧ୍ୟୟନ କରାଯାଇନାହିଁ ବୋଲି ସୂଚନା ରହିଛି।

ଏଥିରେ କୁହାଯାଇଛି ଯେ କେନ୍ଦ୍ରୀୟ ସଂରକ୍ଷିତ ଢାଞ୍ଚାର ୭୫ ମିଟର ବ୍ୟାସାର୍ଦ୍ଧର ମାଟିରେ ପୋତି ହୋଇ ରହିଥିବା ପ୍ରତ୍ନତାତ୍ତ୍ୱିକ ଏବଂ ଐତିହାସିକ ଗୁରୁତ୍ୱ ଜାଣିବା ପାଇଁ କୌଣସି ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ସର୍ଭେ (ଜିପିଆରଏସ୍) କରାଯାଇ ନାହିଁ। ଶୁଣାଣି ବେଳେ ଓବିସିସି ଦର୍ଶାଇଛି ଯେ ମନ୍ଦିର ଚାରିପାଖରେ ୪୬ ମିଟର ଦୂରତାରେ ଏକ ଖଣ୍ଡାଲାଇଟ୍ ମିସ୍ତ୍ରୀ କାନ୍ଥ ନିର୍ମାଣ କରିବାର ବ୍ୟବସ୍ଥା ରହିଛି, କିନ୍ତୁ ଡିପିଆରରେ ଏହାର ବିବରଣୀ ଉଲ୍ଲେଖ ନାହିଁ ।

ଅନ୍ୟପଟେ ବିଭିନ୍ନ ମିଡିଆରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ସରକାର କହିଛନ୍ତି, କୋର୍ଟ ଶୁଣାଣି ବେଳେ ପ୍ରକଳ୍ପ ଉପରେ ରୋକ୍ ଲଗାଇବାକୁ ରହିତାଦେଶ ଲଗାଇ ନାହାନ୍ତି । ତେଣୁ ରାଜ୍ୟ ସରକାର ଏହି କାମ ଜାରି ରଖିବେ। ହାଇକୋର୍ଟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜୁନ୍ 20ରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜୁନ 22ରେ ପରବର୍ତ୍ତୀ ଶୁଣାଣି ରହିଛି ।

Leave A Reply

Your email address will not be published.