Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୯୭ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ବିଷ୍ଣୁ ସ୍ୱରୂପତା ସର୍ବୋତ୍ତ ଭାବେ ଗ୍ରହଣୀୟ। ଶ୍ରୀମନ୍ଦିର ଚୂଡାରେ ଅଙ୍କିତ ରମାନନ୍ଦୀ ଚିତା ମଧ୍ୟ ସାର୍ବଜନିନ ଭାବେ ଏହାକୁ ବିଷ୍ଣୁ ଆରାଧିତ ମନ୍ଦିର ଭାବରେ ପରିଗଣିତ କରେ, ସେହିପରି ନୀଳଚକ୍ରଙ୍କ ଅବସ୍ଥିତି ମଧ୍ୟ ହରି ବା ବିଷ୍ଣୁଙ୍କ ପ୍ରାଧାନ୍ୟ ଘୋଷିତ କରେ। କାରଣ ଆମେ ଜାଣିଛେ ହର ବା ମହାଦେବ ଶିବଙ୍କ ମନ୍ଦିର ଚୂଡ଼ାରେ ଥାଏ ତ୍ରିଶୂଳର ଆକୃତି। ତଥାପି ଶ୍ରୀକ୍ଷେତ୍ରକୁ ଉଡ୍ଡୀୟାନ ତନ୍ତ୍ର ପୀଠ ଓ ଶ୍ରୀମନ୍ଦିରରେ ମଧ୍ୟ ତନ୍ତ୍ରର ପ୍ରଭାବ ଦୃଷ୍ଟି ଗୋଚର ହୁଏ। ଶାସ୍ତ୍ର କହେ “ନୀଳାଦ୍ରୌ ଶ୍ରୀଜଗନ୍ନାଥ ସାକ୍ଷାତ ଦକ୍ଷିଣ କାଳିକା, ତାରା ସାକ୍ଷାତ ଶିରପାଣି ଷୋଡଶୀ ଶ୍ରୀସୁଦର୍ଶନଃ। ମୂଳପ୍ରକୃତିରେବ ଶ୍ରୀସୁଭଦ୍ରା ଭୁବନେଶ୍ୱରୀ, ମହୋଦଧି ସୁଧାମ୍ବୋଧି ବଟଶ୍ରୀ କଳ୍ପପାଦପଃ।

ପଞ୍ଚକ୍ରୋଶଂ ଶ୍ମାଶନଂ ଚ ପ୍ରାସାଦୋ ମଣିମଣ୍ଡପଃ, ରତ୍ନସିଂହାସନଂ ଯଛ ବିଦିତା ରତ୍ନବେଦିକା, ଶ୍ରୀକାଳିକା ଯନ୍ତ୍ର ରୁପଂ କ୍ଷେତ୍ରଂ ଶ୍ରୀପୁରୁଷୋତ୍ତମଂ। ଉପରୋକ୍ତ ଶ୍ଳୋକଟିର ସଠିକ ଆଲୋଚନା କଲେ ଆମେ ପୁରୁଷୋତ୍ତମ କ୍ଷେତ୍ରରେ ତନ୍ତ୍ରର ବା ଶାକ୍ତ ମତର ବିଶେଷ ପ୍ରଭାବ ଦେଖି ପାରିବl। ପ୍ରଥମେ ଦେବତାମାନଙ୍କୁ ଦେବୀ ସ୍ୱରୂପରେ ଉପସ୍ଥାପନା। ତାପରେ ସକଳ ତୀର୍ଥର ରାଜା ବା ତୀର୍ଥରାଜ ମହୋଦଧି ଓ ମୁକ୍ତି ପ୍ରଦାୟକ ବଟଶ୍ରୀ କଳ୍ପବଟଙ୍କ ଉପସ୍ଥିତି ଶ୍ରୀକ୍ଷେତ୍ରକୁ ଏକ ସ୍ୱୟଂ ସମ୍ପୂର୍ଣ ତନ୍ତ୍ର ପୀଠ ରୂପେ ପରିଚିତ କରାଏ। ଅଷ୍ଠଶମ୍ଭୁ ଓ ଅଷ୍ଠମାତୃକାଙ୍କ ଉପସ୍ଥିତି ସହ ଶ୍ରୀମନ୍ଦିର ମଧ୍ୟରେ ପଞ୍ଚକ୍ରୋଶ, ଶ୍ମାଶନ, ପ୍ରାସାଦ (ରତ୍ନବେଦିକା )ର ଉପସ୍ଥିତି ଏହାକୁ ସ୍ୱତନ୍ତ୍ର ଭାବେ ତନ୍ତ୍ର ପୀଠର ମାନ୍ୟତା ଦିଏ। ଏଠାରେ ରତ୍ନସିଂହାସନର ସ୍ୱତନ୍ତ୍ରତା ଏଥିପାଇଁ ପ୍ରତିପାଦିତ ହୁଏ ଯେ ଏହା ଭୈରବୀ ଯନ୍ତ୍ରରେ ପ୍ରତିଷ୍ଠିତ। ଏଠାରେ ପ୍ରବେଶ କଲେ ସମସ୍ତେ ଏକାକାର ହୁଅନ୍ତି ବର୍ଣ୍ଣ ବା ଜାତି ଭେଦ ରହେନାହିଁ। କୁଳାଣ୍ଣବ ତନ୍ତ୍ରରେ କୁହାଯାଇଛି “ପ୍ରବୃତେ ଭୈରବୀ ଚକ୍ରେ ସର୍ବେ ବର୍ଣ୍ଣା ଦ୍ବିଜାତୟଃ, ନିବୃତେ ଭୈରବୀ ଚକ୍ରେ ସର୍ବେ ବର୍ଣ୍ଣା ପୃଥକ ପୃଥକ ।”

ସବୁଠାରୁ ମୁଖ୍ୟ ବିଷୟ ମନ୍ଦିର ମଧ୍ୟରେ ଶ୍ମାଶନର ଅବସ୍ଥିତି ସମସ୍ତେ ଜାଣନ୍ତି ନବକଳେବର ପରେ ଶ୍ରୀବିଗ୍ରହମାନଙ୍କୁ “କୋଇଲି ବୈକୁଣ୍ଠ “ରେ ସମାଧି ଦିଆଯାଏ। ସେଥିପାଇଁ ଏହା ପବିତ୍ର ଦେବଶ୍ମାଶନ ଭାବରେ ପରିଚିତ। ଆଉ ପଞ୍ଚକୋଶ, କଥାରେ ଅଛି ଶ୍ରୀକ୍ଷେତ୍ରର ବ୍ୟାପ୍ତି ପାଞ୍ଚକୋଶ। କିନ୍ତୁ ତତ୍ତ୍ୱ ଅନୁସାରେ ଶ୍ରୀମନ୍ଦିର ମଧ୍ୟରେ ବା ବଡ଼ଦେଉଳର ଗର୍ଭଗୃହ ମଧ୍ୟରେ ପଞ୍ଚକ୍ରୋଶର ପରିକଳ୍ପନା କରାଯାଇଛି। ଜଣେ ଭକ୍ତ ଗରୁଡ଼ସ୍ତମ୍ଭର ପୃଷ୍ଠ ଭାଗରେ ଥିବା ଭୋଗମଣ୍ଡପଠାରୁ ରତ୍ନବେଦୀ ପର୍ଯ୍ୟନ୍ତ କ୍ଷେତ୍ର ପାରି ହେବା ସମୟରେ ଶରୀର ମଧ୍ୟରେ ଥିବା ପଞ୍ଚକୋଶ କୁ ଅତିକ୍ରମ କରେ। ପ୍ରଥମେ ଅନ୍ନମୟ କୋଶ,-ପ୍ରାଣମୟ କୋଶ -ଜ୍ଞାନମୟ କୋଶ -ବିଜ୍ଞାନମୟ କୋଶ -ଓ ଶେଷରେ ଆନନ୍ଦମୟ କୋଶ। ଏହାର ବିଷଦ ଆଲୋଚନା ପରେ କରିବା, ବର୍ତ୍ତମାନ ଆରାଧନା କରିବା : “ଜଗଦାନନ୍ଦ କନ୍ଦାୟ ପ୍ରଣତ୍ରାତ୍ରିହରାୟ ଚ, ନୀଳାଚଳ ନିବାସାୟ ଜଗନ୍ନାଥାୟ ତେ ନମଃ। “

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.