Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୬ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅଣସର ସେବା ଚାଲିଛି। ଏହି ଅଣସର ବା ଅନବସର ସେବା ଏକ ଗୁପ୍ତ ସେବା। ଏଥିରେ ଶ୍ରୀଜୀଉମାନଙ୍କର ଅଙ୍ଗସେବାର ଅଧିକାର କେବଳ ଦଇତା ଓ ପତି ସେବକମାନଙ୍କର ଥାଏ। ଏହି ସେବକମାନେ ଅତ୍ୟନ୍ତ ନିଷ୍ଠାର ସହ ସମସ୍ତ ନିୟମ ମାନି ଶ୍ରୀଜୀଉମାନଙ୍କର ଅଙ୍ଗର ବିଭିନ୍ନ ଉପଚାର କରନ୍ତି। ଅଣସର ସମୟରେ ଶ୍ରୀଜୀଉମାନେ ଏକ ବସ୍ତ୍ର ପରିଧାନ କରୁଥିବାରୁ, ଦଇତାପତି ମାନେ ମଧ୍ୟ ଏକ ବସ୍ତ୍ର ପିନ୍ଧି ଏହି ସେବା କରିଥାନ୍ତି। ସେହି ଦଇତାପତି ସେବକମାନଙ୍କ ମଧ୍ୟରୁ ସୁଧ ସୁଆର ବୋଲାଉଥିବା ସେବକ ଝୁଣା ବାଟି ଓଷୁଅ ପ୍ରସ୍ତୁତ କରି ଯୋଗାନ୍ତି। ଯାହା ଷଷ୍ଠୀଠାରୁ ନବମୀ ତିଥିରେ ପ୍ରୟୋଗ କରାଯାଏ। ଏହି ଅଣସରର ପ୍ରଥମ ଦିନରୁ ଦଶମୀ ପର୍ଯ୍ୟନ୍ତ କୌଣସି ଦିଅଁଙ୍କ ନୀତିରେ ଘଣ୍ଟ କାହାଳୀ ବାଜେ ନାହିଁ, କିମ୍ବା ମନ୍ଦିରର କୌଣସି ସ୍ଥାନରେ ନାମ ସଂକୀର୍ତନ ହୁଏନି । କେବଳ ଏକାଦଶୀ ଦିନ ଦଇତାପତିମାନେ ଚନ୍ଦନ ସହିତ କର୍ପୁର, କେଶର ବାଟି ଦିଅଁମାନଙ୍କୁ ଲାଗି କରନ୍ତି। ଏହିଦିନ ଘଣ୍ଟ କାହାଳି ଓ ବାଜା ବାଜେ ଅଣସର ପିଣ୍ଡିରେ ଦିଅଁମାନଙ୍କୁ ପତିମହାପାତ୍ର କେବଳ ସର୍ପମଣୋହି କରି ପୂଜା କରନ୍ତି । ଏହି ପୂଜାରେ ଘଣ୍ଟି ଶଙ୍ଖ, ପିଢା, କିମ୍ବା ଥାଳି ବ୍ୟବହୃତ ହୁଏନି.ଏହି ସମୟରେ ଶ୍ରୀଜୀଉମାନଙ୍କୁ କେବଳ ଧଳା ପୁଷ୍ପ ପ୍ରଦାନ କରାଯାଏ। ଏହି ସେବା ସମୟରେ ଅଣସର ଗୃହ ସମ୍ପୂର୍ଣ ଆଲୋକିତ ହୁଏନି, କେବଳ ଏକ ଦୀପ ଜଳାଇ ସବୁ ସେବା କାର୍ଯ୍ୟ କରାଯାଏ । ମାନବ ଶରୀର ପରି ଶ୍ରୀବିଗ୍ରହ ମାନଙ୍କ ଶ୍ରୀଅଙ୍ଗରେ ବିଭିନ୍ନ ସ୍ତରରେ ବସ୍ତ୍ର ଓ ବିଭିନ୍ନ ଲେପ ଦ୍ୱାରା ଉପଚାର ହୁଏ।

ଏହି ଅଣସର ସେବା ସମୟରେ ଯେଉଁ ପଟିଦିଅଁ ସ୍ଥାପନା କରାଯାଏ ଓ ଖଟରେ ଅନ୍ୟ ସାତ ମୂର୍ତ୍ତି ରଖି ଦଶାବତାର ଠାକୁରଙ୍କ ଉପାସନା କରାଯାଏ, ତାର ସମ୍ପୂର୍ଣ ବିବରଣୀ ଆଗାମୀ ଅଧ୍ୟାୟରେ ପ୍ରଦାନ କରାଯିବ। ବର୍ତ୍ତମାନ ଆରାଧନା ଓ ଭାଗବତ ପଠନର ସମୟ ।

ଆତ୍ମାକୁ ବୁଝାଇ ଆପଣେ
ପ୍ରତ୍ୟକ୍ଷ କରେ ଆତ୍ମ ଜ୍ଞାନ
କି ଅବା କରେ ଅନୁମାନ
ଜ୍ଞାନ ବୁଝଇ ଧୀର ପଣେ
ଆତ୍ମା ସମାଧି ଅଭ୍ୟାସଣେ
ଆତ୍ମା କୁଶଳେ ସର୍ବ ସିଦ୍ଧି
ତରଇ ସଂସାର ଜଳଧି

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.