Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୭

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରୀତିନୀତି ସହ ଜଡିତ ପାଞ୍ଚ ମହାଦେବଙ୍କ ମଧ୍ୟରେ ଅନ୍ୟତମ ଅର୍ଜୁନ ଭାବରେ ଅଭିହିତ ଶ୍ରୀ ମାର୍କଣ୍ଡେଶ୍ୱର ମହାଦେବଙ୍କ ବିଜେ ସ୍ଥଳି ନିକଟରେ ସର୍ବ ପୁରାତନ ତୀର୍ଥ ପୁଷ୍କରିଣୀ” ମାର୍କଣ୍ଡେୟ ପୁଷ୍କରିଣୀ ବା ମାର୍କଣ୍ଡେୟ
ତୀର୍ଥ, ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରେ ପୁରାତନ ଓ ଅନ୍ୟତମ। ଆମେ ଶ୍ରୀମନ୍ଦିର ମଧ୍ୟରେ ଥିବା ରୋହିଣୀ କୁଣ୍ଡ ପରେ ଏହି ତୀର୍ଥ ପୁଷ୍କରିଣୀ ବିଷୟରେ ଆଲୋଚନା କରିବା। କାରଣ କୁହାଯାଏ । ଏହି ପୁଷ୍କରିଣୀଙ୍କ ଉତ୍ପତ୍ତି ବିଷୟରେ କୌଣସି ସ୍ୱତନ୍ତ୍ର ଇତିହାସ ନାହିଁ। କେବଳ ରୋଚକ ଜନସ୍ମୃତି, ପୁରାଣ ବର୍ଣ୍ଣନାକୁ ନେଇ ଏହି ତୀର୍ଥର ମହନୀୟତା ବର୍ଣ୍ଣନା କରିବା ଆଗରୁ” ବ୍ରହ୍ମ ପୁରାଣ ” ଅନୁସାରେ ପଞ୍ଚତୀର୍ଥ ଭିତରେ ମାର୍କଣ୍ଡେୟ, ରୋହିଣୀକୁଣ୍ଡ, ମହୋଦଧି, ଶ୍ୱେତଗଙ୍ଗା, ଓ ଇନ୍ଦ୍ରଦ୍ୟୁମ ନାମ ଉଲ୍ଲେଖ ଅଛି। କିନ୍ତୁ ସ୍କନ୍ଦ ପୁରାଣ ବର୍ଣ୍ଣନା ଅନୁସାରେ ପାଞ୍ଚତୀର୍ଥ ଭିତରେ ରୋହିଣୀକୁଣ୍ଡ ନଥାଇ, ଏହାର ଉତ୍ପତ୍ତି ସ୍ଥଳ କଳ୍ପବଟଙ୍କୁ ନିଆଯାଇଛି । ଏଠାରେ ଆଦିକବି ସାରଳା ଦାସଙ୍କ ରଚିତ ମହାଭାରତର ବନ ପର୍ବ କହେ “ୟେ ପଞ୍ଚତୀର୍ଥେ ଯେବେ ମକର ସ୍ନାହlନ କରି, ଜୀବନ୍ତେ ମାହେଶ୍ୱର ପଦ ମଲେ ବିଷ୍ଣୁପୁରୀ
ମଉଦଧି ଶ୍ୱେତଗଙ୍ଗା ଯେ ରୋହିଣୀର କୁଣ୍ଡ, ଇନ୍ଦ୍ରଦ୍ୟୁମ୍ନ ଆବର ଅଛଇ ମାରକଣ୍ଡ l “ଏହାର ସମର୍ଥନ ରେ ଶ୍ରୀମନ୍ଦିର ସତ୍ତ୍ୱଲିପିରେ ପଞ୍ଚତୀର୍ଥର ବର୍ଣ୍ଣନା ରହିଛି। କିନ୍ତୁ ବ୍ୟବହାରିକ ଦୃଷ୍ଟିରୁ ବୋଧହୁଏ ରୋହିଣୀ କୁଣ୍ଡକୁ ବାଦ ଦେଇ, ମାର୍କଣ୍ଡେୟ ପୁଷ୍କରଣୀ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରଣୀ ସହ ମହୋଦଧିର ଦୁଇଟି ବିଶେଷ ସ୍ଥଳ ଯଥା ସ୍ୱର୍ଗଦ୍ୱାର ସମ୍ମୁଖଭାଗ ଓ ଚକ୍ରତୀର୍ଥ ନିକଟସ୍ଥ ସାଗରଙ୍କୁ ପଞ୍ଚତୀର୍ଥ ଭାବରେ ଅଭିହିତ କରି ସେଠାରେ ସ୍ନାନ, ଦାନ, ଜପ ତପ, ଶ୍ରlଦ୍ଧ ପ୍ରଭୃତି କରିବା ପାଇଁ ଅନୁମତି ଦେଇଛନ୍ତି। ସେହି ତୀର୍ଥ ସ୍ଥଳରେ ବିଶେଷତଃ ଜ୍ୟେଷ୍ଠ ଶୁକ୍ଳ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ, କେହି କେହି କାର୍ତ୍ତିକ ଶୁକ୍ଳ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମୟରେ ଉପରୋକ୍ତ କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଏହା ଅତ୍ୟନ୍ତ ପୁଣ୍ୟମୟ ବୋଲି ବିବେଚିତ ହୁଏ। ଆଗକୁ ଆମର ଆଲୋଚ୍ୟ ମାର୍କଣ୍ଡ ତୀର୍ଥର ସବିଶେଷ ବିବରଣୀ ତଥା ପୌରାଣିକ କାହାଣୀ ଆଲୋଚନା କରିବା, ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ ।

ଏଣୁ ଅର୍ଜିତ କର୍ମପାକେ,
ଜୀବ ଭ୍ରମଇ ଦୁଃଖସୁଖେ।
ଅସାଧୁ ସଙ୍ଗେ ଯେତେ ଭାବ
ଉଦ୍ଧବେ କହନ୍ତି ମାଧବ ।
ସୁକର୍ମେ ସାଧୁ ସଙ୍ଗ ପାଇ
କୁକର୍ମେ ଅସାଧୁ ମିଳଇ।
ପୂର୍ବ ବିପlକ କର୍ମ ଫଳେ
ଯେବେ ଅସାଧୁ ସଙ୍ଗ ମିଳେ।
ଅଧର୍ମ ବଢେ ଦିନୁ ଦିନେ
ନିରତେ କୁସଙ୍ଗ ମିଳନେ।

ଜୟ ଜଗନ୍ନାଥ, ( ଦ. ତ୍ରୀ. ଉବାଚ )

Leave A Reply

Your email address will not be published.