Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୭

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥ, ଙ୍କ ପୁରୁଷୋତ୍ତମ କ୍ଷେତ୍ର ଗାରିମା ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛନ୍ତି ସ୍ୱୟଂ ଶ୍ରୀ ଜଗନ୍ନାଥ ଓ ସର୍ବଦା ତରଙ୍ଗlୟିତ ହେଉଥିବା ମହୋଦଧି। ଏହି ମହୋଦଧିରେ ତୀର୍ଥ ସ୍ନାନ କରିବା ପାଇଁ ଦୁଇଟି ନିର୍ଦ୍ଧାରିତ ସ୍ଥାନ ବିଷୟରେ ଉଲ୍ଲେଖ କରିବାରୁ, କିଛି ଶ୍ରଦ୍ଧାଳୁ ପ୍ରଶ୍ନ କରିଥିଲେ ମହାଶୟ ଯଦି ସମଗ୍ର ମହୋଦଧିକୁ ଆମେ ତୀର୍ଥରାଜ ବୋଲି କହୁଛେ, ତେବେ ନିର୍ଦ୍ଧିଷ୍ଟ କିଛି ସ୍ଥାନ କାହିଁକି ସ୍ନାନ ପାଇଁ ଉପଯୁକ୍ତ ? ଏହାର ଉତ୍ତରରେ ମୁଁ ଏତିକି କହିବି ମହୋଦଧିର ଜଳ ସର୍ବତ୍ର ପବିତ୍ର କିନ୍ତୁ କିଛି ବିଶେଷ ସ୍ଥାନର ଅବସ୍ଥିତି ଓ ସେଠାରେ ଅବସ୍ଥାନ କରିଥିବା ଦେବା ଦେବୀଙ୍କ ମହିମା ହିଁ ସେହି ସ୍ଥାନର ଚୟନ ପାଇଁ ମୁଖ୍ୟ ଉପାଦାନ ଅଟନ୍ତି। ଉଦାହରଣ ସ୍ୱରୂପ ପରମ ପାବନୀ ମା ଗଙ୍ଗାଙ୍କ ଜଳ ସର୍ବତ୍ର ପବିତ୍ର କିନ୍ତୁ ସ୍ନାନ ପାଇଁ କିଛି ସ୍ଥଳ ବା ସଂଗମ ସ୍ଥଳି ଉପଯୁକ୍ତ ବିବେଚିତ ହୁଏ।

ଆସନ୍ତୁ ଏହି ଜଳ ରୂପୀ ତୀର୍ଥରାଜଙ୍କୁ ବା ତୀର୍ଥ ନାରାୟଣଙ୍କୁ ପ୍ରଣାମ କରି ଜଳ ମଧ୍ୟରେ ପ୍ରବେଶ ପୂର୍ବକ ପଞ୍ଚ ବରୁଣ ମନ୍ତ୍ର ଓ ଅଘମର୍ଷଣ ମନ୍ତ୍ର ପାଠ କରି ଗାଇବା । “ବୃଜିନଂ ହର ମେ ସର୍ବଂ ତୀର୍ଥରାଜ ନମୋସ୍ତୁତେ, ଜନ୍ମକୋଟି ସହ6ସ୍ରଷୁ ଯତ ପାପଂ ପୂର୍ବମଜୀର୍ତ୍ତମ । ଅର୍ଥାତ ହେ ତୀର୍ଥରାଜ ମୋର ପୂର୍ବ ଅର୍ଜିତ ସମସ୍ତ ପାପ ହରଣ କରନ୍ତୁ । ସ୍ୱର୍ଗ ଦ୍ୱାର ସମ୍ମୁଖ, ଚକ୍ରତୀର୍ଥ ନିକଟ ଓ ବେଲେଶ୍ଵର ମନ୍ଦିର ସମୀପ ବର୍ତ୍ତୀ ସାଗର ତଟ ବିଶେଷ ଫଳଦାୟକ ବୋଲି ବିବେଚିତ। ତଥାପି ଏତିକି କହିବି ବ୍ରହ୍ମପୁରାଣ ଅନୁସାରେ ତୀର୍ଥରାଜ, କ୍ଷେତ୍ରରାଜ, ଦେବରାଜଶ୍ଚ ଯତ୍ରବୈ, ତସ୍ମାତ ଶ୍ରେଷ୍ଠତମଂ ନାସ୍ତି କ୍ଷେତ୍ରଂ ଶ୍ରୀ ପୁରୁଷୋତ୍ତମାତ “। ଏପରି କ୍ଷେତ୍ରରେ ଅବସ୍ଥିତ ତୀର୍ଥରାଜଙ୍କ ମହିମା ଆଉ ଏକ ଅଧ୍ୟାୟରେ ବର୍ଣ୍ଣନା କରିବା। ବର୍ତ୍ତମାନ ଆରାଧନା ଓ ଭାଗବତ ପଠନର ସମୟ।

ମୋର କାରଣେ କର୍ମ ଯେତେ
ଆଦରେ କରୁଥିବ ନିତ୍ୟେ ।
ମୋର ମହିମା ଯେତେ ଗୁଣ
କୀର୍ତ୍ତନ କରୁଥିବ ପୁଣ ।
ଅଧିକ କର୍ମ କରି ଯେତେ
ଅନ୍ତରେ ସମର୍ପିବ ମୋତେ।
ଆଶା ନକରି କର୍ମ ଫଳେ
ଶରଣ ମୋ ପାଦ କମଳେ ।

ଜୟ ଜଗନ୍ନାଥ, (ଦ. ତ୍ରି. ଉବାଚ )

Comments are closed.