Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୭

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପୂର୍ବ ଦିଗରେ ଅବସ୍ଥିତ ଅଙ୍ଗିରସ ମହର୍ଷିଙ୍କ ଆଶ୍ରମ ଭିତରେ ଥିବା ବା ପୂଜା ପାଉଥିବା ଠାକୁରଙ୍କ ବିଷୟରେ ଆଲୋଚନା ଜାରି ରଖିବା । ଏହି କ୍ରମରେ ପ୍ରଥମେ ବିଚାର କରିବା ଆଶ୍ରମର ଇଷ୍ଟଦେବତାଙ୍କ ବିଷୟରେ ପାଷାଣ ନିର୍ମିତ୍ତ ଧନୁର୍ବାଣ ଧାରୀ ଶ୍ରୀରାମଙ୍କ ବିଗ୍ରହ ଇଷ୍ଟ ଭାବରେ ପୂଜିତ। ତାଙ୍କ ସହିତ ଚତୁର୍ଦ୍ଧାମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି । ପ୍ରତିବର୍ଷ ଅଣସର ସମୟରେ ଚିତ୍ରକରମାନେ,ଏହି ମୂର୍ତ୍ତିମାନଙ୍କର ବନକ ଲାଗି କରନ୍ତି। ଭକ୍ତମାନଙ୍କ ଦ୍ୱାରା, ଆଶ୍ରମ ପରିସରରେ ଥିବା ବର ଓ ଆଶ୍ୱସ୍ତ ବୃକ୍ଷ ମୂଳରେ ଅନେକ ଶିବଲିଙ୍ଗ ସ୍ଥାପନ ହୋଇଛନ୍ତି। ଆଶ୍ରମର ପ୍ରବେଶ ପଥରେ ସପ୍ତର୍ଷି
( ମରିଚି, ଅଙ୍ଗିରା, ଅତ୍ରି,ପୁଲହ, ପୁଲସ୍ତ୍ୟ, କ୍ରତୁ ଓ ବଶିଷ୍ଠ )ଙ୍କ ଚିତ୍ର ଶୋଭା ପାଉଛି। ଗମ୍ଭୀରର ସମ୍ମୁଖ ଭାଗରେ ଯୋଡ ହସ୍ତରେ ପ୍ରଭୁଙ୍କ ବାହାନ ଗରୁଡ଼ ବିଦ୍ୟମାନ। ଏହି ଆଶ୍ରମରେ ପ୍ରସ୍ତୁତ ସ୍ୱତନ୍ତ୍ର ଖେଚୁଡ଼ି ଭୋଗ ପ୍ରତିଦିନ ଇଷ୍ଟ ଓ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅର୍ପଣ ହୁଏ। ବର୍ଷରେ ଦୁଇଥର ସୁଦର୍ଶନ ମହାରାଜ ଏହି ଆଶ୍ରମ ପରିକ୍ରମା କରନ୍ତି। ଯଥା ରାକ୍ଷୀ ପୂର୍ଣ୍ଣିମା ଓ କୁମାର ପୂର୍ଣ୍ଣିମା ।ରାକ୍ଷୀ ପୁର୍ଣିମାରେ ରକ୍ଷାବନ୍ଧନ ପରେ ଶୀତଳ ମଣୋହି, ପନ୍ତି ଭୋଗ ଅର୍ପଣ ପରେ, ବନ୍ଦାପନା ପ୍ରଭୃତି କରାଯାଏ। କୁମାର ପୂର୍ଣ୍ଣିମାରେ କେବଳ ଭୋଗ ଓ ପରିକ୍ରମା ହୁଏ ।

ଶ୍ରlବଣ କୃଷ୍ଣ ଏକାଦଶୀରେ ଚକ୍ର ନାରାୟଣ ଏଠାକୁ ବିଜେ କରନ୍ତି। ସେହିପରି ଶ୍ରlବଣ କୃଷ୍ଣ ଅଷ୍ଟମୀ ଓ ଶୁକ୍ଳ ଏକାଦଶୀରେ ବାଡ଼ି ନୃସିଂହ ତଥା ମାର୍ଗଶିର ପୂର୍ଣ୍ଣିମାରେ ପଣ୍ଡୁ ନୃସିଂହ ଏହି ଆଶ୍ରମକୁ ବିଜେ କରନ୍ତି । ସେମାନଙ୍କୁ ଶୀତଳ ମଣୋହି ଓ ପନ୍ତି ଭୋଗ କରାଯାଏ । ମୁନି ଋଷିମାନଙ୍କୁ ସମର୍ଦ୍ଧିତ କରି ସେମାନେ ଫେରନ୍ତି। ଶ୍ରୀମନ୍ଦିର ପରମ୍ପରା ସହିତ ଏହିପରି ଭାବରେ ଜଡିତ ଆମର ଐତିହ୍ୟ ଏହି ଆଶ୍ରମମାନଙ୍କ ରକ୍ଷା କରିବା ବର୍ତ୍ତମାନ ଏକ ବଡ଼ ଆହ୍ୱାନ ପାଲଟିଛି। ଆସନ୍ତୁ ଏଥିପାଇଁ ଶପଥ ନେବା ଓ କରିବା ଆରାଧନା ସହ ଭାଗବତ ପଠନ।

ପଞ୍ଚ ଇନ୍ଦ୍ରିୟ ପଞ୍ଚଭୂତ
କେ ବୋଲେ ଏକାଦଶ ତତ୍ତ୍ୱ ।
ମନ ବୁଦ୍ଧି ଯେ ଅହଂକାର
ପଞ୍ଚ ମହାଭୂତ ଆବର।
ପୁରୁଷ ଘେନି କେହୁ ମୁନି
ନବ ତତ୍ତ୍ୱ ଯେ ପରିମାଣି ।
ଏମନ୍ତ ମୁନି ଙ୍କ ବଚନେ 
ଯେ ତତ୍ତ୍ୱ ଘଟେ ଅନୁମାନେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.